ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମକୁ ଏବେ ପୋଷା ଓ ବୁଲାକୁକୁର ଚିନ୍ତା ଘାରିଛି । ରାଜଧାନୀରେ ଉଭୟ ପୋଷା ଓ ବୁଲା କୁକୁରଙ୍କୁ ନେଇ ବିଏମସି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ପୋଷା କୁକୁର ଲାଗି ପେଟ୍ ବାଇ-ଲ ଜାରି ହେବାକୁ ଥିବାବେଳେ ବୁଲାକୁକୁର ବନ୍ଧ୍ୟାକରଣକୁ ତ୍ୱରାନ୍ୱିତ କରିବାକୁ ଗରୁତ୍ୱ ଦିଆଯାଉଛି । ବୁଲାକୁକୁର ବନ୍ଧ୍ୟାକରଣ ହାର ବଢାଇବା ସହ ଅନ୍ୟାନ୍ୟ କାର୍ଯ୍ୟପନ୍ଥା ଗ୍ରହଣ କରାଯିବାକୁ ସ୍ୱତନ୍ତ୍ର ହସ୍ପିଟାଲର ବିକାଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ମଞ୍ଚେଶ୍ୱରରେ ପରିତକ୍ତ ଅବସ୍ଥାରେ ପଡ଼ିରହିଥିବା ଏକ ଲେଡିଜ୍ ହଷ୍ଟେଲର ୧୮ କୋଠରୀକୁ ନୂଆ ରୂପ ଦିଆଯାଉଛି । ଖୁବଶୀଘ୍ର ଏହାର ପୁନର୍ବିକାଶ କାମ ଶେଷ କରାଯାଇ ବୁଲାକୁକୁରଙ୍କ ସାମୁହିକ ବନ୍ଧ୍ୟାକରଣ ବଢ଼ାଇବାକୁ ବିଏମସି ଗରୁତ୍ୱ ଦେଇଥିବା ବିଭାଗୀୟ ଉପାୟୁକ୍ତ ରମେଶ ଜେନା କହିଛନ୍ତି । ଉକ୍ତ ମେଡିକାଲରେ ଦୈନିକ ୧୫୦ ବୁଲାକୁକୁରଙ୍କର ବନ୍ଧ୍ୟାକରଣ ହେବ । ପୁଣିଥରେ କୁକୁର ଗଣନା ହେବା ସହ ସର୍ଭେ ଶେଷ ପରେ ବିଏମସି ଆବଶ୍ୟକ ପଦକ୍ଷେପ ନେବ । ଖାଦ୍ୟ ମିଳୁନଥିବାରୁ ଦିନକୁ ଦିନ ବୁଲା କୁକୁର ହିଂସ୍ର ହେଉଛନ୍ତି । ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ବିଏମସି ଏହି ପଦକ୍ଷେପ ନେବ । ଦେଢ ବର୍ଷ ମଧ୍ୟରେ କୁକୁରଙ୍କ ଜନ୍ମ ଉପରେ ନିୟନ୍ତ୍ରଣ ଲାଗାଯିବ।
ଏଥିଲାଗି ମହାରାଷ୍ଟ୍ରର ଏକ ଘରୋଇ ସଂସ୍ଥା ଭେଟ୍ ଫର୍ ଆନିମଲ ସହ ବିଏମସି ଚୁକ୍ତି ସ୍ୱାକ୍ଷର କରିଛି । ପ୍ରତି କୁକୁରଙ୍କୁ ଧରିବା, ବନ୍ଧ୍ୟାକରଣ କରିବା, ଟିକାକରଣ ଓ ଚିକିତ୍ସା ପାଇଁ ୧ ହଜାର ୬୫୦ ଟଙ୍କା ଲେଖାଏଁ ଖର୍ଚ୍ଚ ହେଉଛି । ଆନିମଲ ବାର୍ଥ କଣ୍ଟ୍ରୋଲ ବା ପଶୁ ଜନ୍ମ ନିୟନ୍ତ୍ରଣ ନିୟମ ୨୦୦୧ ଅନୁଯାୟୀ କୁକୁରଙ୍କ ଗଣନା ଜରୁରୀ । ରାଜ୍ୟରେ ପ୍ରଥମ ଥର ଲାଗି ଭୁବନେଶ୍ୱରରେ କୁକୁରଙ୍କ ସଂଖ୍ୟା ଗଣନା ଲାଗି ବିଏମସି ଅଣ୍ଟା ଭିଡିଛି । ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୩ ହଜାର କୁକୁର ଥିବା ଆକଳନ କରାଯାଇଛି । ପୂର୍ବରୁ ଦକ୍ଷିଣ ଦିଲ୍ଲୀ ଓ ଅହମ୍ମଦାବାଦରେ କୁକୁରଙ୍କ ଗଣନା କରାଯାଇଛି । ଭୁବନେଶ୍ୱରରେ ଘରୋଇ ସଂସ୍ଥା ଜରିଆରେ ପ୍ରତି ୱାର୍ଡ ଓ ସାହିରେ କୁକୁରଙ୍କ ଗଣନା କରାଯିବାକୁ ବିଏମସି ଯୋଜନା କରିଛି । କୁକୁର ଗଣନା କିଭଳି ସଫଳ କାର୍ଯ୍ୟକାରୀ ହେବ ସେନେଇ ଆସନ୍ତା ୨୯ ତାରିଖରେ ହେବାକୁ ଥିବା କର୍ପୋରେସନ ବୈଠକରେ ବିସ୍ତୃତ ଆଲୋଚନା ହେବ ବୋଲି ସୂଚନା ରହିଛି । ଭୁବନେଶ୍ୱରରେ ବୁଲାକୁକୁରଙ୍କ ସଂଖ୍ୟା ପ୍ରାୟ ୬୦ ହଜାର ପାର କରିବ ବୋଲି ବିଏମସି ଆକଳନ କରିଛି । ବର୍ତ୍ତମାନ ଦୈନିକ ୨୦ରୁ ୨୫ ବୁଲାକୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି ।