28.1 C
Bhubaneswar
Thursday, July 4, 2024
Homeଓଡିଶାବିଜେଡିକୁ ଫେରିବେ ଦିଲ୍ଲୀପ!

ବିଜେଡିକୁ ଫେରିବେ ଦିଲ୍ଲୀପ!

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ତାଙ୍କ ପୁରୁଣା ଘର ବିଜେଡିକୁ ଫେରିବା ନେଇ ସମ୍ଭାବନା ଦେଖାଦେଉଛି । ଏବେ ରାଉରକେଲାଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ଯାଏଁ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଧରିଛି । ଦିଲ୍ଲୀପ ୨୦୨୪ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ ବୋଲି ନୂଆବର୍ଷରେ ସୂଚନା ମିଳିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି ।

ଦିଲ୍ଲୀପ ରାୟ ରାଜ୍ୟ ରାଜନୀତିରେ ଜଣେ ଜଣାଶୁଣା ନେତା ଭାବରେ ବେଶ ପରିଚିତ । କେନ୍ଦ୍ରରେ ମଧ୍ୟ ସେ ମନ୍ତ୍ରୀ ଥିଲେ, ରାଜ୍ୟରେ ବି ମନ୍ତ୍ରୀ ଥିଲେ । ବିଜୁ ପଟ୍ଟନାୟକଙ୍କର ସେ ଜଣେ ଖାସ ଅନୁଗତ  ବୋଲି ସମସ୍ତେ ଜାଣନ୍ତି । ବିଜୁ ପଟ୍ଟନାୟକଙ୍କ ସହ ଜନତା ଦଳରେ କାର୍ଯ୍ୟ ଆରମ୍ଭ କରି ପରେ ବିଜେଡିରେ ଯୋଗ ଦେଇଥିଲେ, କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ ଦିଲ୍ଲୀପ । ପରେ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ମତପାର୍ଥକ୍ୟ ହେବାରୁ ସେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ହେଲେ ବିଜେପିରୁ ବି ସେ ଏବେ ଦୂରେଇ ଯାଇଛନ୍ତି । ବିଜେପିର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନାହିଁ । ଏପରିକି ସେ ତାଙ୍କ ଇସ୍ତଫାପତ୍ର ମଧ୍ୟ ବିଜେପିକୁ ଦେଇଥିଲେ । କିନ୍ତୁ ସେହି ଇସ୍ତଫାପତ୍ରକୁ ଗ୍ରହଣ ନ କରି ଦିଲ୍ଲୀପ ଦଳ ସହ ଯୋଡି ହୋଇ ରହିଥିବା କହିଥିଲେ ବିଜେପି ନେତା । ହେଲେ ଦିଲ୍ଲୀପ ବିଜେପିକୁ ଆଉ ଫେରି ନଥିଲେ । ରାଉରକେଲାରେ ପୋଲ ନିର୍ମାଣକୁ ନେଇ ତାଙ୍କର ଦଳ ସହ ମତପାର୍ଥକ୍ୟ ଜୋର ଧରିଥିଲା। ଏପରିକି କେନ୍ଦ୍ରମନ୍ତ୍ରୀମାନଙ୍କୁ ସେ ଏଥିନେଇ ସମାଲୋଚନା ମଧ୍ୟ କରିଥିଲେ ।

ଏହି ଘଟଣା ପରେ ଚର୍ଚ୍ଚା ହେଲା ଯେ ପୁଣି ବିଜେଡିକୁ ଫେରିବେ ଦିଲ୍ଲୀପ । ବିଶେଷ କରି ୨୦୧୯ ନିର୍ବାଚନ ବେଳେ ଏହି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସେ ନିର୍ବାଚନ ରାଜନୀତିରୁ ଏକପ୍ରକାର ନିଜକୁ ଦୂରେଇ ରଖିଲେ । ଦିଲ୍ଲୀପ ବିଜେଡିକୁ ଫେରିବେ ବୋଲି ବହୁ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ଏପରିକି ଦିଲ୍ଲୀପ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ । ବିଜୟ ଏବଂ ଦିଲ୍ଲୀପ ଦୁଇ ଜଣ ଦଳକୁ ଫେରିବେ ବୋଲି କଥା ବି ଉଠିଥିଲା । ବିଜୟ ମହାପାତ୍ରଙ୍କ ସହ ଦିଲ୍ଲୀପଙ୍କର ଅତି ଘନିଷ୍ଠତା ରହିଛି । କିନ୍ତୁ ନବୀନ ବିଜୟଙ୍କୁ ଦଳକୁ ନେବାକୁ ଆଗ୍ରହ ପ୍ରକାଶ କରି ନଥିବା କୁହାଗଲା । ଦିଲ୍ଲୀପ ଯେହେତୁ ବିଜୟଙ୍କ ସହ ଅତି ଘନିଷ୍ଠ ସେଥିପାଇଁ ସେ ବି ବିଜେଡିରେ ଯୋଗ ଦେଲେ ନାହିଁ ବୋଲି କୁହାଗଲା ।

