29.1 C
Bhubaneswar
Monday, February 9, 2026
Homeଓଡିଶାପଣ୍ଡାସାହିରେ ଡେଙ୍ଗୁ ଆତଙ୍କ, ୭ ସଂକ୍ରମିତ

ପଣ୍ଡାସାହିରେ ଡେଙ୍ଗୁ ଆତଙ୍କ, ୭ ସଂକ୍ରମିତ

ବାଲେଶ୍ୱର: ଜିଲ୍ଲାର ରେମୁଣା ଏନ୍‌ଏସି ଅନ୍ତର୍ଗତ ୨ନଂ ୱାର୍ଡ଼ କଅଁରାଳି ମୌଜାର ପଡ଼ାଗ୍ରାମ ପଣ୍ଡାସାହିରେ ଡେଙ୍ଗୁ ଜ୍ୱର ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୭ ଜଣ ସଂକ୍ରମିତ ହୋଇଥିବାବେଳେ ଆଗକୁ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଦୁଃଖର ବିଷୟ ୧୦ରୁ ୧୨ ଦିନ ପୂର୍ବରୁ ଗାଁରେ ଡେଙ୍ଗୁ ସଂକ୍ରମଣ ଆରମ୍ଭ ହୋଇଥିଲେ ବି ଆଶା କିମ୍ବା କାଉନସିଲର୍ ଏନଏସି ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇନାହାନ୍ତି । ଫଳରେ ଡେଙ୍ଗୁ ସଂକ୍ରମଣ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଗ୍ରାମର ଗଣେଶ୍ୱର ଗିରି, ସାବିତ୍ରୀ ଗିରି, ଝରଣା ମହାର୍ଣ୍ଣା, ଜଗନ୍ନାଥ ମାହାର୍ଣ୍ଣା ଓ ଗୌତମ ମାହାର୍ଣ୍ଣା ଡାକ୍ତାରଖାନାରୁ ଚିକିତ୍ସିତ ହୋଇ ଫେରିଛନ୍ତି।

ଅନ୍ୟପଟେ ବନମାଳୀ ପ୍ରଧାନ ଓ କବିତା ମହାର୍ଣ୍ଣା ଚିକିତ୍ସାଧୀନ ଅଛନ୍ତି। ଦୟାନିଧି ମାହାର୍ଣ୍ଣଙ୍କ ରକ୍ତ ପରୀକ୍ଷା ପାଇଁ ଯାଇଥିବାର ଜଣାପଡ଼ିଛି । ଏନେଇ ରେମୁଣା ଏନ୍‌ଏସି ନିର୍ବାହୀ ଅଧିକାରୀ ଗଗନ ବିହାରୀ ଦାଶ କହିଛନ୍ତି ଯେ ପଣ୍ଡାସାହି ପଡ଼ାଗ୍ରାମରେ ଡେଙ୍ଗୁ ସଂକ୍ରମଣ ନେଇ ତାଙ୍କ ପାଖରେ ଖବର ପହଞ୍ଚିନି। ଶନିବାର ଗାଁକୁ ମଶାମରା ଟିମ୍ ପଠାଇ ମଶା ମାରିବା ବ୍ୟବସ୍ଥା କରିବା ସହ ଆର୍ବଜନା ସଫା କରିବାକୁ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଅନ୍ୟପଟେ ରେମୁଣା ସିଏଚ୍‌ସି ଚିକିତ୍ସାଧିକାରୀ ରାମଚନ୍ଦ୍ର କିସ୍କୁଙ୍କୁ ପଚାରିବାରୁ ଡାକ୍ତରଖାନା ପକ୍ଷରୁ ଚିକିତ୍ସା ନେଇ ବିହିତ ପଦକ୍ଷେପ ନେବା ସହ ଜଣେ ଡାକ୍ତରଙ୍କୁ ଗାଁକୁ ପଠାଇ ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ଆଶାକର୍ମୀ ଅନୀତା ଗିରିଙ୍କୁ ୨ଥର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ କାଟି ଦେଇଥିଲେ। ପରେ ଡାକ୍ତରଖାନାକୁ ରିପୋର୍ଟ କରିଥିବା ସେ କହିଥିଲେ। ତେଣୁ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଉଭୟ ଏନ୍‌ଏସି ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷ ଗାଁରେ ଡେଙ୍ଗୁ ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking