ବେଙ୍ଗାଲୁର: ଚଳିତ ଦୁଲୀପ ଟ୍ରଫି ଫାଇନାଲ୍ରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଗତ ବର୍ଷର ରନର୍ସଅପ୍ ସାଉଥ୍ ଜୋନ୍ ମୋଟ ୨୪୮ ରନ୍ରେ ଆଗୁଆ ରହିଛି । ପ୍ରଥମ ଇନିଂସରେ ୨୧୩ ରନ୍ କରିବା ପରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ୱେଷ୍ଟ୍ ଜୋନ୍ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୭ ୱିକେଟ୍ ହରାଇ ମାତ୍ର ୧୨୯ ରନ୍ କରିଥିଲା । ତୃତୀୟ ଦିନରେ ଶୁକ୍ରବାର ସାଉଥ୍ ଜୋନ୍ର ଡାହାଣହାତୀ ପେସର୍ ବିଦ୍ୱତ୍ କାଭେରପ୍ପା ଅବଶିଷ୍ଟ ୩ଟି ୱିକେଟ୍ ନେବା ଫଳରେ ୱେଷ୍ଟ୍ ଜୋନ୍ର ପ୍ରଥମ ଇନିଂସ ମାତ୍ର ୧୪୬ ରନ୍ରେ ସମାପ୍ତ ହୋଇଥିଲା । ଫଳସ୍ୱରୂପ ସାଉଥ୍ ଜୋନ୍କୁ ୬୭ ରନ୍ର ଅଗ୍ରଣୀ ମିଳିଥିଲା । ଏହାପରେ ଦଳ ତୃତୀୟ ଦିନରେ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରି ଷ୍ଟମ୍ପ୍ସ ଅପସାରଣ ବେଳକୁ ୭ ୱିକେଟ୍ ହରାଇ ୧୮୧ ରନ୍ କରିଛି ।
ଶୁକ୍ରବାର ସକାଳେ ୱେଷ୍ଟ୍ ଜୋନ୍ର ଅତୀତ ଶେଠ୍ (୫) ଓ ଧର୍ମେନ୍ଦ୍ରସିଂହ ଜାଡେଜା (୪) ପୂର୍ବ ଦିନର ସ୍କୋର୍ ୧୨୯/୭ରୁ ଖେଳ ଆରମ୍ଭ କରିଥିଲେ । ଜାଡେଜା ୬ ରନ୍ କରି ଆଉଟ୍ ହେବା ପରେ ଅତୀତ ୧୨ ରନ୍ ଏବଂ ଅର୍ଜନ୍ ନଗସୱାଲା ଖାତା ଖୋଲିବା ପୂର୍ବରୁ ବିଦାୟ ନେବା ଫଳରେ ୱେଷ୍ଟ୍ ଜୋନ୍ର ପ୍ରଥମ ଇନିଂସ ସମାପ୍ତ ହୋଇଥିଲା । କାଭେରପ୍ପା ତାଙ୍କର ୭ ୱିକେଟ୍ର ସଫଳତା ପାଇଁ ମାତ୍ର ୧୯ ଓଭର୍ ନେଇଥିଲେ, ଯେଉଁଥିରେ ସେ ୫୩ ରନ୍ ବ୍ୟୟ କରିଥିଲେ । ଏହା ତାଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ୍ର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହାଛଡ଼ା ବିଜୟକୁମାର ବିଶକ୍ ୨ଟି ଓ ବାସୁକି କୌଶିକ୍ ଗୋଟିଏ ୱିକେଟ୍ ନେଇଥିଲେ ।
ସାଉଥ୍ ଜୋନ୍ ସ୍କୋର୍କୁ ୧୮୧/୭ରେ ପହଞ୍ଚାଇବାରେ ଅଧିନାୟକ ହନୁମା ବିହାରୀ, ରିକି ଭୁଇ ଓ ଓପନର ମୟଙ୍କ ଅଗରୱାଲ୍ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ବିହାରୀ ୭ଟି ଚୌକା ସହ ୪୨, ଭୁଇ ୪ଟି ଚୌକା ଜରିଆରେ ୩୭ ଓ ମୟଙ୍କ ୭ଟି ଚୌକା ମାଧ୍ୟମରେ ୩୫ ରନ୍ର ଯୋଗଦାନ ଦେଇଥିଲେ । ଏହାଛଡ଼ା ସଚିନ୍ ବେବି ମଧ୍ୟ ୪ଟି ଚୌକା ସହ ୨୮ ରନ୍ କରିଥିଲେ । ଦିନର ଖେଳ ଶେଷ ବେଳକୁ ୱାଶିଂଟନ୍ ସୁନ୍ଦର ୧୦ ଓ ବିଶକ୍ ୧ ରନ୍ କରି ଅପରାଜିତ ଅଛନ୍ତି । ୱେଷ୍ଟ୍ ଜୋନ୍ର ନଗସୱାଲା, ଅତୀତ ଓ ଜାଡେଜାଙ୍କୁ ୨ଟି ଲେଖାଏଁ ଏବଂ ଅନ୍ୟ ୱିକେଟ୍ଟି ଚିନ୍ତନ ଗାଜାଙ୍କୁ ମିଳିଛି ।