କାମାକ୍ଷାନଗର : କରୋନା ଭଳି ମହାମାରୀ ସଂକ୍ରମଣ ସାରା ବିଶ୍ୱକୁ ଆତଙ୍କିତ କରିଦେଇଛି । ଫଳରେ ସଂକ୍ରମଣ ରୋକିବାକୁ ବାଧ୍ୟ ହୋଇ ରାଜ୍ୟ ସରକାର ଲକ୍ଡାଉନ୍, ସଟ୍ଡାଉନ୍ ଓ ସପ୍ତାହନ୍ତ ସଟ୍ଡାଉନ୍ ଆଦି ଘୋଷଣା କରିଛନ୍ତି । ଏପଟେ କିନ୍ତୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ପ୍ରଶାସନର ବେପରୁଆ ମନୋଭାବ ଯାଉନି । ଜଣେ କରୋନା ସଂକ୍ରମଣରେ ଆକ୍ରାନ୍ତ ମୃତଦେହକୁ ସତ୍କାର ନକରି ରାସ୍ତା କଡକୁ ଫୋପାଡି ଦେଇଥିବା ଘଟଣାରେ ପ୍ରଶାସନର ଅମାନବୀୟ କାଣ୍ଡ ନେଇ ବେଶ ଆଲୋଡନ ସୃଷ୍ଟି ହୋଇଛି ।
ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଦେଉଳି ଅଚଂଳର ଜଣେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରିବାରର ୫ ଜଣ କୋଭିଡ୍ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଏପଟେ ନିଜେ କୋଭିଡ୍ ଆକ୍ରାନ୍ତରେ ପିଡିତ ଥାଇ ମଧ୍ୟ ନିଜେ ଘରେ ଆଇସୋଲେସନରେ ଥିବା ବେଳେ ଏହି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷଙ୍କ ଗତ କାଲି ମୃତ୍ୟୁ ଘଟିଥିଲା । ତେବେ ଦିର୍ଘ ୧୨ ଘଂଟା ବିତି ଯାଇଥିଲେ ମଧ୍ୟ ସଂପର୍କୀୟଙ୍କଠାରୁ ଆରମ୍ଭ କରି ବନ୍ଧୁ ପରିବାର ବର୍ଗ ସଂକ୍ରମଣ ଭୟରେ ପାଖ ମାଡିନଥିଲେ । ଖବର ପାଇ କାମାକ୍ଷାନଗର ଉପଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀ ମୃତଦେହକୁ ବନ୍ଦ ଘରୁ ବାହାର କରି ଶବ ସତ୍କାର କରିବାକୁ ନେଇଥିଲେ । ମାତ୍ର ସଂକ୍ରମଣ ଠାରୁ ଦୁରେଇବା ପାଇଁ ଯତ୍ନର ସହ ଶବ ସତ୍କାର କରିବା ପରିବର୍ତେ କୋଭିଡ୍ ଆକ୍ରାନ୍ତ ଶବକୁ ଫୋପାଡି ଦେଇଥବା ଦେଖିବାକୁ ମିଳିଥିଲା ।
ଏହି କୋଭିଡ୍ ଆକ୍ରାନ୍ତ ମୃତ ଦେହ ଗୁଣ୍ଡିଚାନାଳି ଗ୍ରାମଠାରୁ କିଛି ଦୁରରେ ପଡିରହିଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ମୃତ ଶରିରକୁ ବେପରୁଆ ଭାବେ ଫୋପାଡି ଦେବା ନିନ୍ଦନିୟ ଘଟଣା । ଅନ୍ୟପଟେ ଖୋଲା ଆକାଶ ତଳେ ପଡିରହିଥିବା କୋଭିଡ୍ ଆକ୍ରାନ୍ତ ମୃତ ଦେହକୁ କୈାଣସି ଜଙ୍ଗଲି ପଶୁ ବା କୁକୁର ମାଧ୍ୟମରେ ସଂକ୍ରମଣ ହେବାର ଭୟ ସମସ୍ତଙ୍କୁ ଘାରିଛି । ଯାହାକୁ ନେଇ ସ୍ଥାନୀୟ ଅଚଂଳରେ କରୋନା ସଂକ୍ରମଣ ଆଶଙ୍କାରେ ବେଶ୍ ଆତଙ୍କିତ ହୋଇପଡିଛନ୍ତି । କାମାକ୍ଷାନଗର ପ୍ରଶାସନର ଏପରି ବେପରୁଆ ମନୋଭାବ ଓ ଅମାନବୀୟ କାଣ୍ଡକୁ ନେଇ ବେଶ୍ ଆଲୋଡନ ସୃଷ୍ଟି ହୋଇଛି ।