କାଠମାଣ୍ଡୁ: ମାନବ ଚାଲାଣ ରାକେଟର ପର୍ଦ୍ଦାଫାସ କରିବା ସହ ୧୧ ଜଣ ଭାରତୀୟ ବନ୍ଧକଙ୍କୁ ଉଦ୍ଧାର କଲା ନେପାଳ ପୋଲିସ । ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିବା ଜଣାପଡିଛି । ଏଥିସହ ୮ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଆମେରିକା ପଠାଇବାର ପ୍ରଲୋଭନ ଦେଖାଇ ମାନବ ଚାଲାଣ କରିବାକୁ ଯୋଜନା କରୁଥିଲା ଏହି ରାକେଟ । ଏହି ରାକେଟର ପର୍ଦ୍ଦାଫାସ କରିବା ପାଇଁ ‘ଅପରେସନ ଡଙ୍କି\’ ଆରମ୍ଭ କରିଥିଲା ନେପାଳ ପୋଲିସ । ନେପାଳ ପୋଲିସର ସୂଚନା ଅନୁଯାୟୀ, ମାନବ ଚାଲାଣ ରାକେଟ ସମ୍ବନ୍ଧରେ ପୋଲିସ ଜାଣିବାକୁ ପାଇଥିଲା । କାଠମାଣ୍ଡୁ ଅଞ୍ଚଳରେ ୨ ସପ୍ତାହରୁ ଅଧିକ ଦିନ ହେଲା ଏକ ଭଡା ଘରେ ୧୧ ଜଣଙ୍କୁ ବନ୍ଧକ ଭାବେ ରଖାଯାଇଥିବା ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । କାଠମାଣ୍ଡୁ ଜିଲ୍ଲା ପୋଲିସ ‘ଅପରେସନ ଡଙ୍କି’ ମାଧ୍ୟମରେ ତଦନ୍ତ ଆରମ୍ଭ କରିଥିଲା ।
ଶାହରୁଖ ଖାନଙ୍କ ହିନ୍ଦୀ ଫିଲ୍ମ ‘ଡଙ୍କି’ର କାହାଣୀ ଭଳି ଏହି ଘଟଣା ଘଟିଥିବାରୁ ‘ଅପରେସନ ଡଙ୍କି’ ଏହାର ନାମ ରଖାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ତେବେ ଘଟଣାସ୍ଥଳରେ ଚଢାଉ କରି ୧୧ ଜଣଙ୍କୁ ଉଦ୍ଧାର କରିବା ସହ ୮ଜଣ ମାଫିଆଙ୍କୁ ଗିରଫ କରିଥିଲା ପୋଲିସ । ସମସ୍ତ ବନ୍ଧକମାନେ ଓ ମାଫିଆମାନେ ଭାରତୀୟ ହୋଇଥିବା ବେଳେ ସେମାନେ ପଞ୍ଜାବ ଓ ହରିୟାଣାର ବାସିନ୍ଦା ବୋଲି ଜଣାପଡିଛି । ବନ୍ଧକମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ରହିଛନ୍ତି । ସେମାନଙ୍କୁ ମେକ୍ସିକୋ ବାଟରେ ଆମେରିକା ପଠାଇବା ପ୍ରଲୋଭନ ଦେଖାଇ ବନ୍ଧକ ରଖାଯାଇଥିଲା ।
କାଠମାଣ୍ଡୁ ଜିଲ୍ଲା ବରିଷ୍ଠ ପୋଲିସ ଅଧିକାରୀ ଭୁପେନ୍ଦ୍ର ବାହାଦୂରଙ୍କ ସୂଚନା ଅନୁଯାୟୀ, ଭାରତୀୟ ମାଫିଆମାନଙ୍କ ସମେତ ଏଜେଣ୍ଟମାନେ ଏମାନଙ୍କୁ ଆମେରିକା ପଠାଇବା ପାଇଁ ମିଛ ପ୍ରତିଶ୍ରୁତି ଦେଇ ସେମାନଙ୍କ ନିକଟରୁ ୪୫ ଲକ୍ଷ ଟଙ୍କା ଲେଖାଏଁ ନେଇଥିଲେ । ଆଉ ମଧ୍ୟ ସେମାନେ କାଠମାଣ୍ଡୁ ପହଞ୍ଚିବା ପରେ ସେମାନଙ୍କ ନିକଟରୁ ଆଉ ୩୦୦୦ ଆମେରିକା ଡଲାର ନିଆଯାଇଥିଲା । ଅଭିଯୁକ୍ତମାନଙ୍କ ବିରୋଧରେ ନେପାଳ ଆଇନ ଅନୁସାରେ ଅପହରଣ, ବନ୍ଧକ ଓ ମାନବ ଚାଲାଣ ସମ୍ୱନ୍ଧୀୟ ଧାରା ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି ।