ମୋନାକୋ: ଚଳିତ ବର୍ଷ ପ୍ରାରମ୍ଭରେ ଭାରତର ମହିଳା ଡିସକସ୍ ଥ୍ରୋୟର୍ କମଲପ୍ରୀତ୍ କୌର୍ ଡୋପିଙ୍ଗ୍ ବିବାଦରେ ଫସି ୩ ବର୍ଷ ପାଇଁ ନିଲମ୍ବିତ ହୋଇଥିଲେ । ଏଥିସହ ସେ ଭାରତର ୬୨ତମ ଆଥଲେଟ୍ ଭାବେ ଏହି ବିବାଦରେ ଫସିଥିବା ନିକଟରେ ୱାର୍ଲ୍ଡ ଆଥଲେଟିକ୍ସର ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍ (ଏଆଇୟୁ) ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି । ଏହି ତଥ୍ୟ ଅନୁସାରେ, ଭାରତରେ ଅଦ୍ୟାବଧି ୬୨ ଜଣ ଆଥଲେଟ୍ ପ୍ରତିବନ୍ଧିତ ଔଷଧ ସେବନ କରିଥିବା ବେଳେ ବିଶ୍ୱରେ ଏହା ଦ୍ୱିତୀୟ ସର୍ବାଧିକ । ଏହି ସୂଚୀରେ ଶୀର୍ଷରେ ରହିଛି ରୁଷିଆ । ରୁଷିଆରେ ସର୍ବାଧିକ ୮୭ ଜଣ ଏହି ବିବାଦରେ ଫସିଥିବା ଜଣାପଡ଼ିଛି ।
ସେହିପରି ପ୍ରକାଶିତ ତଥ୍ୟରେ ମୋଟ ୪୭୩ ପ୍ରତିଯୋଗୀ ଡୋପିଙ୍ଗ୍ ମାମଲାରେ ଫସିଛନ୍ତି । ସୂଚୀରେ ତୃତୀୟ ସ୍ଥାନରେ କେନିଆ ରହିଛି, ଯେଉଁଠି ଏହି ସଂଖ୍ୟା ୫୭ ରହିଛି । ଅନ୍ୟପକ୍ଷରେ ଲିଙ୍ଗଭିତ୍ତିକ ଭେଦରେ ମହିଳାଙ୍କ ତୁଳନାରେ ଅଧିକ ସଂଖ୍ୟାରେ ପୁରୁଷ ପ୍ରତିବନ୍ଧିତ ଔଷଧ ସେବନ କରିଛନ୍ତି । ଭାରତରେ ମାତ୍ର ୧୭ ଜଣ ମହିଳା ଡୋପିଙ୍ଗ୍ ବିବାଦରେ ଫସିଥିବା ବେଳେ ପୁରୁଷଙ୍କ ସଂଖ୍ୟା ୪୫ ରହିଛି । ବିଶ୍ୱରେ ମୋଟ ୨୮୬ ଜଣ ପୁରୁଷ ପ୍ରତିଯୋଗୀ ରହିଛନ୍ତି ଯେଉଁମାନେ ଡୋପିଙ୍ଗ୍ ବିବାଦରେ ଦଣ୍ଡାଦେଶର ଶିକାର ହୋଇଛନ୍ତି । ସେହିପରି ବିଶ୍ୱରେ ପ୍ରତିବନ୍ଧିତ ଔଷଧ ସେବନ କରିଥିବା ମହିଳ ଆଥଲେଟଙ୍କ ସଂଖ୍ୟା ୧୮୮ ରହିଛି ।
ତେବେ କେଉଁ ଇଭେଣ୍ଟ୍ରେ ସର୍ବାଧିକ ପ୍ରତିଯୋଗୀ ନିଜର କ୍ଷମତା ବଢ଼ାଇବା ସକାଶେ ଭୁଲ୍ ବାଟ ବାଛିଛନ୍ତି, ସେହି ତଥ୍ୟକୁ ଦେଖିଲେ ଲଙ୍ଗ୍ ଡିଷ୍ଟାନ୍ସ ରନିଂ ଅର୍ଥାତ୍ ମାରାଥନ୍ ସବୁଠାରୁ ଆଗରେ ରହିଛି । ନିୟମ ଭଙ୍ଗ କରିଥିବା ଆଥଲେଟ୍ଙ୍କ ମଧ୍ୟରୁ ୩୩ ପ୍ରତିଶତ ମାରାଥନର୍ ରହିଛନ୍ତି । ସେହିପରି ୨୩ ପ୍ରତିଶତ ଶର୍ଟ ଡିଷ୍ଟାନ୍ସ ରନର୍ ରହିଥିବା ବେଳେ ମାତ୍ର ୧୦ ପ୍ରତିଶତ ମିଡଲ୍ ଡିଷ୍ଟାନ୍ସ ରନର୍ ରହିଛନ୍ତି । ଥ୍ରୋ ଓ ଜମ୍ପ୍ ଆଦି ଇଭେଣ୍ଟ୍ ସହ ଜଡ଼ିତ ଆଥଲେଟ୍ଙ୍କ ସଂଖ୍ୟା ମୋଟ ସଂଖ୍ୟାର ୫ ପ୍ରତିଶତରୁ ବି କମ୍ ରହିଛି । କମଲପ୍ରୀତ୍ଙ୍କ ଇଭେଣ୍ଟ୍ରେ ବିଶ୍ୱରେ ମାତ୍ର ୯ ଜଣ ଆଥଲେଟ୍ ବାସନ୍ଦ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭାରତରେ ମାତ୍ର ୨ ଜଣ ରହିଛନ୍ତି । ଏହାଛଡ଼ା ଦଣ୍ଡ ବିଧାନ କ୍ଷେତ୍ରରେ ଭାରତରେ ଶର୍ଟ ଡିଷ୍ଟାନ୍ସ ରନର୍ମାନେ ଆଗରେ ରହିଛନ୍ତି ।
୬୨ ଜଣ ଆଥଲେଟ୍ଙ୍କ ମଧ୍ୟରୁ ୨୧ ଜଣ ଶର୍ଟ ଡିଷ୍ଟାନ୍ସ ରନର୍ଙ୍କୁ ଦଣ୍ଡବିଧାନ ହୋଇଛି । ଅନ୍ୟପକ୍ଷରେ ବିଶ୍ୱରେ ୩୬ ଜଣ ଆଥଲେଟ୍ଙ୍କୁ ବେନିୟମ ପଦ୍ଧତି ଅବଲମ୍ବନ କାରଣରୁ ଆଜୀବନ ବାସନ୍ଦ କରାଯାଇଥିବା ତଥ୍ୟରେ ଉଲ୍ଲେଖ ରହିଛି । ଏଥିରେ ଭାରତର ହାମର୍ ଥ୍ରୋ’ ପ୍ରତିଯୋଗୀ ଜିତେନ୍ଦର ସିଂହ ରହିଛନ୍ତି, ଯିଏକି ଦ୍ୱିତୀୟ ଥର ପାଇଁ ଦୋଷୀ ସାବ୍ୟସ୍ତ ହେବା ପରେ ଆଜୀବନ ବାସନ୍ଦ ହୋଇଛନ୍ତି । ସେହିପରି ପ୍ରତିବନ୍ଧିତ ଔଷଧ ସେବନ କ୍ଷେତ୍ରରେ ଇପିଓ ଆଗରେ ରହିଛି । ବିଶ୍ୱର ୪୧ ଜଣ ଆଥଲେଟ୍ ଏହି ପ୍ରତିବନ୍ଧିତ ଔଷଧ ସେବନ କରିଛନ୍ତି, ଯେଉଁଥିରେ ଭାରତର ୩ ଜଣ ଆଥଲେଟ୍ ସାମିଲ୍ ।