ବ୍ରହ୍ମପୁର: ବ୍ରହ୍ମପୁର ନଗରର ଚିକିତ୍ସାଳୟ ତଥା ସିଟି ହସ୍ପିଟାଲ୍ରେ ଥିବା ବିଭିନ୍ନ ବର୍ହିଃ(ଓପିଡି)କୁ ସଠିକ୍ ସମୟରେ ଡାକ୍ତର ଆସୁନଥିବା ଅଭିଯୋଗ ହୋଇଛି । ଫଳରେ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । ବ୍ରହ୍ମପୁର ବଡ଼ ମେଡିକାଲକୁ ସହର ସମେତ ଉପକଣ୍ଠ ଅଞ୍ଚଳରୁ ଅନେକ ବରିଷ୍ଠ ନାଗରିକ ଚିକିତ୍ସା ନିମନ୍ତେ ଏଠାକୁ ଆସିଥାନ୍ତି । କିନ୍ତୁ ସେମାନେ ଚିକିତ୍ସା ପାଇବା ଆଶାରେ ଅପେକ୍ଷା କରି କରି ସେମାନଙ୍କ ଦିନ ସରିଯାଉଥିବା ଅଭିଯୋଗ କରିଛନ୍ତି । ହସ୍ପିଟାଲର ସମସ୍ତ ବିଭାଗକୁ ଆସୁଥିବା ରୋଗୀଙ୍କୁ ବିଭିନ୍ନ ସମୟରେ ସଠିକ୍ ସେବା ଓ ଚିକିତ୍ସା ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି ।
ରବିବାର ସହ କେତେକ ଛୁଟି ଦିନକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଦିନ ଗୁଡିକରେ ହସ୍ପିଟାଲର ବର୍ହିଃ(ଓପିଡି) ବିଭାଗରେ ରୋଗୀ ଦେଖା ଚାଲୁ ରହିବା ନିର୍ଦ୍ଦେଶ ରହିଛି । ଏଭଳି ପ୍ରତ୍ୟେକ ଦିନ ଦୁଇ ବେଳା ବର୍ହିଃ ବିଭାଗରେ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ନିୟମ ରହିଛି । ସକାଳ ୮ଟା ରୁ ୧୨ଟା ପର୍ଯ୍ୟନ୍ତ ଏବଂ ମଧ୍ୟାହ୍ନ ୩ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରୋଗୀଙ୍କୁ ଡାକ୍ତର ଚିକିତ୍ସା କରିବା ନିୟମ ରହିଛି । କିନ୍ତୁ ଏହି ସମୟରେ ହସ୍ପିଟାଲର କେତୋଟି ବିଭାଗ ଖୋଲା ଥିବା ବେଳେ ସେଠାରେ ସଠିକ୍ ସମୟରେ ଡାକ୍ତର ଉପସ୍ଥିତ ନରହୁଥିବା ଅଭିଯୋଗ ହୋଇଛି । ଏହା ସହ ଅନ୍ୟ କିଛି ବିଭାଗ ଓଳିଏ ଖୋଲିଲେ ଓଳିଏ ବନ୍ଦ ରହୁଥିବା ଦେଖିବାକୁ ମିଳିଛି ।
ଡାକ୍ତରମାନେ ଚିକିତ୍ସା ନିମନ୍ତେ ସକାଳ ୮ ଟା ସମୟରେ ଆସିବା ନିୟମ ଥିଲେ ମଧ୍ୟ ବିଭିନ୍ନ ସମୟରେ ସେମାନେ ଘଣ୍ଟା ଘଣ୍ଟା ବିଳମ୍ବରେ ଆସୁଥିବା ଅଭିଯୋଗ ହୋଇଛି । ଏଭଳି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ସଜାଡ଼ିବା ଦାବିନେଇ ଦୀର୍ଘ ଦିନରୁ ମାନବ ଅଧିକାର ସୁରକ୍ଷା ମଞ୍ଚ ନେତୃତ୍ୱରେ ବିଭିନ୍ନ ଗଣସଂଗଠନ ଆନ୍ଦୋଳନ କରୁଥିବାବେଳେ ଆଉ ଏକ ଗୁରୁତର ସମସ୍ୟା ବ୍ରହ୍ମପୁର ସିଟି ହସ୍ପିଟାଲରେ ନିୟମିତ ଦେଖିବାକୁ ମିଳୁଛି । ଦୈନିକ ଏଠାକୁ ଶହ ଶହ ରୋଗୀ ବହୁ ଦୂର ଦୁରାନ୍ତରୁ ଚିକିତ୍ସାସେବା ପାଇବାପାଇଁ ବ୍ରହ୍ମପୁର ସିଟି ହସ୍ପିଟାଲକୁ ଆସୁଥିବାବେଳେ ଡାକ୍ତରମାନଙ୍କ ଅନୁପସ୍ଥିତି ରୋଗୀଙ୍କୁ ଅଧିକ କଷ୍ଟ ଦେଉଛି ।
ଆବଶ୍ୟକତା ଅନୁଯାୟୀ ପ୍ରତି ହସ୍ପିଟାଲରେ ଡାକ୍ତର ନିଯୁକ୍ତି ପାଇଁ ବିଭିନ୍ନ ମଞ୍ଚ ପକ୍ଷରୁ ସ୍ୱର ଉତ୍ତୋଳନ ହେଉଛି । ତେବେ ବ୍ରହ୍ମପୁର ସହରର ଉଭୟ ଏମ୍କେସିଜି ମେଡିକାଲ ଓ ସିଟି ହସ୍ପିଟାଲରେ ନିଯୁକ୍ତି ପାଇଥିବା ଡାକ୍ତରମାନେ ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହିବାର ଚରମ ଅବହେଳା ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା କହିଛନ୍ତି । ଏଭଳି ଡାକ୍ତରମାରେ ଘଣ୍ଟା ଘଣ୍ଟା ବିଳମ୍ବରେ ଆସିବାରୁ ଲୋକଙ୍କ ବହୁ ସମସ୍ୟା ହେଉଛି । ତେଣୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏଥି ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ନଚେତ୍ ଏହି ବିଷୟକୁ ନେଇ ଆଗାମୀ ଦିନରେ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ।