କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅଞ୍ଚଳରେ ଗତ ୨୦୧୪ ମସିହାରେ ଘଟି ଯାଇଥିବା ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଘଟଣାର ଶନିବାର ରାୟ ପ୍ରକାଶ ପାଇଛି । ଏଥିରେ ଅଭିଯୁକ୍ତକୁ ୧୦ବର୍ଷ ଜେଲ ଓ ୭ହଜାର ଟଙ୍କା ଜୋରିମାନା ଆଦେଶ ହୋଇଛି । ଜୋରିମାନା ଅନାଦେୟ ୩ମାସ ଅଧିକ ଜେଲ ଦଣ୍ଡାଦେଶ ଭୋଗିବେ ବୋଲି କୋର୍ଟ ଦଣ୍ଡାଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଚମ୍ପୁଆ ଥାନା ଚମକପୁର ଅଞ୍ଚଳର ଅନୀଲ ଓରଫ୍ ଉତ୍ତମ ଓରଫ୍ କୁମ୍ବଲେ ମହାକୁଡ଼(୨୪) କେନ୍ଦୁଝର ସହର ନିକଟସ୍ଥ ଶଙ୍କରପୁରଠାରେ ଥିବା ଏକ ଢାବାରେ କାମ କରୁଥିବା ବେଳେ ସେଠାରେ ପଣ୍ଡାପଡ଼ା ଥାନା ପଟିଲୋ ଅଞ୍ଚଳର ଜଣେ ଯୁବକ କାମ କରୁଥିଲେ । ତେଣୁ ପଟିଲୋ ଅଞ୍ଚଳର ଯୁବକଙ୍କ ସହ ଅନୀଲ ମହାକୁଡ ସଂପର୍କ ବଢ଼ିଥିଲା । ଏହାର ସୁଯୋଗରେ ତାଙ୍କ ଘରକୁ ଅନୀଲ ଯିବା ଆସିବା କରୁଥିଲେ ।
ଅନୀଲଙ୍କ ସାଙ୍ଗଙ୍କର ଏକ ନାବାଳିକା ଭଉଣୀ ଘରେ ଥିଲେ । ସମୟକ୍ରମେ ତାଙ୍କୁ ଅଭିଯୁକ୍ତ ଧରମ ଭଉଣୀ କରିବା ସହ ତାଙ୍କ ଗାଁ ଚମକପୁରକୁ ନେଇ ବୁଲାଇ ଆଣିବେ ବୋଲି କହିଥିଲା । ଶେଷରେ ଗତ ୧୨.୭.୨୦୧୪ରେ ନାବାଳିକାକୁ ତାଙ୍କ ଘରକୁ ବୁଲାଇ ନେବାକୁ କହି ଅନୀଲ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ାଠାରେ ଥିବା ତାଙ୍କ ପିଉସୀ ଘରକୁ ନେଇ ଯାଇଥିଲା ଏବଂ ସେଠାରେ ନାବାଳିକାକୁ ଜବରଦସ୍ତ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ଘରେ ଥିବାବେଳେ ନାବାଳିକା ଜଣକ କୌଣସି ମତେ ତାଙ୍କ ନିଜ ଘରକୁ ଏ ବାବଦରେ ଜଣାଇଥିଲେ ।
ପରିବାର ଲୋକ ସେଠାରେ ପହଞ୍ଚି ନାବାଳିକାଙ୍କ ସହ ଅଭିଯୁକ୍ତ ଯୁବକକୁ ଧରି ପଣ୍ଡାପଡା ଥାନାରେ ଅଭିଯୋଗ କରିଥିଲେ । ପଣ୍ଡାପଡା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାରେ ଶନିବାର ଚୂଡାନ୍ତ ଶୁଣାଣି ହୋଇଥିଲା । କେନ୍ଦୁଝର ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପସ୍କୋ କୋର୍ଟ ଜଜ୍ ଲୋକନାଥ ସାହୁ ଅଭିଯୁକ୍ତକୁ ଦଣ୍ଡାଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ପସ୍କୋ କୋର୍ଟ ସ୍ୱତନ୍ତ୍ର ପିପି ଗଣେଷ ପ୍ରସାଦ ମହାପାତ୍ର ଏହି ମାମାଲା ପରିଚାଳନା କରୁଥିଲେ ।