କନ୍ଧମାଳ : ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଅଧୂଷିତ ଅଞ୍ଚଳର ବିକାଶ ପାଇଁ ମାଳମାଳ ଯୋଜନା କରିଚାଲିଥିବା ବେଳେ ଏହି ସବୁ ସରକାରୀ ଯୋଜନା ଠିକ୍ ସମୟରେ ଠିକ୍ ଲୋକଙ୍କ ପାଖରେ ପହଞ୍ଚି ପାରୁନି । ଏଭଳି ଅନେକ ଯୋଜନା ସରକାରୀ ଉଦାସିନତା ଓ ରାଜନୈତିକ ଇଚ୍ଛାଶକ୍ତି ପାଇଁ କାର୍ଯ୍ୟକାରି ମଧ୍ୟ ହୋଇପାରୁନାହିଁ । ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ମୁଖ୍ୟାଳୟ ଠାରୁ ମାତ୍ର ଅଧକିଲୋମିଟର ଦୂରରେ ଥିବା ଫିରିଙ୍ଗିଆ ପଞ୍ଚାୟତର ଏକ ନମ୍ବର ୱାର୍ଡ କୁହାଯାଉଥିବା ଖଜୁରିପଡା ଗାଁରେ । ଦୀପତଳ ଅନ୍ଧାର ଭଳି ବ୍ଲକ୍ କାର୍ଯ୍ୟାଳୟଠାରୁ ମାତ୍ର ଅଧକିଲୋମିଟର ଦୁରରେ ଏହି ଗାଁ ଥିଲେ ସୁଦ୍ଧା ଗାଁରେ ଅନେକ ସମସ୍ୟା ଲାଗିରହିଥିବା ବେଳେ ବର୍ତମାନ ପିଇବା ପାଣିସମସ୍ୟା ଗ୍ରାମବାସୀ ଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ଶୃଷ୍ଟି ହୋଇଛି । ପାଣିଟୋପାଏ ପାଇଁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ୩୫୦ ରୁ ୪୦୦ ଲୋକସଂଖ୍ୟା ବିଶିଷ୍ଠ ଏହି ଗାଁରେ ପ୍ରାୟ ୭୦ ପରିବାର ବସବାସ କରିଆସୁଛନ୍ତି । ଗାଁ ପାଣିସମସ୍ୟା କୁ ଆଖିଆଗରେ ରଖି ପ୍ରାୟ ୧୦ ବର୍ଷତଳେ ଏହି ଗାଁରେ ଏକ ନଳକୂପ ଖନନ କରାଯାଇଥିଲା । ଗୋଟିଏ ମାତ୍ର ନଳକୂପ ଗ୍ରାମବାସୀଙ୍କ ପାଇଁ ଠିକ୍ ପରିମାଣରେ ପାଣି ଯୋଗାଇ ନପାରିବାରୁ ୨୦୨୦ ଡିସେମ୍ବର ମାସରେ ଏହି ଗାଁରେ ବ୍ଲକ୍ ପ୍ରଶାସନ ତରଫରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ ସୌରଚାଳିତ ପାଣିପ୍ରକଳ୍ପ ନିର୍ମାଣ କରାଗଲା ଓ ଆଗରୁ ଥିବା ନଳକୂପରୁ ଏହି ପ୍ରକଲ୍ପକୁ ପାଇପ ସଂଯୋଗ କରାଯାଇଥିଲା । ପାଣିଟୋପଏ ପାଇଁ ଦିନତମାମ ଗାଁ ର ମହିଳାଙ୍କୁ ଆଗରୁ ଥିବା ନଳକୂପ ନିକଟରେ ଜଗିବାକୁ ପଡୁଥିବା ବେଳେ ଉକ୍ତ ନଳକୂପରୁ ବାଲିଟିଏ ମାଣି ମାରିଲେ ଆଉ ବାଲଟିଏ ପାଣି ପାଇଁ ଦୁଇଘଣ୍ଟା ଅପେକ୍ଷା କରିବାକୁ ପଡୁଥିବା ଗାଁର ମହିଳାମାନେ ଅଭିଯୋଗ କରିଛନ୍ତି । ଗାଁର ପାଣି ସମସ୍ୟା ପାଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୈାଣଷି ସମାଧାନ ହୋଇପାରୁନଥିବା ବେଳେ ଏହି ପାଣି ସମସ୍ୟାକୁ ନେଇ ଗାଁରେ ଅସନ୍ତୋଷ ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହେଲେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗାଁର ରାଜେଶ ଦିଗାଳ, ଦେବରାଜ ଦିଗାଳ, ନିଳକଣ୍ଠ ଦିଗାଳ, ପ୍ରକାଶ ଦିଗାଳ, ଭୋଳାନାଥ ଦିଗାଳ, ନୟନି ଦିଗାଳ, ଲଳିତା ଦିଗାଳ, ବିନତି ଦିଗାଳ, ଦୁବୁଲି ଦିଗାଳ, ମିନା ଦିଗାଳଙ୍କ ସହ ଅନ୍ୟାନ୍ୟ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏହି ଗାଁର ପାଣି ସମସ୍ୟା ବିଷୟରେ ଫିରିଙ୍ଗିଆ ଗୋଷ୍ଟୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କୁ ପଚାରିବାରୁ ସମସ୍ୟାକୁ ସ୍ୱୀକାର କରିବା ସହ ନିର୍ବାଚନ ପରେ ଏହି ପାଣିସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।