25.1 C
Bhubaneswar
Wednesday, February 11, 2026
Homeଓଡିଶାଡ. କେ. ଲକ୍ଷ୍ମୀବାଇଙ୍କ ଜୀବନ ଏକ ଜୀବନ୍ତ ଇତିହାସ

ଡ. କେ. ଲକ୍ଷ୍ମୀବାଇଙ୍କ ଜୀବନ ଏକ ଜୀବନ୍ତ ଇତିହାସ

ବ୍ରହ୍ମପୁର: ଆଜିର ସମ୍ପତ୍ତି, ଖ୍ୟାତି ପ୍ରେରିତ ବ୍ୟକ୍ତିକେନ୍ଦ୍ରୀକ ସମାଜରେ ଡ଼. କେ. ଲକ୍ଷ୍ମୀବାଇଙ୍କ ମହାନ ମାନବୀୟ ଜୀବନ କାହାଣୀ ଓଡିଶାବାସୀଙ୍କ ମଧ୍ୟରେ ସୀମାବଦ୍ଧ ହେବା ଅନୁଚିତ । ଏହି କାହାଣୀ ଓଡ଼ିଶାର ସୀମା ଲଂଘି ତମାମ ଦେଶ ଓ ତମାମ ବିଶ୍ୱକୁ ସମ୍ପ୍ରସାରିତ ହେବା ଦରକାର । ୯୭ ବର୍ଷ ବୟସରେ ଉପନୀତ ଡ଼. କେ. ଲକ୍ଷ୍ମୀବାଇ ତାଙ୍କ ଜୀବନର ସମ୍ପୂର୍ଣ୍ଣ ସଞ୍ଚୟରୁ ପାଞ୍ଚ ଲକ୍ଷ କି ଦଶ ଲକ୍ଷ ନୁହଁ ଅବିଶ୍ୱସନୀୟ ୩.୪୦ କୋଟି ଟଙ୍କା ଏମ୍ସ ଭୁବନେଶ୍ୱରକୁ ଦାନ କରିଛନ୍ତି । ଏହି ଅର୍ଥ ସମ୍ପୂର୍ଣ୍ଣ ଭାବେ କ୍ୟାନ୍ସରରେ ପୀଡ଼ିତ ଗରିବ ଓ ଅସହାୟ ମହିଳାମାନଙ୍କ ଚିକିତ୍ସା ଏବଂ ଏହି ଘାତକ ରୋଗର ପ୍ରାରମ୍ଭିକ ସନ୍ଧାନ ପାଇଁ ବ୍ୟବହାର କରାଯିବ । ଦଶନ୍ଧି ଦଶନ୍ଧିର ତ୍ୟାଗ ଓ ପରିଶ୍ରମ ବଳରେ ଉପାର୍ଜିତ ଏହି ଅର୍ଥ କଦାପି ବ୍ୟର୍ଥ ଯିବନି ହଜାର ହଜାର କ୍ୟାନ୍ସର ପୀଡି଼ତଙ୍କ ଜୀବନରେ ଆଶାର ଆଲୋକ ନେଇ ଆସିବ ବୋଲି ଏହି ବର୍ଷିଆନ ଡାକ୍ତର ଆଶାବ୍ୟକ୍ତ କରିଛନ୍ତି । ଆଜି ଡ଼. ଲକ୍ଷ୍ମୀବାଇଙ୍କ ବ୍ରହ୍ମପୁରସ୍ଥିତ ନିବାସକୁ ଯାଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ତାଙ୍କ ଆଶୀର୍ବାଦ ନେବା ସହ “ସେ କେବଳ ଜଣେ ମାନବ ନୁହଁନ୍ତି; ସେ ଜଣେ ଜୀବନ୍ତ ଇତିହାସ” ବୋଲି ବର୍ଣ୍ଣନା କରିଛନ୍ତି ।

ବାସ୍ତବରେ, ଡ଼. ଲକ୍ଷ୍ମୀବାଇ ସାହସ, କରୁଣା ଓ ଅତୁଟ ସେବାର ଏକ ଅନନ୍ୟ ଆଦର୍ଶ । ୧୯୨୬ ମସିହାରେ, ଭାରତ ସ୍ୱାଧୀନତା ପ୍ରାପ୍ତି ବହୁ ପୂର୍ବରୁ ଜନ୍ମଗ୍ରହଣ କରିଥିବା ଏହି ମହିୟସୀ ମହିଳା, ତତ୍କାଳୀନ ସମାଜର ତମାମ ବାଧାବିଘ୍ନକୁ ଅତିକ୍ରମ କରି ସୁଦୂର ଯୁକ୍ତରାଷ୍ଟ୍ର ଆମେରିକାରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ—ଯାହା ସେହି ସମୟରେ ଭାରତୀୟ ମହିଳାମାନଙ୍କ ପାଇଁ ପ୍ରାୟ ଅକଳ୍ପନୀୟ ଥିଲା । ବିଦେଶର ସୁବିଧାଜନକ ଜୀବନକୁ ଚୟନ ନ କରି, ସେ ଦେଶକୁ ଫେରି ଆସିଥିଲେ ଏବଂ ଓଡ଼ିଶାର ସେ ସମୟର ଅନ୍ୟତମ ପଛୁଆ ଅଞ୍ଚଳରେ ମହିଳାମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ନିଜ ଜୀବନଙ୍କ ସମର୍ପିତ କରିଥିଲେ ।

ମାନବିକତା, ସେବା ଓ କରୁଣାର ସମ୍ମାନକୁ ସମ୍ପତ୍ତି ଠୁ ଅଧିକ ପ୍ରାଧାନ୍ୟ ଦେବାର ନିଷ୍ପତ୍ତି ସାଧାରଣ ନୁହଁ କେବଳ ଓ କେବଳ ଜଣେ ଅସାଧାରଣ ବ୍ୟକ୍ତିର ହୋଇପାରେ । ସେଭଳି ଜଣେ ମହିୟସୀ ମହିଳା ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ ଡ଼. ଲକ୍ଷ୍ମୀବାଇ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି । କେବଳ ରାଜ୍ୟର ନୁହଁଁ, ସମଗ୍ର ଦେଶର ସେ ହେଉଛନ୍ତି ଗର୍ବ ଓ ଗୌରବ । ତାଙ୍କର ଉଦାରତା କେବଳ ଦାନରେ ସୀମିତ ନୁହଁଁ; ଏହା ସମାଜ ପାଇଁ ଏକ ବିରାଟ ନୈତିକ ଦିଗଦର୍ଶନ ଓ ପ୍ରେରଣା ବୋଲି ସେ କହିଛନ୍ତି । “ଡ଼. ଲକ୍ଷ୍ମୀବାଇଙ୍କୁ ଭେଟିବା ମୋର ଦୀର୍ଘଦିନର ଆକାଂକ୍ଷା ଥିଲା। ଓଡ଼ିଶାର ମହିଳାମାନଙ୍କୁ ପୁନଶ୍ଚ ସୁଭଦ୍ରା ଯୋଜନା ଅନ୍ତର୍ଗତ ସହାୟତା ପ୍ରଦାନ କରିବା ପୂର୍ବରୁ ମୁଁ ତାଙ୍କର ଆଶୀର୍ବାଦ ଗ୍ରହଣ କରିଛି । ରାଜ୍ୟର ସମସ୍ତ ସୁଭଦ୍ରା ହିତାଧିକାରୀ ମା ମାନଙ୍କ ପାଇଁ ସେ ଚିରସ୍ଥାୟୀ ପ୍ରେରଣାର ଉତ୍ସ ସାଜିବେ” ବୋଲି ଶ୍ରୀମତୀ ପରିଡା ଆଶାବ୍ୟକ୍ତ କରିଛନ୍ତି । ଡ଼. ଲକ୍ଷ୍ମୀବାଇଙ୍କ ଜୀବନ ଯାତ୍ରା ଓଡ଼ିଶା ପାଇଁ ଗର୍ବ ଓ ଭାରତ ବର୍ଷ ପାଇଁ ଗୌରବ । ତାଙ୍କର ବଦାନ୍ୟତା ସବୁଦିନ ସ୍ମରଣୀୟ ହୋଇ ରହିବ ଏବଂ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇ ଆସିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking