27.1 C
Bhubaneswar
Friday, October 18, 2024
Homeଓଡିଶାଧାମନଗର ଉପନିର୍ବାଚନ : ରାଜନୈତିକ ଦଳମାନଙ୍କୁ ନେଇ ପ୍ରଶାସନିକ ବୈଠକ

ଧାମନଗର ଉପନିର୍ବାଚନ : ରାଜନୈତିକ ଦଳମାନଙ୍କୁ ନେଇ ପ୍ରଶାସନିକ ବୈଠକ

ଭଦ୍ରକ : ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଧାମନଗର ବିଧାନସଭା ପାଇଁ ଉପନିର୍ବାଚନ ଘୋଷଣା ପରେ ତତ୍ ସଂକ୍ରାନ୍ତୀୟ କାର୍ଯ୍ୟସୂଚୀ ଓ ଭଦ୍ରକ ପ୍ରଶାସନର ପ୍ରସ୍ତୁତି ନେଇ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ପ୍ରତିନିଧିମାନଙ୍କୁ ଅବଗତ କରାଯିବା ଉଦ୍ଦେଶ୍ୟରେ ଆଜି ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଦୁଇ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଏବଂ ରାମଦାସ ଟୁଡ଼ୁଙ୍କ ସହ ଏହି ଉପନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଦାୟୀତ୍ୱରେ ଥିବା ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁ ଏହି ବୈଠକରେ ଯୋଗ ଦେଇଥିଲେ ।

ଉପନିର୍ବାଚନ ପାଇଁ ଆୟୋଗ ଦ୍ୱାରା କାର୍ଯ୍ୟସୂଚୀ ଘୋଷଣା କରାଯିବା ଦିନ ୩-୧୦-୨୨ ଠାରୁ ହିଁ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା, କାର୍ଯ୍ୟସୂଚୀ ଅନୁଯାୟୀ ନାମାଙ୍କନ ପତ୍ର ଦାଖଲ , ଯାଞ୍ଚ, ପ୍ରତ୍ୟାହାର, ଭୋଟ ଗ୍ରହଣ , ଭୋଟ ଗଣନା ଆଦି ପାଇଁ ନିର୍ଦ୍ଧାରିତ ତାରିଖ ସମ୍ବନ୍ଧରେ ଜିଲ୍ଲାପାଳ ବୈଠକକୁ ଅବଗତ କରାଇଥିଲେ । ଏହି ଉପନିର୍ବାଚନରେ ବ୍ୟାବହୃତ ହେବାକୁ ଥିବା ଇଭିଏମ଼୍ ମେସିନ୍ ସବୁ ଝାରସୁଗୁଡ଼ା ରୁ ଆସି ଏଠାରେ ମହଜୁଦ ଥିବା ନେଇ ରାଜନୈତିକ ଦଳମାନଙ୍କୁ ପର୍ବରୁ ଅବଗତ କରାଯାଇଥିବା ନେଇ ମଧ୍ୟ ସେ ପ୍ରକାଶ କରିଥିଲେ । ଏହି ମେସିନ୍ ସବୁ ଆସନ୍ତା ୮-୧୦-୨୨ ପୂର୍ବାହ୍ନ ୯ ଘଟିକା ରୁ ଇ.ସି.ଆଇ. ଦ୍ୱାରା ଅନୁମୋଦିତ ଯନ୍ତ୍ରୀମାନଙ୍କ ଦ୍ୱାରା ପ୍ରାଥମିକ ସ୍ତରୀୟ ତନଖି କାର୍ଯ୍ୟ ଆରମ୍ଭ ହେବ । ଏହି କାର୍ଯ୍ୟ ଶେଷ ହେବା ପାଇଁ ୪/୫ ଦିନ ଲାଗିପାରେ । ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ବା ପ୍ରତିନିଧିମାନେ ସେଠାରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ ।

ସମସ୍ତ କାର୍ଯ୍ୟକ୍ରମକୁ ଭିଡ଼ିଓଗ୍ରାଫି କରାଯିବା ସହିତ ଉପରିସ୍ଥ ସଂପୃକ୍ତ ଅଧିକାରୀମାନଙ୍କ ଅବଗତି ପାଇଁ କ୍ୟାମେରା ସଂଯୋଗ କରାଯାଇଛି। ଉପନିର୍ବାଚନ ପରିଚାଳନାରେ ପ୍ରତ୍ୟେକ କାର୍ଯ୍ୟକୁ ନିର୍ବାଚନ ଆୟୋଗର ମାର୍ଗଦର୍ଶିକାକୁ ଅନୁପାଳନ ପୂର୍ବକ ସମାହିତ କରାଯାଇଛି । ବୈଠକରେ ଉପସ୍ଥିତ ଜନୈକ ଦଳୀୟ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଜିଲ୍ଲାପାଳ ପ୍ରକାଶ କରିଥିଲେକି କେଉଁ ଇଭିଏମ଼୍ କେଉଁ ବୁଥ୍‌କୁ ଯିବ କେଉଁ ଇଭିଏମ୍ ସବୁ ସଂରକ୍ଷିତ ରହିବ ସେ ସବୁର ତାଲିକା ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଅବଗତ କରାଯିବ । ଉପନିର୍ବାଚନ ପରିଚାଳନା କାର୍ଯ୍ୟରେ ଯେଉଁଠି ବି ଯାହା ସନ୍ଦେହ ଉପୁଜିଲେ ଦଳୀୟ କର୍ମକର୍ତ୍ତାମାନେ ନିର୍ବାଚନ ଅଧିକାରୀ ଅତିରିକ୍ତ ଉପଜିଲ୍ଲାପାଳ /ଜିଲ୍ଲା ନିର୍ବାଚନ ଅଧିକାରୀ ଜିଲ୍ଲାପାଳଙ୍କ ଠାରୁ ବୁଝିନେଇ ପାରିବେ ବୋଲି ମଧ୍ୟ ଜିଲ୍ଲାପାଳ ଜଣାଇଥିଲେ । ଆଦର୍ଶ ଆଚରଣ ବିଧି ପାଳନ ନେଇ ସରକାରୀ ସ୍ତରରେ ସମସ୍ତ ପଦକ୍ଷେପ ନିଆଯାଉଥିଲା ବେଳେ ପ୍ରତି ରାଜନୈତିକ ଦଳ ତରଫରୁ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାରେ ସହଯୋଗ ରହୁ ବୋଲି ଜିଲ୍ଲାପାଳ କାମନା କରିଥିଲେ । ନିର୍ବାଚନ ପରିଚାଳନା ମାର୍ଗଦର୍ଶିକା ଅନୁଯାୟୀ ଆବଶ୍ୟକ ମତେ ଦଳୀୟ କର୍ମକର୍ତ୍ତାମାନଙ୍କ ଉପସ୍ଥିତି ପାଇଁ ସଠିକ୍ ସମୟରେ ଅବଗତ କରାଯିବ ଏବଂ ଏଥିନେଇ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ବୈଠକରେ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking