17.1 C
Bhubaneswar
Monday, November 18, 2024
Homeଓଡିଶାଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଉପକରଣ

ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଉପକରଣ

ଭୁବନେଶ୍ୱର: ପ୍ରତିଟି ଓଡ଼ିଆଙ୍କ ପାଇଁ ଖୁସି ଖବର । ଓଡ଼ିଶାର ‘ଆନାଡ୍ରୋନ୍ ସିଷ୍ଟମ’ ନାମକ ଏକ ସଂସ୍ଥା ଉତ୍ପାଦନ କରିବ ପ୍ରତିରକ୍ଷା ଉପକରଣ । ଭାରତୀୟ ବାୟୁସେନା ଓ ସ୍ଥଳସେନା ପାଇଁ ଏହା ଉପଯୋଗୀ ହେବ । ଏଥିପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଉକ୍ତ ସଂସ୍ଥାର ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଶୁକ୍ରବାର ଇଡ୍‌କୋ ଟାୱାରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ‘ଆନାଡ୍ରୋନ୍ ସିଷ୍ଟମ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନନ୍ତ ବାଲୋଟିଆ ଏବଂ ବିଶେଷଜ୍ଞ ବ୍ରିଗେଡିଅର ଏଲ୍ ସି ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଯେ ଓଡ଼ିଶାର ଗୋପାଳପୁର ଠାରେ ଟାଟା ଏସଇଜେଡ୍‌ରେ ଆନାଡ୍ରୋନ୍ ସିଷ୍ଟମ ଦ୍ୱାରା ଉତ୍ପାଦନ ହେବ ପ୍ରତିରକ୍ଷା ଉପକରଣ । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ମେକ୍‌ଇନ୍ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଆକାରରେ ଓଡ଼ିଶା ସ୍ଥିତ ଆନାଡ୍ରୋନ୍ ସିଷ୍ଟମ୍ ଭାରତୀୟ ସ୍ଥଳସେନା ଏବଂ ବାୟୁସେନାକୁ ଉନ୍ନତ ପ୍ରତିରକ୍ଷା ଯନ୍ତ୍ରପାତି ଯୋଗାଇବା ପାଇଁ ଚୁକ୍ତିବଦ୍ଧ ହୋଇଛି ।

ସିଇଓ ଶ୍ରୀ ଭାଲୋଟିଆ ଓଡ଼ିଶା ସରକାରଙ୍କ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ -‘ଗୋ ସିଷ୍ଟ’କୁ ପ୍ରଶଂସା କରି କହିଛନ୍ତି ଯେ ଉଦ୍ୟୋଗୀ ତଥା ଏମ୍‌ଏସ୍‌ଏମ୍‌ଇଙ୍କୁ ନିରନ୍ତର ଉତ୍ସାହିତ କରୁଥିବାରୁ ନୂଆ ଉଦ୍ୟୋଗୀ ନିଶ୍ଚିତ ଭାବେ ପ୍ରୋତ୍ସାହିତ ହେବେ । ବିଶେଷକରି ପ୍ରତିରକ୍ଷା,ଏରୋସ୍ପେସ୍ ଏବଂ ଅନ୍ୟାନ୍ୟ ନୂତନ ଯୁଗର ଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ଆଗ୍ରହୀ ଥିବା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ଏଭଳି ପ୍ରୟାସ ଆହୁରି ରୁଦ୍ଧିମନ୍ତ କରିବ । ଓଡ଼ିଶାରେ କମ୍ପାନୀର ଭବିଷ୍ୟତ ବିସ୍ତାର ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି ଯେ ଓଡ଼ିଶା ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଉତ୍ପାଦନ ନୀତି-୨୦୧୮ର ଆସିବା ପରେ ‘ଆନାଡ୍ରୋନ୍ ସିଷ୍ଟମ୍‌’ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ୨୦୧୬ରେ ବ୍ରିଟେନ୍‌ରେ ଓଡ଼ିଶାର ଏକ ପ୍ରତିନିଧି ଦଳର ଅଂଶ ଗ୍ରହଣ କରି ସଫଳ ହୋଇଥିଲା ।

ଲାର୍ସନ୍ ଏବଂ ଟୁବ୍ରୋ ଭଳି କମ୍ପାନୀ ମଧ୍ୟ ଏହି ଚୁକ୍ତି ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ଆମ ସଂସ୍ଥା ସଫଳ ହୋଇଛି । କମ୍ପାନୀ ଦ୍ୱାରା ଉତ୍ପାଦିତ ହେଉଥିବା ଶିକ୍ରା ମେଟ୍ ସିଷ୍ଟମ ହେଉଛି ବଂଶୀ ଜେଟ୍‌-୪୦ ସିଷ୍ଟମ୍‌ର ଏକ ସ୍ଥାନୀୟ ସଂସ୍କରଣ, ଯାହା ପୂର୍ବରୁ ସଶସ୍ତ୍ର ବାହିନୀ ଦ୍ୱାରା ଆମଦାନୀ ହୋଇଥିଲା । ସରଳ, ସ୍ୱଳ୍ପ କ୍ଷମତା ସମ୍ପନ୍ନ ମଡେଲ ବିମାନ ଟାର୍ଗେଟ୍‌ରୁ ଅତ୍ୟାଧୁନିକ ‘ଉଚ୍ଚ ସବ୍‌ସୋନିକ୍‌’ ଏବଂ ‘ସୁପର୍‌ସୋନିକ୍ ସିଷ୍ଟମ’ ପର୍ଯ୍ୟନ୍ତ ବାୟୁ ପ୍ରତିରକ୍ଷା ତାଲିମ ପାଇଁ ସିଷ୍ଟମ ଗଠନ ନିମନ୍ତେ କମ୍ପାନୀ ବ୍ରିଟେନର ଏକ ପ୍ରତିରକ୍ଷା ବୈଷୟିକ କମ୍ପାନୀ ସହିତ ସହଭାଗିତା ପ୍ରତିଷ୍ଠା କରିଛି । ଗୋପାଳପୁରର ଟାଟା ଷ୍ଟିଲ୍ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ଏହାର ଏକ ଉତ୍ପାଦନ ୟୁନିଟ୍ ରହିଛି । ଖୁବଶୀଘ୍ର ଉତ୍ପାଦନ ଆରମ୍ଭ ହେବ ।

ଶ୍ରୀ ବାଲୋଟିଆ କହିଛନ୍ତି ଯେ ମେକ୍ ଇନ୍ ଇଣ୍ଡିଆ ବର୍ଗ-୨ ଅନ୍ତର୍ଗତ ୫୦ପ୍ରତିଶତରୁ ଅଧିକ ଦେଶଜ ଅଂଶୀଦାର ଥିବା ଶିଳ୍ପ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ଅନୁସନ୍ଧାନ ଏବଂ ବିକାଶ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଥିବା ବର୍ଗରେ ୧୨୫ ‘ମନୋଭ୍ୟୁରେବଲ୍ ଏକ୍ସପେଣ୍ଡେବଲ୍ ଏରିଆଲ୍ ଟାର୍ଗେଟ୍ (ମିଟ୍‌) ଉତ୍ପାଦନ ହେବ । ଏଥିସହ ୯୬ କୋଟି ଟଙ୍କା ମୂଲ୍ୟର ଆନୁସଙ୍ଗିକ ଉପକରଣ ପ୍ରସ୍ତୁତି ପାଇଁ ବି ଚୁକ୍ତିନାମା ହୋଇଛି । ଅପରପକ୍ଷରେ ଅବସରପ୍ରାପ୍ତ ବ୍ରିଗେଡ଼ିଅର ଏଲସି ପଟ୍ଟନାୟକ କହିଥିଲେ ଦେଶର ପ୍ରତିରକ୍ଷା ପ୍ରକଳ୍ପରେ ଅଂଶଗ୍ରହଣ କରିବା ପାଇଁ ଏହି ପଦକ୍ଷେପ ଅଧିକ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀଙ୍କୁ ଆକର୍ଷିତ କରିବ । ଏଥିଯୋଗୁଁ ଆମଦାନୀ ହାରକୁ ହ୍ରାସ କରିବା ସହ ଭାରତର ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ । ଦେଶର ଅର୍ଥ ବାହାର ଦେଶକୁ ଯିବ ନାହିଁ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking