କୋରାପୁଟ: ପର୍ୟ୍ୟଟନର ଗନ୍ତାଘର କୋରାପୁଟରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ । ପ୍ରାକୃତିକ ସୌନ୍ଦର୍ୟ୍ୟକୁ ଉପଭୋଗ କରିବା ପାଇଁ ସମସ୍ତ ବ୍ୟବସ୍ଥାର ପ୍ରସ୍ତୁତି ଶେଷ ହୋଇଛି । ଦେଓମାଳିର ପାଦଦେଶରେ ଗିର୍ଲିମାଳୀରେ ଶୁଭାରମ୍ଭ ହେବ ଇକୋ ରିଟ୍ରିଟ ।
କୋରାପୁଟର ଦେଓମାଳି ପର୍ବତର ଏକ ଅଂଶ ଭାବେ ପ୍ରକୃତିର କୋଳରେ ସୌନ୍ଦର୍ୟ୍ୟ ବାଣ୍ଟୁଥିବା ପୁଟସିଲ ଓ ଫୁଲବନ୍ଧ ଗାଁ ମଝିରେ ଥିବା ସୁଉଚ୍ଚ ପର୍ବତ ଗିର୍ଲିମାଳି ଉପରେ ଏକ ବିସ୍ତୀର୍ଣ୍ଣ ସମତଳ ଟାପୁରେ ଇକୋ ରିଟ୍ରିଟ ଆୟୋଜନର ଆଶ୍ରୟ ସ୍ଥଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଂଫେରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ । ଏହି ମନୋରମ ସ୍ଥାନରେ ରାତ୍ରୀ ଯାପନ କରିବା ପାଇଁ ଉନ୍ନତ ମାନର ଟେଣ୍ଟରେ ରହଣୀର ବ୍ୟବସ୍ଥା କରାଯାଇଥିବା ବେଳେ ଦେଓମାଳି ପର୍ବତାରୋହଣ ସାଙ୍ଗକୁ ପର୍ୟ୍ୟଟକ ଆଖପାଖ ଅଞ୍ଚଳ ବୁଲିଦେଖିବାର ସୁଯୋଗ ପାଇବେ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି । ଏହା କୋରାପୁଟ ଅଞ୍ଚଳରେ ପର୍ୟ୍ୟଟନର ବିକାଶ ଏବାଂ ସ୍ଥାନୀୟ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପାର୍ଜନର ସୁଯୋଗ ଦେବା ସାଙ୍ଗକୁ ପର୍ୟ୍ୟଟକଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଇକୋ ରିଟ୍ରିଟ ରେ ବିବିଧ କାର୍ୟ୍ୟକ୍ରମ ମାଧ୍ୟମରେ ଜାତୀୟ ଓ ଆନ୍ତର୍ଜାତୀୟ ପର୍ୟ୍ୟଟକଙ୍କୁ ଆକର୍ଷିତ କରିବା ସହିତ ଏହା ମାଧ୍ୟମରେ କୋରାପୁଟର ଆଦିବାସୀ ଜୀବନଧାରା ଓ ପର୍ବତ ମାଳା ମଧ୍ୟରେ ଥିବା କୋରାପୁଟ ଅଞ୍ଚଳର ନୈସର୍ଗିକ ସୌନ୍ଦର୍ୟ୍ୟ ବିଶ୍ବ ଦରବାରରେ ଆଦୃତ ହୋଇପାରିବ ବୋଲି ସେ ଆଶା ପୋଷଣ କରିଛନ୍ତି ।ଏହା ମାର୍ଚ୍ଚ ଶେଷ ଯାଏ ଚାଲିବ ।