ଢେଙ୍କାନାଳ : ନାମ ବେଙ୍ଗ ବେହେରା । ବୟସ ୬୬ ହେଲାଣି । ଜୀବନଧାରଣ ପାଇଁ ବାର ଦୁଆର ହେଉଛନ୍ତି ଏହି ବିଧବା ମହିଳା । ପୁରୁଷ ନଥିବା ତାଙ୍କ ପରିବାରରେ ନିଜେ ଖଟି ପେଟ ପୋଷୁଛନ୍ତି । ଛେଳି ଚରାଇବା ସହ ପରଘରେ ମୁଲଲାଗି ପେଟକୁ ଦାନା ଯୋଗାଡ଼ କରୁଛନ୍ତି । ରାସନ କାର୍ଡ ଅଛି ହେଲେ ମିଳୁନି ରାସନ ସାମଗ୍ରୀ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ପଞ୍ଚୟତ ଅନ୍ତର୍ଗତ କୀର୍ତ୍ତନପୁର ମୁଳବାସିନ୍ଦା ସ୍ୱର୍ଗତ ବାବୁଆ ବେହେରାଙ୍କ ପ୍ରଥମ ସ୍ତ୍ରୀ ବେଙ୍ଗଙ୍କ ପାଇଁ ସରକାରୀ ଯୋଜନାଗୁଡିକ ଯେମିତି ରାସ୍ତା ବନ୍ଦ ହେଲାଭଳି ଜଣାପଡୁଛି ।
ଦିନ ମଜୁରିଆ ବାବୁଆ ବେହେରା ପେଶାରେ ଜଣେ କମାର ଥିଲେ । ସେ ପୁତ୍ର ସନ୍ତାନ ଆଶାରେ ଦୁଇଟି ବିବାହ କରିଥିଲେ । ମାତ୍ର ପୁତ୍ର ଆଶା ତାଙ୍କର ଆଶାରେ ରହିଗଲା । ସ୍ୱର୍ଗବାସୀ ବାବୁଆ ଛାଡିଯାଇଛନ୍ତି ନିଜର ଦୁଇ ବିଧବା ପତ୍ନୀ ଏବଂ ବିବାହ ଯୋଗ୍ୟା ଝିଅ ବେବିନାକୁ। ଯେଉଁ ବୟସରେ ବିବାହ କରି ଘର ସଂସାର କରିବା କଥା ଆର୍ଥିକ ଅନାଟନ ହେତୁ ପାଠ ପଢିନଥିବା ବେବିନା ଅନ୍ୟର ଛେଳି ଛରାଇ କିମ୍ବା ମୂଲ କରି ପରିବାର ପ୍ରତିପୋଷଣ କରିବାକୁ ଚେଷ୍ଟା ଜାରିରଖିଛି । ତେବେ ଏହି ପୁରୁଷ ଶୂନ୍ୟ ପରିବାର ଉପରେ ପ୍ରଶାସନ କୃପା ଦୃଷ୍ଟି ନପକାଇବା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି । ସେମାନେ ପରଘରେ ମୁଲ ନଲାଗିଲେ ତାଙ୍କର ଚୁଲି ଜଳେନି । ବାବୁଆ ବେହେରାଙ୍କ ପ୍ରଥମ ସ୍ତ୍ରୀ ବେଙ୍ଗଙ୍କ ମସ୍ତିକ ବିକୃତ ଥିବା ବେଳେ ୨ୟ ସ୍ତ୍ରୀ ଖୋଲଣାଙ୍କ ପାଇଁ ସ୍ୱାମୀ ଛାଡିଯାଇଥିବା ଭଙ୍ଗାଦଦରା କୁଡିଆ ଏକମାତ୍ର ଆଶ୍ରୟ ସ୍ଥଳ ଭାବେ ପରିଗଣିତ ହୋଇଛି । ଯାହା ଏବେ ବାସ ଅନୁପଯୋଗୀ । ଯେଉଁଥି ପାଇଁ ଏହି ନିରାଶ୍ରୟ ପରିବାର ଗ୍ରାମ ନିକଟରେ ଥିବା ଭୂଷଳର ପିଉସାଙ୍କ ଘରେ ଆଶ୍ରିତ ।
ସୂଚନା ଯୋଗ୍ୟ, ତାଙ୍କ ପିଉସା କାମଧନ୍ଦା ଅନ୍ୱେଷଣରେ ଢେଙ୍କାନାଳ ସଦର ବ୍ଲକର ବଣସିଂ ଗ୍ରାମରେ ବାସକରୁଛନ୍ତି । ଦାରିଦ୍ର ତାଡନା ଭିତରେ ବେଙ୍ଗର ଦୁଃଖ ଏଇଠି ସରିନାହିଁ । ସରକାର ଓ ସରକାରୀ ବାବୁଙ୍କ ଦୃଷ୍ଟିଆଢୁଆଳରେ ରହିଯାଇଛନ୍ତି ବେଙ୍ଗଙ୍କ ପରିବାର । ବେଙ୍ଗଙ୍କ ନାମରେ ଥିବା ରାସନ କାର୍ଡ ୦୯୦୧୦୪୨୦୯୦୧ ରେ ବାବୁଆଙ୍କ ନାମ ରହିଛି । ହେଲେ ବେଙ୍ଗଙ୍କୁ ଚାଉଳ ମିଳୁନି । ବାବୁଆ ବେହେରାଙ୍କ ଦ୍ୱିତୀୟ ସ୍ତ୍ରୀ ଖୋଲଣା ଭତ୍ତା ପାଉଛି । ଝିଅ ବେବିବା ମଧ୍ୟ ବିବାହ ଯୋଗ୍ୟ ହୋଇଥିଲେ ବି ବିବାହ ହୋଇନାହିଁ । ମାଆ ଝିଅଙ୍କୁ ମିଳୁଛି ୧୦ କେଜି ଚାଉଳ । ଭଙ୍ଗାଘରେ ୩/୪ଟି ଛେଳି ଅଛି । ଯାହାକୁ ନେଇ ତାଙ୍କ ସଂସାର । ଘରେ ଲାଗିଛି ତାଟି । ପ୍ରତିଥର ପଞ୍ଚାୟତର ନିର୍ବାଚନ ବେଳେ ବାବୁମାନେ ଆସୁଛନ୍ତି । ଆମ ଗରିବିକୁ ଦେଖି ଯାଉଛନ୍ତି । ନା ମିଳୁଛି ପ୍ରଧାନମନ୍ତ୍ରୀ ଆବାସର ଘର ନା ମିଳୁଛି ବେଙ୍ଗ ମାଆକୁ ଭତା ବୋଲି କୁହନ୍ତି ଲୁହ ଛଳଛଳ ଆଖିରେ ବେବିବା ବେହେରା । ପଞ୍ଚାୟତ ବାବୁମାନେ କହୁଛନ୍ତି ଘରଅଛି । ପ୍ରକୃତରେ ବେବୀର ପିଉସା ଗଁଦିଆ ବ୍ଲକ ବଣସିଂରେ ରହି କାମ ଦାମ କରୁଥିବାରୁ ତାଙ୍କ ଘରେ ବେଙ୍ଗ ମାଆ, ସହିତ କଷ୍ଟରେ ରହୁଥିବା କହିଛନ୍ତି ବେବିବା । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।