ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ରଟି ଆଜି ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠାରୁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅବପାତଟି କ୍ରମେ ଘନୀଭୂତ ହୋଇ ଆସନ୍ତାକାଲି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ପହଞ୍ଚି ଏହା ଗଭୀର ଅବପାତର ରୂପ ନେବ ।
ପରେ ଧୀରେ ଧୀରେ ଏହାର ଗତିପଥ ବଦଳିବ ଓ ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ଉତ୍ତର ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଓଡ଼ିଶା ଉପକୂଳ ମୁହାଁ ହେବ । ଏହା ପ୍ରବାହରେ ଆସନ୍ତାକାଲି ବର୍ଷାର ମାତ୍ରା ସର୍ବାଧିକ ରହିବ । ଆସନ୍ତାକାଲି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଯାଜପୁର, ବାଲେଶ୍ୱର ଓ ଢେଙ୍କାନାଳ ପ୍ରଭୃତି ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।
୧୭ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୮ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ହେବାର ସମ୍ଭାବନା ରହିଛି ।