18.1 C
Bhubaneswar
Friday, November 22, 2024
Homeଖେଳଡିସ୍‌କସ୍ ଥ୍ରୋୟର୍ କମଲପ୍ରୀତ୍ ଡୋପ୍ ଟେଷ୍ଟ୍‌ରେ ବିଫଳ, ଅସ୍ଥାୟୀ ରୂପେ ନିଲମ୍ବିତ

ଡିସ୍‌କସ୍ ଥ୍ରୋୟର୍ କମଲପ୍ରୀତ୍ ଡୋପ୍ ଟେଷ୍ଟ୍‌ରେ ବିଫଳ, ଅସ୍ଥାୟୀ ରୂପେ ନିଲମ୍ବିତ

ନୂଆଦିଲ୍ଲୀ: ଭାରତର ଶୀର୍ଷ ମହିଳା ଡିସ୍‌କସ୍ ଥ୍ରୋୟର୍ କମଲ୍‌ପ୍ରୀତ୍ କୌର୍ ଡୋପ୍ ଟେଷ୍ଟ୍‌ରେ ବିଫଳ ହୋଇଛନ୍ତି । ଏହା ସହିତ ୱାର୍ଲ୍ଡ ଆଥ୍‌ଲେଟିକ୍ସର ଆଥ୍‌ଲେଟିକ୍ସି ଇଣ୍ଟିଗ୍ରିଟି ୟୁନିଟ୍ (ଏଆଇୟୁ) ତାଙ୍କୁ ଅସ୍ଥାୟୀ ରୂପେ ନିଲମ୍ବିତ କରିଛି । କମଲପ୍ରୀତ୍ ଦୋଷୀ ସାବ୍ୟସ୍ତ ହେଲେ ଅଧିକତମ ଚାରିବର୍ଷ ପାଇଁ ନିଲମ୍ବିତ ହେବେ ବୋଲି ଏଆଇୟୁ ପକ୍ଷରୁ ବୁଧବାର ଏକ ଟ୍ୱିଟ୍‌ରେ କୁହାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୨୯ ତାରିଖରେ ଏଆଇୟୁ ଦ୍ୱାରା ଭାରତରେ କରାଯାଇଥିବା ଏକ ଡୋପିଂ ଟେଷ୍ଟ୍‌ରେ କମଲପ୍ରୀତ୍‌ଙ୍କ ନମୁନାରୁ ପ୍ରତିବନ୍ଧିତ ପଦାର୍ଥ ଷ୍ଟାନୋଜୋଲୋଲ୍ ମିଳିଛି । ଏହି ପଦାର୍ଥ ୱାର୍ଲ୍ଡ ଆଥ୍‌ଲେଟିକ୍ସର ପ୍ରତିବନ୍ଧିତ ପଦାର୍ଥ ସୂଚୀରେ ସାମିଲ । ଡୋପିଂ ସମ୍ବନ୍ଧିତ କୌଣସି ମାମଲାର ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ୱାର୍ଲ୍ଡ ଆଥ୍‌ଲେଟିକ୍ସ ସମ୍ପୃକ୍ତ ଆଥ୍‌ଲେଟ୍‌ଙ୍କୁ ଅସ୍ଥାୟୀ ଭାବେ ନିଲମ୍ବିତ କରିଥାଏ ।

ଏଆଇୟୁ ୱାର୍ଲ୍ଡ ଆଥ୍‌ଲେଟିକ୍ସର ଦ୍ୱାରା ସ୍ଥାପିତ ଏକ ସ୍ୱତନ୍ତ୍ର ୟୁନିଟ୍ । ଏଆଇୟୁ ଏକ ନୋଟିସ୍ ଜାରି କରି ପଞ୍ଚାବର ଏହି ୨୬ ବର୍ଷୀୟା ଆଥ୍‌ଲେଟ୍‌ଙ୍କୁ ନିଜ ପକ୍ଷ ରଖିବା ପାଇଁ କହିଛି । ଗତବର୍ଷ ପତିଆଲାରେ ୬୬.୫୯ ମିଟର ଡିସ୍‌କସ୍ ଫିଙ୍ଗି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ଏହା ପୂର୍ବରୁ ୨୦୧୮ରେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୬୧.୦୪ ମିଟର ଥିଲା । ପତିଆଲାରେ ଜାତୀୟ ରେକର୍ଡ ସହ କମଲପ୍ରୀତ୍ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଟୋକିଓ ଅଲିମ୍ପିକ୍ସର କ୍ୱାଲିଫାଇଙ୍ଗ୍ ରାଉଣ୍ଡ୍‌ରେ ୬୪.୦୦ ମିଟର ସହ ସେ ଫାଇନାଲ୍‌ରେ ପ୍ରବେଶ କରିଥିଲେ । ମାତ୍ର ଫାଇନାଲ୍‌ରେ ୬୩.୭୦ ମିଟର ଦୂରକୁ ଡିସ୍‌କସ୍ ଫିଙ୍ଗି ଷଷ୍ଠ ସ୍ଥାନରେ ରହିଥିଲେ । ଚଳିତ ବର୍ଷ ମାର୍ଚ୍ଚ ୨୩ରେ ତିରୁଅନନ୍ତପୁରମ୍‌ରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁପ୍ରିରେ କମଲପ୍ରୀତ୍ ୬୧.୩୯ ମିଟର ଦୂରତା ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ । ମାତ୍ର ଏହାପରେ ଅନ୍ୟ ଇଭେଣ୍ଟ୍‌ରୁ ଦୂରେଇ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking