ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଲହଣ୍ଡାକଚା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଡାହାଣୀ ସନ୍ଦେହରେ ମହିଳାଙ୍କୁ ଅତି ନୃଶଂସ ଭାବେ ହାଣି ହତ୍ୟା କରାଯାଇଥିବା ନେଇ ମୃତକାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି । ମୃତ ଜଣକ ହେଲେ ବୋଲାଇ ମୁର୍ମୁଙ୍କ ସ୍ତ୍ରୀ ମିନତୀ । ହତ୍ୟାକାରୀ ଅଭିଯୁକ୍ତ ଦ୍ୱୟ ହତ୍ୟା କରି ଫେରାର ରହିଛନ୍ତି । ଖବର ପାଇ ଝାରପୋଖରିଆ ପୋଲିସ ଓ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁଯାୟୀ, ଡାହାଣୀକୁ ନେଇ ଅନ୍ଧବିଶ୍ୱାସରେ ବୋଲାଇଙ୍କ ଭାଇ ଓ ପିତୁରା ସହିତ ଗଣ୍ଡଗୋଳ ଲାଗି ରହୁଥିଲା । ବୁଧବାର ରାତି ମକର ମେଳା ଦେଖିବା ପାଇଁ ସ୍ୱାମୀ ବୋଲାଇ ଘରୁ ବାହାରି ଯାଇଥିଲେ । ଏହାର ସୁଯୋଗରେ ବିଳମ୍ବିତ ରାତିରେ ମୃତକଙ୍କ ଦିଅର ଓ ପୁତୁରା ମିଳିତ ଭାବେ ଘରେ ପଶି ମିନତୀଙ୍କୁ ନୃଶଂସ ଭାବେ ହତ୍ୟା କରି ଫେରାର ହୋଇଯାଇଛନ୍ତି ବୋଲି ସ୍ୱାମୀ ସନ୍ଦେହ କରି ଅଭିଯୋଗ କରିଛନ୍ତି । ସ୍ୱାମୀ ଘରେ ପହଞ୍ଚି ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ଝାରପୋଖରିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ମୃତଦେହ ବ୍ୟବଛେଦ ପାଇଁ ବାରିପଦା ପିଆର୍ଏମ୍ ମେଡିକାଲକୁ ପଠାଇଛି । ଏ ସଂକ୍ରାନ୍ତରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।