ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଏହାର ଅନୁସନ୍ଧାନ ଜାରି ରଖିଥିଲେ । ତେବେ ଯାଞ୍ଚ ପରେ ଜଣାପଡ଼ିଛି ଯେ ତାଙ୍କ ମୃତ୍ୟୁ ଏକ ଦୁର୍ଘଟଣାରେ ହୋଇଥିଲା । ଅନୁସନ୍ଧାନ ପରେ ସିବିଆଇ ପ୍ରକାଶ କରିଛି ଯେ ମଦ୍ୟପାନ କରୁଥିବା ସମୟରେ ଭାରସାମ୍ୟ ହରାଇ ଦିଶା ସାଲିଆନ ଛାତରୁ ଖସିଯିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ମୁମ୍ବାଇର ମାଲାଡ ସ୍ଥିତ ଫ୍ଲାଟର ଦ୍ୱାଦଶ ମହଲାରୁ ଖସିଯିବା ପରେ ଅଭିନେତ୍ରୀ, ମଡେଲ ତଥା ଟ୍ୟାଲେଣ୍ଟ ମ୍ୟାନେଜର ଦିଶା ସାଲିଆନ ୨୦୨୦ ମସିହା ଜୁନ ମାସରେ ମୃତ୍ୟୁ ବରଣ କରିଥିଲେ । ଦିଶାଙ୍କ ମୃତ୍ୟୁ ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଏବଂ ଦିଶାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିଲା । ତେବେ ଦିଶା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା କହି ପୋଲିସ ଏହି ମାମଲାକୁ ବନ୍ଦ କରିଥିଲା ।
ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ସିବିଆଇ ଏକ ପୃଥକ ମାମଲା ରୁଜ୍ଜୁ କରି ନଥିଲା । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ବେଳେ ସିବିଆଇ ମଧ୍ୟ ଦିଶାଙ୍କ ମୃତ୍ୟୁ ଘଟଣାର ଯାଞ୍ଚ କରିଥିଲା, କାରଣ ଉଭୟଙ୍କର କିଛି ଦିନ ଅନ୍ତରରେ ମୃତ୍ୟୁ ହୋଇଥିଲା ।ସିବିଆଇ ଅନୁସନ୍ଧାନରୁ ଜଣାପଡିଛି ଯେ ମୃତ୍ୟୁ ଦିନ ଦିଶା ସାଲିଆନ ମଦ୍ୟପାନ କରି ଭାରସାମ୍ୟ ହରାଇ ଛାତରୁ ଖସିପଡିଥିଲେ । ତେବେ ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ ଦିଶାଙ୍କ ମୃତ୍ୟୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହିତ କୌଣସି ସମ୍ପର୍କ ନାହିଁ । ସୂଚନା ଅନୁଯାୟୀ ଦିଶା ୮ ବା ୯ ଜୁନ ରାତିରେ ଫ୍ଲାଟରୁ ଖସି ପଡିଥିବାବେଳେ ସୁଶାନ୍ତ ସିଂ ରାଜପୁତ ୧୪ ଜୁନରେ ନିଜ ବାନ୍ଦ୍ରା ଫ୍ଲାଟରେ ମୃତ୍ୟୁବରଣ କରିଥିଲେ ।