23.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ଫଳାଫଳ, ବିଜେପିକୁ ପଛରେ ପକାଇ ଆପ୍‌ର ବାଜିମାତ୍‌

ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ଫଳାଫଳ, ବିଜେପିକୁ ପଛରେ ପକାଇ ଆପ୍‌ର ବାଜିମାତ୍‌

ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ (ଏମ୍‌ସିଡି) ନିର୍ବାଚନର ଫଳାଫଳ ବୁଧବାର ଘୋଷଣା କରାଯାଇଛି । ବିଗତ ୧୫ ବର୍ଷ ଧରି ଚାଲିଆସୁଥିବା ବିଜେପିର ଆଧିପତ୍ୟକୁ କ୍ଷୁଣ୍ଣ କରି ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଏହି ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଏମ୍‌ସିଡିର ମୋଟ ୨୫୦ ଆସନ ପାଇଁ ସୋମବାର ଭୋଟଗ୍ରହଣ କରାଯାଇଥିଲା । ଆପ୍ ଏଥିମଧ୍ୟରୁ ୧୩୪ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି ପ୍ରାର୍ଥୀ ୧୦୪ଟି ଆସନ ହାତେଇଛନ୍ତି । ଅପରପକ୍ଷରେ କଂଗ୍ରେସକୁ ୯ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ୧୨୬ଟି ଆସନ ଆବଶ୍ୟକ ପଡୁଥିବାବେଳେ ଆପ୍ ଏହାଠାରୁ ୮ଟି ଅଧିକ ଆସନ ଜିତିପାରିଛି । ସୂଚନାଯୋଗ୍ୟ ୨୦୧୭ ନିର୍ବାଚନରେ ବିଜେପି ୧୮୧ ଆସନ କବ୍‌ଜା କରିଥିବାବେଳେ ଆପ୍ ଝୁଲାରେ ୪୮ଟି ଆସନ ପଡିଥିଲା ।

ଫଳାଫଳ ଘୋଷିତ ହେବାପରେ ଆପ୍ ଶିବିରରେ ଧୁମ୍‌ଧାମ୍‌ରେ ବିଜୟ ଉତ୍ସବ ପାଳିତ ହୋଇଛି । ଏକ୍‌ଜିଟ୍ ପୋଲ୍‌ରୁ ଦଳର ବିଜୟ ଏକପ୍ରକାର ନିଶ୍ଚିତ ଜଣାପଡୁଥିବାବେଳେ ଦଳୀୟ ନେତା ଓ କର୍ମୀ ବିଜୟ ଉତ୍ସବ ପାଇଁ ଆଗୁଆ ପ୍ରସ୍ତୁତି କରିଥିଲେ । ବୁଧବାର ସକାଳୁ ଆପ୍ କର୍ମୀମାନେ କାର୍ଯ୍ୟାଳୟରେ ବିଜୟୀ ପୋଷ୍ଟର ଏବଂ ବେଲୁନ୍ ପ୍ରସ୍ତୁତ କରିଥିଲେ । ଭୋଟଗଣତିର କେତେକ ପ୍ରାରମ୍ଭିକ ପର୍ଯ୍ୟାୟରେ ଆପ୍ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ତେବେ ଶେଷଆଡକୁ ବିଜୟ ନିଶ୍ଚିତ ଜଣାପଡିବାପରେ ଆପ୍ କର୍ମୀ ଓ ନେତାଙ୍କ ମଧ୍ୟରେ ପ୍ରବଳ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିଲା । କର୍ମୀମାନେ ଢୋଲ ବଜାଇ ନାଚଗୀତରେ ମସଗୁଲ ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବେଶରେ ସଜାଇ ହୋଇଥିବା କୁନି କୁନି ଶିଶୁଙ୍କୁ ଦେଖିବାକୁ ମିଳିଥିଲା । ବିଜୟରେ ପ୍ରତିକ୍ରିୟା ପ୍ରକାଶ କରି ଆପ୍ ନେତା ସଞ୍ଜୟ ସିଂହ କହିଛନ୍ତିି ଯେ ବିଜେପି ସବୁବେଳେ କହିଆସୁଛି ଆପ୍ କେବଳ କଂଗ୍ରେସକୁ ପରାସ୍ତ କରିବାରେ ସଫଳ ହେଉଛି । ତେବେ ଚଳିତ ନିର୍ବାଚନରେ ସେମାନେ ଆମଠାରୁ ପଛରେ ରହିବେ, ତାହା ବିଜେପି ନେତୃବର୍ଗ ସ୍ୱପ୍ନରେ ଭାବିନଥିଲେ ବୋଲି ସେ କହିଛନ୍ତି ।

