ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକମାନଙ୍କର କରୋନା ଟେଷ୍ଟ କରାଯାଉଛି । ଗତକାଲି ୨ ବିଧାୟକ,ସାମ୍ବାଦିକ ଓ ବିଧାନସଭା କର୍ମଚାରୀଙ୍କୁ ମିଶାଇ ୧୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଆଜି ଉପବାଚସ୍ପତି ରଜନୀକାନ୍ତ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ସହ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନାରେ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ , ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ବିଧାୟକ ଉମାକାନ୍ତ ସାମନ୍ତରାୟ ଟ୍ୱିଟ କରି ସୂଚନା ଦେଇଛନ୍ତିି । ଏହା ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ଗତକାଲି ବିଧାନସଭା ପରିସରରେ କରୋନା ଟେଷ୍ଟ କରାଇଥିଲେ ବିଧାୟକ ଉମାକାନ୍ତ ସାମନ୍ତରାୟ ।
ସୂଚନା ଯୋଗ୍ୟ ରାଜ୍ୟରେ ପ୍ରତିଦିନ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଥମିବାର ନାଁ ନେଉନି କରୋନା ସଂକ୍ରମଣ । ରାଜ୍ୟରେ ଏଥିସହ ପ୍ରତିଦିନ ଟେଷ୍ଟ ସଂଖ୍ୟା ମଧ୍ୟ ବଢିଚାଲିଛି । ତେବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ରାଜ୍ୟରେ ଟେଷ୍ଟ ସଂଖ୍ୟା ବଢିଥିବାରୁ ପ୍ରତିଦିନ ସଂକ୍ରମଣ ସଂଖ୍ୟା ମଧ୍ୟ ବଢୁଛି । ରାଜ୍ୟରେ ଆଜି ୩୨୩୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୨୩୫ ପଜିଟିଭ ମଧ୍ୟରୁ ୧୯୧୫ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ୧୩୨୦ ଲୋକାଲ କେସ୍ ଭାବେ ଚିହ୍ନଟ ହୋଇଛନ୍ତି । ଏଥିସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୨ ହଜାର ୬୦୯କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୩୮ ହଜାର ୧୭୨ ଆକ୍ଟିଭ କେସ୍ ରହିଛି । ଏଥିସହ କରୋନାକୁ ହରାଇ ୧ ଲକ୍ଷ ୭୩ ହଜାର ୫୭୧କୁ ବୃଦ୍ଧି ପାଇଛି । ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ ପୁଲ୍ ରୁ ୨୪ ଘଣ୍ଟାରେ ୩୨୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି ।