ନୂଆଦିଲ୍ଲୀ: ବଦଳିଲା ଡ୍ରାଇଭିଂ ଲାଇସେନ୍ସ ନିୟମ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମାବଳୀ ଘୋଷଣା କରାଯାଇଛି । ବର୍ତ୍ତମାନ ବେସରକାରୀ ସଂସ୍ଥାଗୁଡ଼ିକରେ ମଧ୍ୟ ହୋଇପାରିବ ଡ୍ରାଇଭିଂ ପରୀକ୍ଷା । ଏହି ନିୟମ ଆସନ୍ତା ଜୁନ୍ ୧ରୁ ଲାଗୁ କରାଯିବ । ଆବେଦନକାରୀମାନେ ସରକାରୀ ଆରଟିଓ ବଦଳରେ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ପରୀକ୍ଷା ଦେଇପାରିବେ । ଏହି ଅନୁଷ୍ଠାନଗୁଡିକ ଆସନ୍ତା ଜୁନ ପହିଲାରୁ ଲାଇସେନ୍ସ ଯୋଗ୍ୟତା ପାଇଁ ପରୀକ୍ଷା ପରିଚାଳନା ଏବଂ ପ୍ରମାଣପତ୍ର ପ୍ରଦାନ କରିବାକୁ ଅନୁମତି ପାଇପାରିବେ । ତେବେ ଏହି ନୂଆ ନିୟମରେ ପରିବେଶ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେଇଛି ପରିବହନ ବିଭାଗ ।
ନୂଆ ନିୟମରେ ୯,୦୦,୦୦୦ ପୁରୁଣା ସରକାରୀ ଯାନଗୁଡିକୁ ବନ୍ଦ କରିବାକୁ ଲକ୍ଷ୍ୟ ରଖିଛି ପରିବହନ ବିଭାଗ । ଏହା ସହ ନୂଆ ନିୟମରେ ଜରିମାନାକୁ କଠୋର କରାଯାଇଛି । ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ଜୋରିମାନା ୧୦୦୦ ରୁ ୨୦୦୦ ମଧ୍ୟରେ ରହିଛି । ଏହା ସହିତ, ଗାଡି ମାଲିକଙ୍କ ପଞ୍ଜୀକରଣ ବାତିଲ ହେବା ସହ ନାବାଳକ ଥିଲେ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଲାଇସେନ୍ସ ପାଇବାକୁ ଅଯୋଗ୍ୟ ରହିବେ । ଅନ୍ୟପଟେ ଆବେଦନକୁ ସରଳ କରିଛି ପରିବହନ ବିଭାଗ । ନୂଆ ଲାଇସେନ୍ସ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟେସନକୁ ମନ୍ତ୍ରଣାଳୟ ସହଜ କରିଛି ।