ନୂଆଦିଲ୍ଲୀ : ବିମାନ ଯାତ୍ରା ସମୟରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଛନ୍ତି ତାଙ୍କ ନିକଟରେ ବସିଥିବା ଜଣେ ମଦ୍ୟପ ଯାତ୍ରୀ । ଗତ ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ନୂଆଦିଲ୍ଲୀ ଉଡାଣ କରିଥିବା ଏୟାର ଇଣ୍ଡିଆ ବିମାନ ଏଆଇ ୧୦୨ରେ ଏହି ଅଭାବନୀୟ ଘଟଣା ଘଟିଛି । ବିମାନ ମଧ୍ୟରେ ଅଭାବନୀୟ ଘଟଣା ଘଟିବାକୁ ଏୟାର ଇଣ୍ଡିଆ ସ୍ବୀକାର କରିଛି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏୟାର ଇଣ୍ଡିଆ ଅଭିଯୁକ୍ତ ମଦ୍ୟପ ବିମାନ ଯାତ୍ରୀ ଉପରେ ୩୦ଦିନର ବାସନ୍ଦାଦେଶ ଲାଗୁ କରିଛି। ବିମାନର ବିଜନେସ୍ କ୍ଲାସରେ ଏହି ଘଟଣା ଘଟିଥିଲା। ପୀଡିତା ବୟସ୍କ ମହିଳା ଜଣଙ୍କ ଘଟଣା ସମ୍ପର୍କରେ ବିମାନ କର୍ମଚାରୀଙ୍କୁ ଅବଗତ କରାଇଥିଲେ। ବିମାନ କର୍ମଚାରୀମାନେ ମହିଳା ଜଣଙ୍କୁ ପୋଷାକ ପରିବର୍ତ୍ତନ ନିମନ୍ତେ ହଳେ ପାଇଜାମା ଦେଇଥିଲେ। ମାତ୍ର ସେମାନେ ମଦ୍ୟପ ଯାତ୍ରୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ପରେ ମହିଳା ଜଣଙ୍କ ଏ ସମ୍ପର୍କରେ ଏୟାର ଇଣ୍ଡିଆର ମାଲିକ ତଥା ଟାଟାଗ୍ରୁପ୍ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କୁ ଜଣାଇଥିଲେ। ଚନ୍ଦ୍ରଶେଖରନଙ୍କୁ ଜଣାଇବା ପରେ ଅଭିଯୁକ୍ତ ଯାତ୍ରୀ ଉପରେ ୩୦ଦିନିଆ ବାସନ୍ଦାଦେଶ ଲାଗୁ କରାଯାଇଛି । ଘଟଣା ସମ୍ପର୍କରେ ପୁଲିସରେ ଅଭିଯୋଗ କରାଯାଇଛି। ଏହା ସହିତ ଡିଜିସିଏକୁ ମଧ୍ୟ ଅବଗତ କରାଯାଇଛି। ତଦନ୍ତ ପରେ ଅଭିଯୁକ୍ତ ଯାତ୍ରୀ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।