32.1 C
Bhubaneswar
Saturday, October 19, 2024
Homeଓଡିଶାମା’ର ସେବା ପାଇଁ ମିନାକ୍ଷୀଙ୍କ ପାଠପଢାରେ ପଡ଼ିଲା ଡୋରି

ମା’ର ସେବା ପାଇଁ ମିନାକ୍ଷୀଙ୍କ ପାଠପଢାରେ ପଡ଼ିଲା ଡୋରି

ମୋହନା : ମନରେ ପାଠ ପଢିବା ପାଇଁ ପ୍ରବଳ ଆଗ୍ରହ ଥିଲା । ପାଠ ପଢି ଭଲ ମଣିଷଟିଏ ହେବା ସହ ଖଣ୍ଡେ ଚାକିରୀ କରି ପରିବାର ପ୍ରତିପୋଷଣ ପାଇଁ ଦୃଢ଼ ଇଚ୍ଛା ଥିଲା । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ହଠାତ ମାଆ ଅଜଣା ରୋଗରେ ପୀଡିତ ହେଲେ । ମାଆଙ୍କ ସେବାପାଇଁ ପାଠ ପଢାରେ ଡୋରି ପଡିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କନ୍ଧ କଳାମେରୀ ଗ୍ରାମର ମିନାକ୍ଷୀ ନାୟକ(୨୨)ଙ୍କ କ୍ଷେତ୍ରରେ । ସବୁ ପିଲାଙ୍କ ପରି ମିନାକ୍ଷୀ ମଧ୍ୟ ସ୍ୱପ୍ନ ଦେଖିଥିଲା ପାଠ ପଢି ବଡ଼ ମଣିଷ ହେବ ଏବଂ ଚାକିରୀ ଖଣ୍ଡେ କରି ଗରିବିରୁ ଉଦ୍ଧାର ହେବ । ତାଙ୍କ ପରିବାର କହିଲେ ମାଆ ସାବିନା ନାୟକ ଏବଂ ନିଜେ ମିନାକ୍ଷୀ । ପୂର୍ବରୁ କୁଲି ମଜୁରୀ କରି ମାଆ ସାବିନା ଝିଅକୁ ପାଠ ପଢ଼ାଉଥିଲେ ।

ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ଗତ ୬ ବର୍ଷ ତଳେ ଅର୍ଥାତ ୨୦୧୭ ମସିହାରେ ହଠାତ ମାଆ ସାବିନାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା । ମିନାକ୍ଷୀ ବହୁ କଷ୍ଟରେ ଧାରଉଧାର କରି ବିଭିନ୍ନ ସ୍ଥାନରେ ମାଆଙ୍କୁ ଡାକ୍ତର ଦେଖାଇଲେ । କିନ୍ତୁ ଡାକ୍ତର ମଧ୍ୟ ରୋଗ ଚିହ୍ନି ପାରିଲେ ନାହିଁ । ଧୀରେ ଧୀରେ ସାବିନାଙ୍କ ସ୍ୱାସ୍ଥ୍ୟାବସ୍ତା ବିଗିଡିବାରେ ଲାଗିଲା । ବର୍ତ୍ତମାନ ସେ ଶଯ୍ୟାଶାୟୀ । ନିଜେ କୌଣସି କାର୍ଯ୍ୟ କରିବା ପାଇଁ ଅସମର୍ଥ । ତେଣୁ ତାଙ୍କ ସମସ୍ତ କାମ କରନ୍ତି ଝିଅ ମିନାକ୍ଷୀ କରୁଛନ୍ତି । ମାଆଙ୍କ ଯତ୍ନରେ ମିନାକ୍ଷୀ ଏମିତି ବାନ୍ଧି ହୋଇଗଲେ ଯେ ଶେଷରେ ତାଙ୍କୁ ପାଠ ଛାଡିବା ପାଇଁ ପଡିଲା । ୧୦ମ ପରେ ତାଙ୍କ ପାଠ ପଢ଼ାରେ ପଡିଗଲା ଡୋରି । ବର୍ତ୍ତମାନ ମିନାକ୍ଷୀ ମାଆଙ୍କ ସେବା କରିବା ସହ ସମୟ ମିଳିଲେ ମଜୁରୀ କରି ଦୁଇ ପଇସା ରୋଜଗାର କରନ୍ତି । କୁଲି କଲେ ହିଁ ତାଙ୍କ ଚୁଲି ଜଳେ ।

ସରକାରଙ୍କ ତରଫରୁ ଖଣ୍ଡେ ଆବାସ ଗୃହ ମିଳିଛି । କିନ୍ତୁ ତାହା ମଧ୍ୟ ଅଧପନ୍ତରିଆ । ମାଆ ସାବିନାଙ୍କୁ ୫୦୦ ଟଙ୍କାର ଭତ୍ତା ମିଳୁଥିଲା । କିନ୍ତୁ ତିନି ମାସ ହେଲା ତାହା ବନ୍ଦ ହୋଇଯାଇଛି । ମାସିକ ରାସନ ଚାଉଳ ମଧ୍ୟ ମିଳୁଛି । କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ । ତେଣୁ ବର୍ତ୍ତମାନ ଏହି ଅସହାୟ ମାଆ-ଝିଅଙ୍କୁ ଭରସା କେବଳ ସରକାରୀ ସହାୟତା । ସରକାର ସହାୟତା କଲେ ମିନାକ୍ଷୀ ପୁଣି ପାଠ ପଢିବ ଏବଂ ମା’ଙ୍କ ଚିକିତ୍ସା ମଧ୍ୟ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ଗ୍ରାମବାସୀ । ଏନେଇ ଆମ ପ୍ରତିନିଧି ମୋହନା ବିଡ଼ିଓ ତପସ୍ୱିନୀ ହାଁସଦାଙ୍କ ସହ ଯୋଗାଯୋଗ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ସାବିନାଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବା ସହ ପଞ୍ଚାୟତ ପକ୍ଷରୁ ମିନାକ୍ଷୀଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking