ଗିଲଙ୍ଗ: ପୂର୍ବତନ ଚାମ୍ପିଅନ୍ ଶ୍ରୀଲଙ୍କା ଚଳିତ ଟି-୨୦ ବିଶ୍ୱକପ୍ରୁ ବାଦ୍ ପଡ଼ିବା ବିପଦଌାରି ରହିଛି । ୟୁଏଇ ବିପକ୍ଷରେ ଏକତରଫା ବିଜୟ ପରେ ମଧ୍ୟ ଏହାର ଚାଲେଞ୍ଜ୍ କମ୍ ହୋଇନାହିଁ ଏବଂ ଏବେ ସୁପର୍ ୧୨ ପର୍ଯ୍ୟାୟରେ ପହଞ୍ଚିବା ନିମନ୍ତେ ଟିମ୍କୁ ଯେପରି ହେଉ ଗ୍ରୁପ୍-ଏ’ରେ ନିଜର ଅନ୍ତିମ ମ୍ୟାଚ୍ରେ ନେଦରଲାଣ୍ଡ୍ସକୁ ହରାଇବାକୁ ପଡ଼ିବ । ତେବେ ଏହି ନିର୍ଣ୍ଣାୟକ ମ୍ୟାଚ୍ ପୂର୍ବରୁ ଟିମ୍କୁ ବଡ଼ ଧକ୍କା ଲାଗିଛି। ୟୁଏଇ ବିପକ୍ଷ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବା ସହ ୩ଟି ୱିକେଟ୍ ହାସଲ କରିଥିବା ଷ୍ଟାର୍ ଫାଷ୍ଟ୍ ବୋଲର୍ ଦୁଷ୍ମନ୍ତ ଚମିରା ଅନ୍ତିମ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି ।
ମଙ୍ଗଳବାର ୟୁଏଲଇ ବିପକ୍ଷରେ ବୋଲିଂ ବେଳେ ତାଙ୍କ ଜଙ୍ଘର ମାଂସପେଶୀରେ ଆଘାତ ଲାଗିଥିଲା, ଯାହା ଫଳରେ ସେ ନିଜର ଅନ୍ତିମ ଓଭର୍ ପୂରା କରିପାରି ନଥିଲେ ଏବଂ ମ୍ୟାଚ୍ ମଝିରୁ ତାଙ୍କୁ ପଡ଼ିଆରୁ ବିଦାୟ ନେବାକୁ ପଡ଼ିଥିଲା । ଏକ ରିପୋର୍ଟ ଅନୁସାରେ ମଙ୍ଗଳବାର ମ୍ୟାଚ୍ରେ ଶ୍ରୀଲଙ୍କା ମେଡିକାଲ୍ ଟିମ୍ର ପ୍ରଫେସର ଅର୍ଜୁନ ଡିସିଲ୍ଭା ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍ରୁ ଚମିରା ବାଦ୍ ପଡ଼ିଥିବା ସ୍ପଷ୍ଟ କରିଛନ୍ତି । ଏହା ସହିତ ଚମିରା ପୂରା ଟୁର୍ଣ୍ଣାମେଣ୍ଟ୍ରୁ ବାଦ୍ ପଡ଼ିପାରନ୍ତି ବୋଲି ସେ ଆଶଙ୍କାବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ, ଚମିରାଙ୍କ ପୂର୍ବରୁ ଶ୍ରୀଲଙ୍କା ଯୁବ ଫାଷ୍ଟ୍ ବୋଲର୍ ଦିଲଶାନ୍ ମଦୁଶଙ୍କା ମଧ୍ୟ ଆହତ କାରଣରୁ ବାଦ୍ ପଡ଼ିଥିଲେ । ସେ ନାମ୍ବିୟା ବିପକ୍ଷ ମ୍ୟାଚ୍ ମଧ୍ୟ ଖେଳିପାରି ନଥିଲେ ଏବଂ ତାଙ୍କୁ ପୂରା ଟୁର୍ଣ୍ଣାମେଣ୍ଟ୍ରୁ ବାହାର ହେବାକୁ ପଡ଼ିଥିଲା ।