କେଜ୍ରିୱାଲ ଏହି ବିଜୟ ଜରିଆରେ ବିଜେପିକୁ ଉଚିତ ଜବାବ ଦେଇଥିବା ସେ କହିଛନ୍ତି । ରାଜଧାନୀ ଦିଲ୍ଲୀରେ ବିଜେପି ଯଦିଓ ୨୪ ବର୍ଷ ହେଲା କ୍ଷମତାରୁ ଦୂରେଇ ରହିଛି, ତଥାପି ଏମ୍‌ସିଡିରେ ଦଳର ବେଶ ଦବ୍‌ଦବା ରହିଆସୁଥିଲା । ଏପରିକି ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ୭୦ ମଧ୍ୟରୁ ୬୭ ଆସନରେ ବିଜୟୀ ହୋଇଥିଲେ ସୁଦ୍ଧା ୨୦୧୭ ଏମ୍‌ସିଡି ନିର୍ବାଚନର ଫଳାଫଳ ବିଜେପି ସପକ୍ଷରେ ଯାଇଥିଲା । ଉଭୟ ଆପ୍ ଓ ବିଜେପି ବର୍ତ୍ତମାନ ଦିଲ୍ଲୀକୁ ଶାସନ କରୁଛନ୍ତି । ରାଜ୍ୟ ଶାସନଭାର ଆପ୍ ହାତରେ ଥିବାବେଳେ କେନ୍ଦ୍ରରେ କ୍ଷମତାସୀନ ବିଜେପି ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦିଲ୍ଲୀକୁ ନିୟନ୍ତ୍ରଣ କରୁଛି । ଫଳରେ ଚଳିତ ଏମ୍‌ସିଡି ନିର୍ବାଚନ ଏହି ଦୁଇଟି ଦଳ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଥିଲା । ପୂର୍ବରୁ ଏମ୍‌ସିଡିକୁ ତିନିଟି ଭାଗରେ ବିଭକ୍ତ କରାଯାଇଥିବାବେଳେ ଚଳିତବର୍ଷ ଏଗୁଡିକୁ ଏକତ୍ର କରାଯାଇଛି । ପ୍ରତ୍ୟେକ ୱାର୍ଡର ସୀମା ପୁନଃନିର୍ଦ୍ଧାରଣ କରାଯାଇଥିବାବେଳେ ଚଳିତ ନିର୍ବାଚନରେ ମୋଟ ୧୩୦୦ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏମ୍‌ସିଡି ନିର୍ବାଚନ ଲଢିଥିବାବେଳେ କେଜ୍ରିୱାଲଙ୍କୁ ଭରସା କରିଥିଲା ଆପ୍ ।

ଏପରିକି ପ୍ରଚାର କାର୍ଯ୍ୟରେ କେତେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ମଧ୍ୟ ନିଜକୁ ସାମିଲ କରିଥିଲେ । ଚଳିତବର୍ଷ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ସରକାର ଝୁମ୍ପୁଡି ବାସିନ୍ଦାଙ୍କୁ ପକ୍କା ଘର ବଣ୍ଟନ କରିଥିଲେ । ବିଜେପିର ସ୍ଲୋଗାନ ‘ମୋଦୀ ଡବଲ ଇଞ୍ଜିନ’ ଥିବାବେଳେ ଆପ୍ ପକ୍ଷରୁ ପ୍ରଚାର ଅଭିଯାନରେ ‘କେଜ୍ରିୱାଲଙ୍କ ସରକାର, କେଜ୍ରିୱାଲଙ୍କ କର୍ପୋରେଟର’ ସ୍ଲୋଗାନ ବ୍ୟବହାର କରାଯାଇଥିଲା । ତେବେ ଏହି ନିର୍ବାଚନରେ କଂଗ୍ରେସ ଏକପ୍ରକାର ମୂଳପୋଛ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ୨୦୧୪ ପରଠାରୁ ଦିଲ୍ଲୀରେ କଂଗ୍ରେସର ପତିଆରା କ୍ରମଶଃ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି । କଂଗ୍ରେସ ବର୍ତ୍ତମାନ ଭାରତ ଯୋଡ ଯାତ୍ରାକୁ ଅଗ୍ରାଧିକାର ଦେଉଥିବାବେଳେ ଏମ୍‌ସିଡି ନିର୍ବାଚନ ପ୍ରତି ଆଦୌ ଧ୍ୟାନ ଦେଇନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking