30.1 C
Bhubaneswar
Friday, February 13, 2026
Homeଓଡିଶାବିଶ୍ବନିୟନ୍ତାଙ୍କ ସୁନାବେଶ ଦର୍ଶନ କରି ଭକ୍ତ ହେଲେ ଭାବବିହ୍ୱଳ

ବିଶ୍ବନିୟନ୍ତାଙ୍କ ସୁନାବେଶ ଦର୍ଶନ କରି ଭକ୍ତ ହେଲେ ଭାବବିହ୍ୱଳ

ପୁରୀ : ବିଶ୍ବନିୟନ୍ତାଙ୍କ ସୁନାବେଶ। ଅଳଙ୍କାରରେ ଆଭୁସିତ ହୋଇଛନ୍ତି ଭାଇ ଭଉଣି। ସକଳ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ମିଳିତ ବିଗ୍ରହ ହେଉଛନ୍ତି ମହାବାହୁ ଶ୍ରୀଜଗନ୍ନାଥ। ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ଏଣୁ ଶ୍ରୀବିଗ୍ରହଙ୍କ ରୀତିନୀତି ଓ ବେଶରେ ପରିଲକ୍ଷିତ ହୁଏ ରାଜକୀୟ ଠାଣି। ମହାପ୍ରଭୁଙ୍କ ସୁନାବେଶ ଏହାର ଏକ ନିଦର୍ଶନ। ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ନିମନ୍ତେ ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହୋଇଥିଲା ନୀତିକାନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁନାବେଶ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଥିଲା। ତେବେ ଅପରାହ୍ନ ୪ଟା ୪୫ ରୁ ସୁନାବେଶ ଆରମ୍ଭ ହୋଇ ୬ଟା ରେ ବେଶ ଶେଷ ହୋଇଥିଲା। ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଚିତ୍ତାକର୍ଷକ ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହି ବେଶରେ ମେକାପ ନିଯୋଗ, ପୁଷ୍ପାଳକ, ଖୁଣ୍ଟିଆ ସେବକ ସାହାଯ୍ୟ କରିଥିଲେ। ରଥ ଉପରେ ଏମାନଙ୍କ ସହିତ ଦଇତାପତି ସେବକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଆଜି ଦ୍ୱିପ୍ରହର ଧୂପ (ଖଇ, କୋରା, ଧୁଆମୁଗ, ଆମ୍ବ, ପଣସ, ନଡ଼ିଆ, ଇତ୍ୟାଦି ଶୁଖିଲି ଭୋଗ) ପରେ ଠାକୁର ମାନଙ୍କୁ ମଇଲମ କରାଯାଇଥିଲା। ମଇଲମ ପରେ ଖଣ୍ଡେ ଖଣ୍ଡେ ଶାଢ଼ି ଓ ଖଣ୍ଡୁଆ ଲାଗି ହୋଇଥିଲେ ଚତୁର୍ଦ୍ଧାମୂରତି। ପରେ ଫୁଟାଲାଗି (ଟାଇଟ୍‌ ବସ୍ତ୍ର ପରିଧାନ କରନ୍ତି) ହୋଇଥିଲେ। ଅଧର ବଳା ଓ ଦୁଇ ଭୁଜରେ ବଳା ଲାଗି ହେବା ପରେ ଅଳଙ୍କାରମାନ ଲାଗି ହୋଇଥିଲା। ବେଶରେ ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ନୀତି ଆଦି ସମ୍ପାଦନା ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ବଡ଼ଠାକୁର ଶ୍ରୀବଳଭଦ୍ର ଓ କାମ୍ପିଲ୍ୟବାସିନୀ ମା’ ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାର ଭୂଷିତ ହୋଇଥିଲେ। ଶ୍ରୀଜଗନ୍ନଥାଙ୍କ ବାଡ଼ରେ ଭିତିରଚ୍ଛ ମହାପାତ୍ର, ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ତଳିଚ୍ଛ ମହାପାତ୍ର ଓ ଦେବୀ ସୁଭଦ୍ରାଙ୍କ ବାଡ଼ରେ ପୁଷ୍ପାଳକ ସେବାୟତ ଯଥାକ୍ରାମେ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥ ଉପରେ ଶ୍ରୀବିଗ୍ରହଙ୍କୁ ସୁନାବେଶ ଧାରଣ କରାଇଥିଲେ। ତିନି ଠାକୁର ଧାରଣ କରିଥିଲେ ଭିନ୍ନ ଭିନ୍ନ ଅଳଙ୍କାର। କୁହାଯାଏ ଯେ ଅନେକ ବର୍ଷ ଧରି ପ୍ରାୟ ୧୩୮ ପ୍ରକାର ସ୍ବର୍ଣ୍ଣଅଳଙ୍କାର ମହାପ୍ରଭୁଙ୍କୁ ଲାଗି କରାଯାଉଥିଲା, କିନ୍ତୁ ସମୟକ୍ରମେ ସେଥିରେ କିଛି ପରିବର୍ତ୍ତନ ଆସିଛି। ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ଅସ୍ଥାୟୀ ଭଣ୍ଡାର ଗୃହରୁ ବା ଚାଙ୍ଗୁଡ଼ି ଘର ରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ ମାନେ, ମାଜିଷ୍ଟ୍ରେଟ, ପୋଲିସ ଓ ଶ୍ରୀମନ୍ଦିର ଅଧିକାରୀଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥିଲେ।ଅନ୍ୟପଟରେ ସୁନାବେଶ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିଛି । ଶ୍ରୀକ୍ଷେତ୍ରରେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହେବା ନେଇ ଆକଳନ କରାଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ୧୯୦ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ପ୍ରାୟ ୨ହଜାର ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ରଥ ଚତୁଃପାର୍ଶ୍ବ ଏବଂ ବଡ଼ଦାଣ୍ଡରେ ଗହଳି ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ବ୍ୟାରିକେଡ୍‌ କରାଯାଇଛି। ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍‌ ଦେଇ ରଥ ସମ୍ମୁଖରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ସେହିପରି ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି ଅପରପାର୍ଶ୍ବ ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ ଭକ୍ତ। ଦଳାଚକଟା ପରିସ୍ଥିତି ଏଡ଼ାଇବା ପାଇଁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ସୁରକ୍ଷା ବଳୟ ସମେତ କୁଇକ୍‌ ରେସପନ୍ସ ଟିମ୍‌ ନିୟୋଜିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking