ଇସ୍ତାନବୁଲ : ତୁର୍କୀ ଓ ସିରିଆରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୪୦୦୦ ଟପିଯାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତୁର୍କୀରେ ଏଯାବତ୍ ୪୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। କ୍ରମାଗତ ୩ଟି ବଡ଼ଧରଣର ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି ତୁର୍କୀ। ସେଠାକାର ୯ଟି ପ୍ରଦେଶ ସଂପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି। ୩୦ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସୁଦ୍ଧା ବହୁ ଲୋକ ଧ୍ବଂସସ୍ତୂପ ତଳେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଜୋର୍ସୋର୍ରେ ଉଦ୍ୟମ ଜାରି ରହିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଇତିମଧ୍ୟରେ ସିରିଆ ସରକାର ଅନ୍ତଃରାଷ୍ଟ୍ରୀୟ ସହାୟତା ପାଇଁ ନିବେଦନ କରିଛନ୍ତି। ଏହାସହ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ତୁର୍କୀ ସରକାର।
ସୂଚନାଯୋଗ୍ୟ ଯେ, ଗତକାଲି ତୁର୍କୀରେ ୧୦ ଘଣ୍ଟା ମଧ୍ୟରେ ତିନି ତିନିଟି ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ୯ଟି ପ୍ରଦେଶ ସଂପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି। ଗତ ୮୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର କୁହାଯାଉଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ସହର ନିଶ୍ଚିହ୍ନ ହୋଇଯାଇଛି। ୩ ହଜାରରୁ ଅଧିକ ବିଶାଳକାୟ ଅଟ୍ଟାଳିକାମାନ ଧ୍ବଂସସ୍ତୂପରେ ପରିଣତ ହୋଇଛି। ହଜାର ହଜାର ଲୋକ ଧ୍ବଂସସ୍ତୂପ ତଳେ ଏବେ ବି ଦବି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏହି ବିପର୍ଯ୍ୟୟ ଯୋଗୁଁ ପଡ଼ୋଶୀ ଦେଶ ସିରିଆର ବ୍ୟାପକ ଅଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତୁର୍କୀ ଓ ସିରିୟାରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏଥିସହ ବର୍ଷା ଓ ବରଫପାତ ମଧ୍ୟ ହେଉଛି। ଭୂମିକମ୍ପ ଲୋକଙ୍କ ଦୁର୍ଦ୍ଦଶାକୁ ଏହା ଆହୁରି ବଢ଼ାଇ ଦେଇଛି।
ବରଫପାତ ସହିତ ଏକାଧିକ ଭୂମିକମ୍ପ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଛି। ଭାରତ ସମେତ ଅନେକ ଦେଶ ତୁର୍କୀ ଏବଂ ସିରିଆକୁ ସହାୟତା ପଠାଇବା ଆରମ୍ଭ କରିଛନ୍ତି। ତୁର୍କୀର ଯେଉଁ ୯ଟି ପ୍ରଦେଶ ଧ୍ବଂସସ୍ତୂପ ପାଲଟିଛି ସେଗୁଡ଼ିକ ହେଲା ଗାଜିଆନଟେପ, ସାନଲି ଉର୍ଫା, ଦିୟାରବକିର, ଅଦାନା, ଆଦିଆମାନ, ମାଲାତ୍ୟା, ଓଷମାନିଏ, ହାତେ ଏବଂ କିଲିସ। ସେହିଭଳି ସିରିଆର ଚାରିଟି ପ୍ରଦେଶ ଆଲେପୋ, ଲଟାକିଆ, ହାମା ଏବଂ ତତୁର୍ସ ମଧ୍ୟ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଗତକାଲି ଭୋର ସମୟରେ ପ୍ରଥମ କମ୍ପନ ଅନୁଭୂତ ହୋଇଥିଲା। ରିଚର ସ୍କେଲରେ ଏହାର ତୀବ୍ରତା ଥିଲା ୭.୮। ସନ୍ଧ୍ୟା ବେଳେ ପୁଣି ଦୁଇଟି ଭୂକମ୍ପ। ଥରି ଉଠିଥିଲା ସମଗ୍ର ଅଞ୍ଚଳ। ତୀବ୍ରତା ଥିଲା ୭.୫ ଏବଂ ୬। ପ୍ରଥମ ଭୂମିକମ୍ପର କେନ୍ଦ୍ରସ୍ଥଳ ତୁର୍କୀର ଗାଜିଆନ୍ତିପ ପ୍ରଦେଶର ନୁରଡାଗିର ପୂର୍ବରେ ୨୩ କିମି ଦୂର ଏବଂ ୨୪.୧ କିମି ଗଭୀରରେ ଥିଲା ବୋଲି ଆମେରିକା ଭୂତତ୍ତ୍ବ ବିଜ୍ଞାନ ସର୍ଭେ (ୟୁଏସଜିଏସ) ପକ୍ଷରୁ କୁହାଯାଇଛି। ପ୍ରଥମ ଭୂମିକମ୍ପର ପ୍ରାୟ ୯ ଘଣ୍ଟା ପରେ ୭.୫ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂମିକମ୍ପ ସନ୍ଧ୍ୟା ବେଳେ ଅନୁଭୂତ ହୋଇଛି।
୧୯୩୯ ମସିହାରେ ଏହି ସମାନ ମାତ୍ରାର ଶକ୍ତିଶାଳୀ ଭୂମିକମ୍ପ ହେବା ଯାଗୁଁ ୩୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଭଳି ତୀବ୍ରତାର ଭୂମିକମ୍ପ ପ୍ରାୟ ବିରଳ। ଗତ ୨୫ ବର୍ଷ ମଧ୍ୟରେ ତୁର୍କୀରେ ୭.୦ ତୀବ୍ରତା କିମ୍ବା ତାହାଠାରୁ ଅଧିକ ମାତ୍ରାର ଭୂମିକମ୍ପ ହୋଇଛି। କିନ୍ତୁ ସୋମବାରର ଭୂମିକମ୍ପ ହେଉଛି ସବୁଠୁ ଶକ୍ତିଶାଳୀ। ଭୂଗର୍ଭ ଶିଳାରେ ପରିବର୍ତ୍ତନ ଯୋଗୁ ଏଭଳି ଭୂମିକମ୍ପ ହୋଇଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ଦେଶର ବିଭିନ୍ନ ଭାଗରୁ ସ୍ବେଚ୍ଛାସେବୀମାନଙ୍କୁ ପଠାଯାଇଛି ବୋଲି ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଲେମାନ ସୋୟଲୁ କହିଛନ୍ତି। ୟୁରୋପୀୟ ସଂଘର ଏମର୍ଜେନ୍ସି ରେସପନ୍ସ କୋର୍ଡିନେସନ ସେଣ୍ଟର (ଇଆରସିସି) ଜରିଆରେ ଅନ୍ତର୍ଜାତୀୟ ସହାୟତା ଲୋଡ଼ାଯାଇଛି। ତୁର୍କୀର ସବୁଠୁ ବଡ଼ ସହର ଇସ୍ତାନବୁଲରୁ ପାଖାପାଖି ୧୦୦୦ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି।
ପଶ୍ଚିମ ଏସିଆରେ ଭୟାବହ ସିରିଜ୍ ଭୂମିକମ୍ପ: ତୁର୍କୀରେ ୧୫୦୦, ସିରିୟାରେ ୮୦୦ ମୃତ