କୋଲକାତା: ଚଳିତ ଡୁରାଣ୍ଡ୍ କପ୍ରେ ଏଫ୍ସି ବେଙ୍ଗାଲୁରୁ ୟୁନାଇଟେଡ୍ (ଏଫ୍ସିବିୟୁ) ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଦଳ ସୋମବାର ସ୍ଥାନୀୟ କଲ୍ୟାଣୀ ଷ୍ଟାଡିୟମ୍ଠାରେ ସିଆରପିଏଫ୍ ଫୁଟବଲ୍ କ୍ଲବ୍ (ସିଆରପିଏଫ୍ଏଫ୍ସି) ସହ ଖେଳିଥିବା ବେଳେ ଏଥିରେ ୧-୦ରେ ବିଜୟୀ ହୋଇଛି । ଏହି ରୋମାଞ୍ଚକର ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଉଭୟ ଦଳ ଗୋଲ୍ ଖାତା ଖୋଲିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଥିଲେ ହେଁ ଗୋଲକିପର୍ ବେଶ୍ ସଜାଗ ଥିବାରୁ ଏହା ସମ୍ଭବପର ହୋଇପାରି ନ ଥିଲା । ଫଳସ୍ୱରୂପ ପ୍ରଥମାର୍ଦ୍ଧଟି ଗୋଲ୍ଶୂନ୍ୟ ଭାବେ ଶେଷ ହୋଇଥିଲା । ଦ୍ୱିତୀୟାର୍ଦ୍ଧରେ ମାଞ୍ଜିଙ୍କ ଗୋଲ୍ ବଳରେ ଏଫ୍ସିବିୟୁ ୧-୦ରେ ଆଗୁଆ ରହିଥିଲା ।
୬୩ତମ ମିନିଟ୍ରେ ଅସରଫ୍ ମଣ୍ଡଳ ସିଆରପିଏଫ୍ର ରକ୍ଷଣପନ୍ଥୀ ଖେଳାଳିଙ୍କୁ ମାତ୍ ଦେଇ ମାଞ୍ଜି ଏହି ଗୋଲ୍ଟି ସ୍କୋର୍ କରିଥିଲେ । ୭୧ତମ ମିନିଟ୍ରେ ମାଞ୍ଜି ସାଥୀ ଖେଳାଳି ଲୁକା ମାଜସେନ୍ଙ୍କୁ ଏକ ପାସ୍ ଦେଇଥିବା ବେଳେ ଏହାକୁ ଡି’ ଭିତରେ ସିଆରପିଏଫ୍ ଏଫ୍ସି ଗୋଲ୍କିପର୍ ହାତରେ ଧରିପକାଇବା ଫଳରେ ତାଙ୍କୁ ରେଫରି ରେଡକାର୍ଡ ଦେଇଥିଲେ ।
ଶେଷ ମୁହୂର୍ତ୍ତରେ ସିଆରପିଏଫ୍ଏଫ୍ସିକୁ ଏକ ଫ୍ରିକିକ୍ ମିଳିଥିଲେ ମଧ୍ୟ ଦଳ ତା ‘ର ଫାଇଦା ନେଇପାରି ନ ଥିଲା । ବରଂ ଏଫ୍ସିବିୟୁ ପକ୍ଷରୁ ସଞ୍ଜୁ ପ୍ରଧାନଙ୍କ ପାଖରେ ଅଗ୍ରଣୀକୁ ଦୁଇଗୁଣ କରିବାରା ସୁଯୋଗ ରହିଥିଲା । ଅବଶ୍ୟ ଏହାକୁ ପ୍ରତିପକ୍ଷ ଗୋଲ୍କିପର୍ ସେଭ୍ କରିଥିଲେ । ଏଫ୍ସିବିୟୁ ତା ‘ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୯ ତାରିଖରେ ଭାରତୀୟ ବାୟୁସେନା ବିପକ୍ଷରେ ଖେଳିବ ।