ତେବେ ଦୀର୍ଘ ଦିନର ରାଜନୈତିକ ନୀରବତା ପରେ ୨୦୨୩ ନୂଆବର୍ଷରେ ଦିଲ୍ଲୀପଙ୍କ ସମର୍ଥକମାନେ ସୂଚନା ଦେଲେ ଯେ, ସେ ପୁଣି ନିର୍ବାଚନ ରାଜନୀତିକୁ ଫେରିବେ । ୨୦୨୪ରେ ପ୍ରାର୍ଥୀ ହୋଇପାରନ୍ତି ଦିଲ୍ଲୀପ । ଏବେ ଓଡିଶାରେ ପୁରୁଷ ହକି ବିଶ୍ୱକପ ଚାଲିଛି । ନବୀନଙ୍କ ଖାସ ଅନୁଗତ ଓ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଖେଳ ଦେଖିବାକୁ ଆସିବା ପାଇଁ ଦିଲ୍ଲୀପଙ୍କ ଘରକୁ ଯାଇ  ତାଙ୍କୁ ନିମନ୍ତ୍ରଣ କଲେ । ନବୀନଙ୍କ ନିର୍ଦ୍ଦେଶ ନଥିଲେ ପ୍ରଣବ କେବେ ଦିଲ୍ଲୀପଙ୍କ ଘରକୁ ତାଙ୍କୁ ଡାକିବା ପାଇଁ ଯାଇ ନଥାନ୍ତେ । ଏଠାରେ କୁହାଯାଉଛି ସେହିଭଳି କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଘରକୁ ପ୍ରଣବଙ୍କୁ ପଠାଇଛନ୍ତି ନବୀନ । ନହେଲେ ଦଳର ଅନ୍ୟ ସାଧାରଣ ନେତାମାନଙ୍କୁ ବିରୋଧୀ ଶିବିରକୁ ପଠାଇଥିଲେ । ଏଥିରେ କୁହାଯାଉଛି ଏହି ପଦକ୍ଷେପ ମାଧ୍ୟମରେ ଦିଲ୍ଲୀପଙ୍କୁ ନବୀନ ଜଣାଇଦେଲେ ଯେ, ସେ ବିଜେଡି ପାଇଁ ଅଛୁଆଁ ନୁହଁନ୍ତି ।

ଇତିମଧ୍ୟରେ ବିଜୟ ମହାପାତ୍ର ମଧ୍ୟ ୨୦୨୪ ନିର୍ବାଚନରେ ତାଙ୍କ ବଦଳରେ ସେ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିବେ ବୋଲି ଖୋଲାଖୋଲି ଭାବେ ସୂଚନା ଦେଇସାରିଲେଣି । ନିର୍ବାଚନ ରାଜନୀତିରୁ ବିଜୟ ଓହରିଯିବା ନେଇ ଏକପ୍ରକାର ଚୂଡାନ୍ତ । ଏଣୁ ଏ କ୍ଷେତ୍ରରେ ବିଜୟଙ୍କୁ ଛାଡି ଦିଲ୍ଲୀପ ବିଜେଡିକୁ ଫେରିବାରେ ଆଉ କୌଣସି ବାଧା ତାଙ୍କ ପାଇଁ ରହି ନ ପାରେ ବୋଲି କୁହାଯାଉଛି । ଏଣୁ ଦିଲ୍ଲୀପଙ୍କ ସମର୍ଥକମାନେ ବି ଚାହୁଁଛନ୍ତି ସେ ବିଜେଡିକୁ ଫେରିଆସନ୍ତୁ । କାରଣ ପ୍ରଣବ ଯେଉଁ ଦିନ ଦିଲ୍ଲୀପଙ୍କୁ ଆମନ୍ତ୍ରଣ କରିବା ପାଇଁ ଯାଇଥିଲେ, ସେଦିନ ଦିଲ୍ଲୀପଙ୍କ ସମର୍ଥକମାନେ ଯେଭଳି ତାଙ୍କ ସହ ମିଶି ଫଟୋ ଉଠାଇଲେ ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସେମାନେ ଏ ଘଟଣାରେ କେତେ ଖୁସି ।

କିନ୍ତୁ ଦିଲ୍ଲୀପଙ୍କ ପାଇଁ ସେଠାରେ ବିଜେଡିରେ ମୁଖ୍ୟ ପ୍ରତିବନ୍ଧକ ଆଣୁଛନ୍ତି ବିଧାୟକ ଶାରଦା ନାୟକ । ଶାରଦାଙ୍କ ସମର୍ଥକ ଚାହୁଁନାହାନ୍ତି ଯେ ଦିଲ୍ଲୀପ ବିଜେଡିକୁ ଫେରନ୍ତୁ । କିନ୍ତୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଚାହିଁଲେ ଶାରଦା ପ୍ରତିବନ୍ଧକ ଦୂର ହେବାରେ କୌଣସି ସମସ୍ୟା ରହିବ ନାହିଁ । ଦିଲ୍ଲୀପ ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ଏକ ଫୋର୍ସ ଭାବରେ ରହୁଥିବାରୁ ନବୀନ ବିଜେଡିକୁ ତାଙ୍କୁ ନେବା ପାଇଁ ଚାହୁଁଥିବା କୁହାଯାଉଛି । ତାଙ୍କୁ ବିଧାନସଭାରେ ପ୍ରାର୍ଥୀ କରିପାରନ୍ତି କିମ୍ବା ରାଜ୍ୟସଭାକୁ ମଧ୍ୟ ପଠାଇପାରନ୍ତି । ଏଣୁ ତାଙ୍କ ଥଇଥାନ ନେଇ କୌଣସି ସମସ୍ୟା ରହିବ ନାହିଁ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking