ବେଙ୍ଗାଲୁରୁ : ଆପିଇଏଲ୍ର ଆଗାମୀ ସଂସ୍କରଣ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍ସିବି) ଫାଫ୍ ଡୁ ପ୍ଲେସିସ୍ଙ୍କୁ ଶନିବାର ଟିମ୍ର କ୍ୟାପ୍ଟେନ୍ ନିଯୁକ୍ତ କରିଛି । ପ୍ରାୟ ଏକ ଦଶନ୍ଧି ଧରି ଟିମ୍ର ନେତୃତ୍ୱ ନେଇଆସିଥିବା ବିରାଟ କୋହଲି ଓହରି ଯିବା ପରେ ଡୁ ପ୍ଲେସିସ୍ଙ୍କୁ ଅନୁଭବୀ ଟିମ୍ ଏହି ଦାୟିତ୍ୱ ପ୍ରଦାନ କରିଛି । ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେଇସାରିଥିବା ସାଉଥ୍ ଆଫ୍ରିକାର ଏହି ପୂର୍ବତନ କ୍ୟାପ୍ଟେନ୍ଙ୍କୁ ଆର୍ସିବି ଗତ ମେଗା ଅକ୍ସନ୍ରେ ୭ କୋଟି ଟଙ୍କାରେ କିଣିଥିଲା ।
ସେ ପୂରା ସିଜନ୍ ଟିମ୍ ପାଇଁ ଉପଲବ୍ଧ ହେବେ । ଆର୍ସିବି ଅଧ୍ୟକ୍ଷ ପ୍ରଥମେଶ ମିଶ୍ରା ଓ ଡାଇରେକ୍ଟର କ୍ରିକେଟ୍ ଅପରେସନ୍ ମାଇକ୍ ହେସନ୍ ଏକ ଇଭେଣ୍ଟ୍ରେ ଡୁ ପ୍ଲେସିସ୍ଙ୍କୁ କ୍ୟାପ୍ଟେନ୍ କ୍ୟାପ୍ ପ୍ରଦାନ କରିଥିଲେ । ନେତୃତ୍ୱ ଦାୟିତ୍ୱ ମିଳିଥିବାରୁ ଡୁପ୍ଲେସିସ୍ ଟିମ୍ ମ୍ୟାନେଜମେଣ୍ଟକୁ କୃତଜ୍ଞତା ଜଣାଇଛନ୍ତି । ଆଇପିଏଲ୍ରେ ୧୦୦ ମ୍ୟାଚ୍ ଖେଳି ସାରିଥିବା ୩୭ ବର୍ଷୀୟ ଫାଫ୍ ୧୩୧ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ରେ ମୋଟ ୨୯୩୫ ରନ୍ ସ୍କୋର୍ କରିଛନ୍ତି । ଗତବର୍ଷର ବିଜୟୀ ଅଭିଯାନରେ ସେ ଚେନ୍ନାଇ ସୁପର୍ କିଙ୍ଗ୍ସ ପକ୍ଷରୁ ୬୩୩ ରନ୍ କରିଥିଲେ । ତିନିଥରର ରନର୍ସଅପ୍ ଆର୍ସିବି ମାର୍ଚ୍ଚ ୨୭ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।