କଟକ: ସୋମବାରଠାରୁ ହାଇକୋର୍ଟରେ ଦୁର୍ଗାପୂଜା ଅବକାଶ ଆରମ୍ଭ ହୋଇଛି । ଆଜି ଓ ଆସନ୍ତାକାଲି ଛୁଟି ଦିନ ରହିଥିବାରୁ ଶନିବାର ଥିଲା ହାଇକୋର୍ଟରେ ଶେଷ କାର୍ଯ୍ୟ ଦିବସ । ଦୁର୍ଗା ପୂଜା ଅବକାଶ ଅକ୍ଟୋବର ୨୪ ତାରିଖରେ ଶେଷ ହେବ । ଅକ୍ଟୋବର ୨୫ରେ କୋର୍ଟ ଖୋଲିବ । ତେବେ ଏହି ଅବଧି ମଧ୍ୟରେ କେବଳ ଅତି ଜରୁରୀ ମାମଲାର ପରିଚାଳନା ନିମନ୍ତେ ୩ ଦିନ ଅବକାଶକାଳୀନ ଖଣ୍ଡପୀଠ ବସିବ । ଅବକାଶକାଳୀନ ଖଣ୍ଡପୀଠରେ ହାଇବ୍ରିଡ୍ ମୋଡ୍ରେ ମାମଲାର ଶୁଣାଣି କରାଯିବ ।
ଅକ୍ଟୋବର ୧୧, ୧୮ ଓ ୨୧ ତାରିଖରେ ଅବକାଶକାଳୀନ ଖଣ୍ଡପୀଠରେ ମାମଲଶର ଶୁଣାଣି ହେବ । ଅକ୍ଟୋବର ୧୧ ତାରିଖରେ ଅବକାଶକାଳୀନ ଖଣ୍ଡପୀଠରେ ହାଇକୋର୍ଟର ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ଓ ବିଚାରପତି ସାବିତ୍ରୀ ରଥ ଶୁଣାଣି କରିବେ । ଅକ୍ଟୋବର ୧୮ ତାରିଖରେ ବିଚାରପତି ବିଶ୍ୱଜିତ ମହାନ୍ତି ଓ ବିଚାରପତି କେ.ଆର.ମହାପାତ୍ର ଅବକାଶକାଳୀନ ଖଣ୍ଡପୀଠରେ ମାମଲାର ଶୁଣାଣି କରିବେ । ଅକ୍ଟୋବର ୨୧ରେ ମୁଖ୍ୟ ବିଚାରପତି ଡ.ଏସ.ମୁରଲୀଧର ଓ ଜଷ୍ଟିସ୍ ବି.ପି.ରାଉତରାୟ ମାମଲାର ଶୁଣାଣି କରିବେ । ଅକ୍ଟୋବର ୧୧, ୧୬, ୧୮, ୨୧ ଓ ୨୨ ତାରିଖରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ ।