ସିଇଏ ମୁଖ୍ୟଙ୍କୁ ପତ୍ର ଲେଖିଲେ ୫ ସାଂସଦ
ଭୋଟର ତାଲିକା ସାର୍ବଜନୀନ କରିବାକୁ ଦାବି
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପୂର୍ବରୁ ପାର୍ଟିରେ ଫାଟ ଦେଖାଦେଇଛି । ପାର୍ଟିର କେତେକ ବରିଷ୍ଠ ନେତା ଏହା ଉପରେ ନିଜ ନିଜ ମତ ରଖୁଥିବା ବେଳେ ଏବେ ପାଞ୍ଚଜଣ ସାଂସଦ ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ଅଥରିଟି (ସିଇଏ) ପ୍ରମୁଖ ମଧୁସୂଦନ ମିସ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଏହି ସାଂସଦମାନେ ପାର୍ଟି ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଏହି ସାଂସଦଙ୍କ ମଧ୍ୟରେ ମନୀଷ ତିୱାରୀ, ଶଶି ଥରୁର, କାର୍ତ୍ତି ଚିଦାମ୍ବରମ୍, ପ୍ରଦ୍ୟୁତ୍ ବୋରଦୋଲାଇ ଏବଂ ଅବ୍ଦୁଲ୍ ଖଲିକ୍ ସାମିଲ । ପାର୍ଟି ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନର ନିରପେକ୍ଷତାକୁ ନେଇ ଏହି ସାଂସଦମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ଭୋଟିଂରେ ଭାଗନେବାକୁ ଥିବା ଏବଂ ସମ୍ଭାବିତ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ପୂର୍ବରୁ କଂଗ୍ରେସ କମିଟିର ଡେଲିଗେଟ୍ଙ୍କ ତାଲିକା ଉପଲବ୍ଧ କରାଯାଉ ବୋଲି ସେମାନେ ମିସ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରିଛନ୍ତି । ସେମାନେ ଚିଠିରେ ଲେଖିଛନ୍ତି ଯେ ପାର୍ଟିର କୌଣସି ଆଭ୍ୟନ୍ତରୀଣ ଡକ୍ୟୁମେଣ୍ଟ୍ର କୌଣସି ପ୍ରକାରେ ଦୁରୁପଯୋଗ ହେଉ, ତାହା ସେମାନଙ୍କ ଉଦ୍ଦେଶ୍ୟ ନୁହେଁ ।
ତେବେ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ନିର୍ବାଚକ ମଣ୍ଡଳୀ (ଇଲେକ୍ଟୋରାଲ୍ କଲେଜ)ର ତାଲିକା ଭୋଟିଂରେ ଭାଗନେବାକୁ ଥିବା ଏବଂ ସମ୍ଭାବିତ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଉ ବୋଲି ସେମାନେ ମଧୁସୂଦନ ମିସ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଚିଠିରେ ଏହା ମଧ୍ୟ କୁହାଯାଇଛି ଯେ ଭୋଟର ଏବଂ ପ୍ରାର୍ଥୀ ସମସ୍ତ ୨୮ ପିସିସି ଏବଂ ୯ କେନ୍ଦ୍ରଶାସିତ ପ୍ରଦେଶର ଭୋଟର ଲିଷ୍ଟ ଭେରିଫାଏ କରିବେ ତାର ଆଶା କରାଯାଇନପାରେ । ନିର୍ବାଚକ ମଣ୍ଡଳରେ ସାମିଲ ପିସିସି ପ୍ରତିନିଧିଙ୍କ ସୂଚୀ ନିର୍ବାଚକଙ୍କୁ ଉପଲବ୍ଧ କରାଇବା ଫଳରେ ପ୍ରାର୍ଥୀଙ୍କର େକୌଣସି ପ୍ରକାର ଆଶଙ୍କା ଦୂର ହୋଇପାରିବ । ରିପୋର୍ଟ ଅନୁସାରେ ଏହି ଚିଠି ଭାରତ ଯୋଡ଼ୋ ଅଭିଯାନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ସେପ୍ଟେମ୍ବର ୬ ତାରିଖରେ ଲେଖାଯାଇଥିଲା । ପ୍ରଥମେ ସାଂସଦମାନେ ଏହି ତାଲିକା ସାର୍ବଜନୀନ କରିବାକୁ ଅନୁରୋଧ କରିଥିଲେ, ଯାହାକୁ ମିସ୍ତ୍ରୀ ରୋକ୍ଠୋକ୍ ମନା କରିଦେଇଥିଲେ ।
ଏହା ପୂର୍ବରୁ ମଧ୍ୟ ପାର୍ଟିର ବରିଷ୍ଠ ନେତା ଏବଂ ଜି-୨୩ର ସଦସ୍ୟ ମନୀଷ ତିୱାରୀ କଂଗ୍ରେସ ସଂଗଠନ ନିର୍ବାଚନର ନିରପେକ୍ଷକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଭୋଟର୍ ତାଲିକା ବିନାମ କଂଗ୍ରେସ ଅଧ୍ୟକ୍ଷ ପଦର ନିରପେକ୍ଷ ନିର୍ବାଚନ କିପରି ହେବ? ନିରପେକ୍ଷ ନିର୍ବାଚନ ପାଇଁ ଭୋଟର୍ଙ୍କ ନାମ ଓ ଠିକଣା କରାଯିବା ଉଚିତ ବୋଲି ସେ ଦାବି କରିଥିଲେ । ଭୋଟର୍ ଲିଷ୍ଟ୍ କଂଗ୍ରେସ ୱେବ୍ସାଇଟ୍ରେ ପାରଦର୍ଶିତା ସହ ପବ୍ଲିଶ୍ କରାଯିବା ଉଚିତ ବୋଲି ସେ ମିସ୍ତ୍ରୀଙ୍କୁ କହିଥିଲେ । ସେ କହିଥିଲେ, ନିରପେକ୍ଷ ନିର୍ବାଚନର ପ୍ରଥମ ସର୍ତ୍ତ ଭୋଟର୍ଙ୍କ ନାମ ଓ ଠିକଣା ସାମ୍ନାକୁ ଆଣିବା । ପାର୍ଟି ନେତା ଶଶି ଥରୁର୍ ଏବଂ କାର୍ତ୍ତି ଚିଦାମ୍ବରମ୍ ମଧ୍ୟ ଏହି ପ୍ରସଙ୍ଗରେ ନିଜ ମତ ରଖିସାରିଛନ୍ତି ।
ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅକ୍ଟୋବର ୧୭ ତାରିଖରେ ହୋଇ ୧୯ ତାରିଖରେ ଭୋଟ୍ ଗଣତି ହେବ । ନିର୍ବାଚନ କାର୍ଯ୍ୟକ୍ରମ ଅନୁସାରେ ସେପ୍ଟେମ୍ବର ୨୨ ତାରିଖରେ ନିର୍ବାଚନ ସମ୍ବନ୍ଧୀୟ ନୋଟିଫିକେସନ୍ ଜାରି କରାଯିବ । ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାର୍ôଥପତ୍ର ଦାଖଲ । ଯଦି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଜଣେ ପ୍ରାର୍ଥୀ ହୁଅନ୍ତି, ତେବେ ସେପ୍ଟେମ୍ବର ୩୦ ତାରିଖରେ ଫଳାଫଳ ଘୋଷଣା କରାଯିବ । ଅଗଷ୍ଟ ୨୯ ତାରିଖରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକ ପରେ କେନ୍ଦ୍ରୀୟ ନିର୍ବାଚନ ଅଥରିଟି ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ଏହି ସୂଚନା ଦେଇଥିଲେ ।