15.1 C
Bhubaneswar
Sunday, January 5, 2025
Homeଓଡିଶାଧାନସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସରଳ କରିବା ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଗୁରୁତ୍ୱ

ଧାନସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସରଳ କରିବା ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଧାନସଂଗ୍ରହ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ସମବାୟ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୂଜାଙ୍କ ସମେତ ଅନ୍ୟ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ ।

ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଧାନସଂଗ୍ରହ ପ୍ରକ୍ରିୟା ସ୍ୱଚ୍ଛ ଓ ସରଳ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ୱଚ୍ଛତା ବଜାୟ ରହିବା ସହ ସଂପୂର୍ଣ୍ଣ ପ୍ରକ୍ରିୟାକୁ ଦୁର୍ନୀତିମୁକ୍ତ କରିବା ନିମନ୍ତେ ତୃତୀୟ ପକ୍ଷ ଦ୍ୱାରା ଯାଞ୍ଚ କରାଯିବ । କୌଣସି ସୂଚନା ପାଇବା ପାଇଁ କିମ୍ବା ଅସୁବିଧାର ସମ୍ମୁଖୀନ ହେଲେ ଚାଷୀମାନେ ଟୋଲ୍‌ ଫ୍ରି ନଂ-୧୯୬୭କୁ ଫୋନ୍‌ କରିପାରିବେ । ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ୩୦ଟି ସିଟ୍‌ ଥିବା କଲ୍‌ ସେଣ୍ଟର ଖୋଲାଯାଇଛି । ଏହା ଖାଦ୍ୟଯୋଗାଣ ନିଗମ ଦ୍ୱାରା ପରିଚାଳିତ ହେବ । ଧାନମଣ୍ଡିରୁ ମିଲ୍‌ ପର୍ଯ୍ୟନ୍ତ ଧାନ ଯିବା ପାଇଁ ଟେଣ୍ଡର ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନା, ଶିକ୍ଷା ଓ ସଂଚାର ଅଭିଯାନ ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଯିବ । ଏହା ବ୍ୟତୀତ ପ୍ରତି ମଣ୍ଡି ଏବଂ ସୁଲଭ ମୂଲ୍ୟ ଦୋକାନରେ ଧାନସଂଗ୍ରହ ସଂପର୍କିତ ନିର୍ଦ୍ଦେଶାବଳୀ ପ୍ରଦର୍ଶିତ ହେବ । ଆସନ୍ତା ଦୁଇତିନିଦିନ ମଧ୍ୟରେ ଚାଷୀଙ୍କ ନିମନ୍ତେ ଉପଯୋଗୀ ନିର୍ଦ୍ଦେଶାବଳୀ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପ୍ରେରଣ କରାଯିବ । ଧାନସଂଗ୍ରହ ପ୍ରକ୍ରିୟାକୁ ଦଲାଲ୍‌ମୁକ୍ତ କରିବା ପାଇଁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲାସ୍ତରୀୟ ସଂଗ୍ରହ କମିଟିଗୁଡ଼ିକ ଗ୍ରାମ ତଥା ଜିଲ୍ଲାସ୍ତରରେ ଧାନସଂଗ୍ରହ କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରିବେ । ଏଥି ସହିତ ମିଲର୍‌ମାନଙ୍କ ସମସ୍ୟା ଓ ଦାବି ବିଷୟରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking