ମୟୁରଭଞ୍ଜ : ନଦୀରୁ ବାଲି ଚୋରା ଚାଲାଣ ହେଉଥିବା ନେଇ ଖବର ବିଭିନ୍ନ ସମୟରେ ପ୍ରସାରିତ ହେଉଛି। ହେଲେ ଖବରକୁ ହାଲକା ଭାବରେ ନେଇ ଚୋରା ଚାଲାଣକାରୀଙ୍କୁ ପ୍ରୋତ୍ସାହନ ଦେଉଛି ରାଜସ୍ବ ବିଭାଗ ଏବଂ ପ୍ରଶାସନ ବୋଲି ଅଭିଯୋଗ ହେଉଛି। ଯାହାର ପ୍ରମାଣ ପୋଲିସ ହାତରେ ଧରାପଡ଼ିଥିବା ଚୋରା ବାଲି ବୋଝେଇ ଡ଼ମ୍ପର। ମାତ୍ର ବାଲି ଚୋରା ଚାଲାଣ ରୋକିବା ଦିଗରେ ସକ୍ରିୟ ହୋଇଛି ମୋରଡ଼ା ଥାନା ପୋଲିସ। ନୂତନ ପୋଲ ନିର୍ମାଣ କରୁଥିବା କମ୍ପାନୀର ଡମ୍ପରରେ ବାଲି ଚୋରି କରି ନେଉଥିବା ଗାଡି ସିଳଦା ଠାରେ ଜବତ । ସୂଚନାଯୋଗ୍ୟ ମୋରଡା ବ୍ଲକ ଅଧିନ ଘୋଳମୁହାଁ ଠାରେ ବିଜୁସେତୁ ଯୋଜନାରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି । ପୋଲ ନିର୍ମାଣ କରୁଛି ଫୋରଚୁନ୍ କମ୍ପାନୀ ।
ପୋଲ ନିର୍ମାଣ ପାଇଁ ଆବଶ୍ୟକ ବାଲି ନିଲାମ ଘାଟରୁ ନ ଆଣି ମନଇଚ୍ଛା ନିଲାମ ହୋଇନଥିବା ନଦୀରୁ ବାଲି ଉଠାଇ ବ୍ୟବହାର କରୁଥିବାନେଇ ସାଧାରଣରେ ଅଭିଯୋଗ ହେଉଛି । ଏଭଳି କରିବା ଦ୍ଵାରା ଲାଭ ଉପରେ ଲାଭ ଉଠାଇବା ସଂପୃକ୍ତ ଠିକାଦାରର ଉଦ୍ଦେଶ୍ୟ ବୋଲି ଆଲୋଚନା ହେଉଛି।ଅପରପକ୍ଷରେ ଚୋର ଘର ସବୁଦିନେ ଅନ୍ଧାର ନ ଥାଏ ଭଳି ଘଟଣା ଦେଖିବାକୁ ମିଳିଛି।ଗତକାଲି ବିଳମ୍ବିତ ରାତିରେ ପୋଲ ନିର୍ମାଣ କରୁଥିବା ଫୋରଚୁନ୍ କମ୍ପାନୀ ଅଧିନରେ କାମ କରୁଥିବା ଡମ୍ପରରେ ଘୋଳମୁହାଁ ନଦୀରୁ ବେଆଇନ ଭାବରେ ବାଲି ଉଠାଇ ବାହାରକୁ ଚାଲାଣ କରୁଥିବା ଖବରପାଇ ମୋରଡା ଥାନା ପୋଲିସ ପହଞ୍ଚି ବାଲି ବୋଝେଇ ଡମ୍ପରକୁ ଅଟକାଇବାକୁ ଚେଷ୍ଟା କରିଥିଲା ବେଳେ ଗୋଟିଏ ଡମ୍ପର ଖସିପଳାଇଥିଲା । ତେବେ ପଛରେ ଆସୁଥିବା ଚୋରା ବାଲି ବୋଝେଇ ଡମ୍ପରକୁ ସିଳଦା ଠାରେ ମୋରଡା ପୋଲିସ ହାତରେ ଧରାପଡିଥିଲା । ପୋଲିସ ଚୋରା ବାଲି ବୋଝେଇ ଡମ୍ପରକୁ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରିଥିବା ଜଣାପଡିଛି । ଏନେଇ ମୋରଡା ଥାନା ପୋଲିସ ଏକ ମାମଲା ରୁଜୁ କରି ଡମ୍ପର ଡ୍ରାଇଭର କାର୍ତ୍ତିକ ରାଉତଙ୍କୁ କୋର୍ଟ ଚାଲାଣ କରିଛି ।