ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାମୋରଡା -ଚିତ୍ରଡା ମୁଖ୍ୟ ରାସ୍ତାରେ ଥିବା ଶିଳଦା ପୋଲ ଦବି ଯିବା ଯୋଗୁଁ ଯାତାୟତ ଆସ୍ଥାୟୀ ଭାବେ ବିଛିନ୍ନ ହୋଇଯାଇଛି l ଯାହାକୁ ନେଇ ଚିତ୍ରଡା ଓ ମୋରଡ଼ା ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେଇଛି l ତେଵେ ଏହାର ସ୍ଥାୟୀ ସମାଧାନ ସହ ଗାଡିମଟର ଚଳାଚଳ ସ୍ୱାଭାବିକ କରି ସୁବିଧା ଯୋଗାଇ ଦେବାକୁ ବିଭିନ୍ନ ସମୟରେ ଲୋକଙ୍କ ପକ୍ଷରୁ ଦାବି ହୋଇ ଆସିଛି l ଯାହାକୁ ନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ହସ୍ତକ୍ଷେପ କରି ଏହାର ସ୍ଥାୟୀ ସମାଧାନ ଦିଗରେ ଆଗ୍ରହ ପ୍ରକାଶ କରି ପଦକ୍ଷେପ ଗ୍ରହଣ କରିଥିଲେ l ମାତ୍ର କାର୍ଯ୍ୟରେ ବିଳମ୍ବ ସହିତ ପ୍ରଶାସନ ପକ୍ଷରୁ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା l ଫଳରେ ଯାତାୟତ ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲେ l ଏଭଳି ସ୍ଥିତିରେ ଜେଏମଏମ ପକ୍ଷରୁ ପୋଲର ମରାମତି ଏବଂ ତଦନ୍ତ ଦାବିରେ ପୋଲ ନିକଟରେ ଧାରଣା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଯାହା ଜିଲ୍ଲା ପ୍ରଶାସନ ଦୃଷ୍ଟିକୁ ଆସିଥିଲା l ଆଉ ଜିଲ୍ଲାପାଳ ହେମାକାନ୍ତ ସୟ ବିଭାଗୀୟ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ l ଯାହାକୁନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି l
ଉଲ୍ଲେଖଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଚିତ୍ରଡା- ମୋରଡା ମୁଖ୍ୟରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲର ମଧ୍ୟ ଭାଗ ଦବି ଯିବାରୁ ପୂର୍ତ୍ତବିଭାଗ ପକ୍ଷରୁ ଯାତାୟାତ ନିମନ୍ତେ ନିଷେଧ କରାଯାଇଥିଲା। ଫଳରେ ଚିତ୍ରଡା-ମୋରଡା ଯୋଗାଯୋଗ ବିଛିନ୍ନ ହୋଇଯିବାରୁ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଥିଲା। ଏକ ଅସ୍ଥାୟୀ ପୋଲ ନିର୍ମାଣ କିମ୍ବା ପୁରୁଣା ପୋଲର ମରାମତି କରି ଯୋଗାଯୋଗ ସ୍ୱାଭାବିକ ପାଇଁ ଗତ ଏପ୍ରିଲ ୨ ତାରିଖ ଦିନ ଅଞ୍ଚଳବାସୀଙ୍କ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାର ପରଦିନ ମାର୍ଚ୍ଚ ୩ ତାରିଖରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ପୋଲ ନିକଟରେ ଧାରଣା ମଧ୍ୟ ଦିଆଯାଇଥିଲା। ତେବେ ଆଜି ଜିଲ୍ଲାପାଳ ହେମକାନ୍ତ ସୟ , ପୂର୍ତ୍ତବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରୋହନ ଗୌରବ ରୟ,ଏସଡ଼ିଓ ଅରବିନ୍ଦ ମହାନ୍ତି, କନିଷ୍ଠ ଯନ୍ତ୍ରୀ ସଞ୍ଜୟ ଗିରି ଶିଳଦାରେ ପହଁଞ୍ଚି ପୋଲର ସ୍ଥିତି ଅନୁଧ୍ୟାନ କରି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି , ସମାଜସେବୀ, ଲୋକ ପ୍ରତିନିଧି ଏବଂ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ବର୍ତ୍ତମାନ ପୋଲ ଉପରେ କେବଳ ଦୁଇଚକିଆ ଯାନ ଯିବା ଆସିବା କରି ପାରିବ ଓ ବର୍ଷାଋତୁ ପୂର୍ବରୁ ପୋଲର ମରାମତି କାର୍ଯ୍ୟ କରାଯାଇ ଚାରିଚକିଆ ଯାନ ଯିବାଆସିବା ପାଇଁ ସୁବିଧା କରାଯିବ ବୋଲି କହିଛନ୍ତି ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ରୟ। । ସେହିପରି ନିର୍ମାଣ ହେଉଥିବା ପୋଲ କାର୍ଯ୍ୟ ଆରମ୍ଭ ପୂର୍ବରୁ ଏଠାରେ ଥିବା ଗଚ୍ଛିତ ବାଲିର ଚୋରା ଚାଲାଣକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଜିଲ୍ଲାପାଳ ହେମାକାନ୍ତ ସୟ ।










