ଢେଙ୍କାନାଳ: ଯୌତୁକ ନିର୍ଯାତନା ସହ ସ୍ତ୍ରୀକୁ ହତ୍ୟା କରିଥିବା ଘଟଣାର ବିଚାର କରି ଜିଲ୍ଲା ଦୌରାଜଜ ଶରତ କୁମାର ଦେହୁରୀ ଅଭିଯୁକ୍ତ ସ୍ୱାମୀ, ଶାଶୁ ଓ ଦିଅରଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଭଗତପୁର ଗ୍ରାମର ନିତ୍ୟାନନ୍ଦ ସାହୁ ତାଙ୍କ ଝିଅ ସୁମିତ୍ରାଙ୍କୁ ୨୦୧୫ ଜୁନରେ ନିହଲପ୍ରସାଦ ଟାଙ୍ଗରା ସାହିର କୈଳାସ ସାହୁଙ୍କ ସହ ବିବାହ କରାଇଥିଲେ । ବାହାଘର ସମୟରେ କୈଳାସ ସାହୁ ଓ ତାଙ୍କ ପରିବାର ଲୋକଙ୍କ ଦାବି ମୁତାବକ ନଗଦ ୫୦ହଜାର ଟଙ୍କା, ବାଇକ ପାଇଁ ୪୫ହଜାର ଟଙ୍କା, ସୁନା ଚେନ ସମେତ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ଦେଇଥିଲେ ।
ବିବାହର କିଛିଦିନ ପରେ ଆଉ ୫୦ ହଜାର ଟଙ୍କା ଆଣିବା ପାଇଁ ଦାବି କରି ବିଭିନ୍ନ ସମୟରେ ସୁମିତ୍ରାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା । ଏପରିକି ସୁମିତ୍ରା ଗର୍ଭବତୀ ଥିବା ସମୟରେ ସ୍ୱାମୀ କୈଳାସ, ଶାଶୁ ମାତାଜୀ ଓ ଦିଅର ପ୍ରକାଶ ତାଙ୍କୁ ମାରପିଟ୍ କରୁଥିଲେ । ସୁମତ୍ରାଙ୍କ ଦେହ ଖରାପ ହେବାରୁ ସେ ତାଙ୍କ ବାପା ନିତ୍ୟାନନ୍ଦଙ୍କୁ ସମସ୍ତ ଘଟଣା ବିଷୟରେ ଅବଗତ କରାଇଥିଲେ । ଏହାଜାଣି ନିତ୍ୟାନନ୍ଦ ଝିଅର ଶାଶୁଘରକୁ ଆସି ଡାକ୍ତରଖାନାରେ ଚିକିତ୍ସା କରାଇ କିଛିଦିନ ପାଇଁ ତାଙ୍କ ଘରକୁ ନେଇଯାଇଥିଲେ । କିଛିଦିନ ପରେ ନିତ୍ୟାନନ୍ଦ ଝିଅ ସୁମିତ୍ରାଙ୍କୁ ଶାଶୁଘରେ ଛାଡ଼ି ମାରପିଟ୍ ନକରିବା ପାଇଁ ଅନୁରୋଧ କରିଥିଲେ । ସୁବିଧା ଦେଖି ଦାବି ମୁତାବକ ଅର୍ଥ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
୧୮ା୮ା୨୦୧୬ରେ ନିତ୍ୟାନନ୍ଦ ଓ ତାଙ୍କ ପୁଅ ଝିଅର ଶାଶୁ ଘର ଟାଙ୍ଗରା ସାହିକୁ ବୁଲିବାକୁ ଆସିଥିଲେ । ସୁମିତ୍ରା କାନ୍ଦିକାନ୍ଦି ବାପା ଓ ଭାଇଙ୍କୁ ଦୁଇଦିନ ତଳେ ବାକିଆ ଟଙ୍କା ଆଣିବାପାଇଁ କହି ମାଡ଼ ମାରିଥିବା କଥା କହିଥିଲେ । ଏହାପରେ ନିତ୍ୟାନନ୍ଦ ପରିବାରବର୍ଗଙ୍କୁ ପୁଣିଥରେ ବୁଝାସୁଝା କରି କିଛିଦିନ ପରେ ବକେୟା ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇ ଚାଲିଯାଇଥିଲେ । ୩୧ା୮ା୨୦୧୬ରେ ନିତ୍ୟାନନ୍ଦ ଖବର ପାଇଲେ ଯେ, ଝିଅ ସୁମିତ୍ରାକୁ ଶାଶୁଘର ଲୋକେ ପୋଡ଼ି ମାରିଦେଇଛନ୍ତି । ସୁମିତ୍ରାଙ୍କ ବାପା ନିତ୍ୟାନନ୍ଦ ପରିବାର ସହ ନିହଲପ୍ରସାଦ ଟାଙ୍ଗର ସାହିକୁ ଆସି ସମସ୍ତ ଘଟଣା ଜାଣିବାପରେ ନିହଲପ୍ରସାଦ ଥାନାରେ ଅଭିଯୋଗ କରିଥିଲେ ।
ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ଘଟଣାର ଚାର୍ଜସିଟ ଦାଖଲ ହେବାପରେ ଜିଲ୍ଲା ଦୌରାଜଜ ଶରତ କୁମାର ଦେହୁରୀଙ୍କ ଅଦାଲତରେ ମାମଲା ବିଚାର ଚାଲିଥିଲା । ୧୮ଜଣଙ୍କ ସାକ୍ଷ୍ୟ ପ୍ରମାଣ, ଡାକ୍ତରୀ ରିପୋର୍ଟ, ସାଇଣ୍ଟିଫିକ ଅଫିସରଙ୍କ ରିପୋର୍ଟକୁ ଆଧାର କରି ଓ ପାରିପାଶ୍ୱର୍ିକ ବ୍ୟବସ୍ଥାକୁ ଭିତ୍ତିକରି ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଲେଖାଏ ଜୋରିମାନା ଧାର୍ଯ୍ୟ କରିଛନ୍ତି । ଜୋରିମାନା ଅର୍ଥ ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପି.ପି. ଗଣେଶ କୁମାର ବେହେରା ପରିଚାଳନା କରିଥିଲେ ।