17.1 C
Bhubaneswar
Sunday, November 24, 2024
Homeଓଡିଶାକରୋନା ପରୀକ୍ଷା ପାଇଁ ପ୍ରତିଯୋଗିତା, ସାମାଜିକ ଦୂରତା ଭୂଲିଗଲେ

କରୋନା ପରୀକ୍ଷା ପାଇଁ ପ୍ରତିଯୋଗିତା, ସାମାଜିକ ଦୂରତା ଭୂଲିଗଲେ

ଦେବଗଡ଼ : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କୋରନା ମହାମାରୀ ସଂପ୍ରତି ସୁନାମି ରୂପ ଧାରଣ କରିସାରିଥିବା ବେଳେ ଏହାକୁ ନେଇ ସାରା ଦେଶ ଆତଙ୍କିତ ଅବସ୍ଥାରେ ରହିଛି । କରୋନା ରୋକିବା ପାଇଁ ସରକାର ତୃଣମୂଳସ୍ତରରୁ ବ୍ୟାପକ ଉଦ୍ୟମ କରିଥିଲେ ମଧ୍ୟ ଦାୟିତ୍ୱରେ ଥିବା ବିଭାଗ ଏବଂ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଅନେକ ସ୍ଥାନରେ କୋଭିଡ୍ ପରିଚାଳନା ବିଫଳ ହେଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି ମଧ୍ୟ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସମାନ ଚିତ୍ର ଜନସାଧାରଣଙ୍କୁ ଆତଙ୍କିତ କରିଥିବା ଦେଖିବାକୁ ମିଳିଛି ।
ଦେବଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ଗ୍ରାଫ୍ ଉପରମୁହାଁ ହେଉଥିବା ବେଳେ ସହରାଞ୍ଚଳଠାରୁ ଗ୍ରାମାଞ୍ଚଳ ଯାଏଁ ପ୍ରତ୍ୟେକ ଦିନ ଶହ ଶହ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଥିବା ଆଣ୍ଟିଜେନ ଏବଂ ଆର୍ଟିପିସିଆର୍ ପରୀକ୍ଷା ପାଇଁ ବ୍ୟାପକ ପ୍ରଚାର ପ୍ରସାର ଫଳରେ ଜନସାଧାରଣଙ୍କ ମଧ୍ୟ ଏହି ସବୁ ପରୀକ୍ଷା କରାଇବା ପାଇଁ ଆଗ୍ରହ ପ୍ରକାଶ ପାଇଛି । ଫଳରେ ଦୈନିକ ଶହ ଶହ ଜନସାଧାରଣ ଏହି ସବୁ ପରୀକ୍ଷା ପାଇଁ ଖରାରେ ଲମ୍ବା ଧାଡ଼ିରେ ଛିଡା ହେଉଥିବା ଦେଖିବାକୁ ମିଳିଛି । ମାତ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାବ ସଂଗ୍ରହ ପାଇଁ ରହିଥିବା ସରକାରୀ ନିର୍ଦ୍ଦେଶାବଳୀକୁ ଅଣଦେଖା କରାଯାଇ ଖୋଲା ଆକାଶ ତଳେ ବିନା ସୁରକ୍ଷା କିଟ୍‌ରେ କର୍ମଚାରୀମାନେ ସ୍ୱାବ ସଂଗ୍ରହ କରୁଛନ୍ତି । ଘଣ୍ଟାଘଣ୍ଟା ଧରି ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଜନସାଧାରଣ ସାମାଜିକ ଦୂରତା ଭୁଲି ପରୀକ୍ଷା ପାଇଁ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରୁଥିବା ଦେଖିବାକୁ ମିଳିଛି । କର୍ମଚାରୀ ଅଭାବ ସାଙ୍ଗକୁ ପ୍ରବଳ ଜନଗହଳି ସ୍ୱାବ ସଂଗ୍ରହ କରୁଥିବା କର୍ମଚାରୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ଗୋଟିଏ ସ୍ଥାନରେ ବିନା ସାମାଜିକ ଦୂରତାରେ ଛିଡ଼ା ହୋଇ ସଂକ୍ରମିତ ଓ ଅସଂକ୍ରମିତ ଏକାକାର ହୋଇଯାଉଥିବାରୁ ସଂକ୍ରମଣର ଆଶଙ୍କା ମଧ୍ୟ ଦ୍ୱିଗୁଣିତ ହୋଇଯାଇଛି । ସେହିପରି ଜନଗହଳିକୁ ଏଡ଼ାଇବାକୁ ଯାଇ ଦାୟିତ୍ୱରେ ଥିବା କର୍ମଚାରୀମାନେ ସ୍ୱାବ ସଂଗ୍ରହ ସ୍ଥଳରେ ହିଁ ଚିହ୍ନଟ ସଂକ୍ରମିତଙ୍କୁ କରୋନା ଔଷଧ ହାତରେ ଧରାଇ କୌଣସି ମାର୍ଗ ଦର୍ଶନ ବିନା ସେମାନଙ୍କୁ ନିଜ ନିଜ ଘରକୁ ପଠାଇଦେଉଥିବାବେଳେ ସଂକ୍ରମିତ ବ୍ୟକ୍ତିମାନେ ମଧ୍ୟ ଜନଗହଳିପୂର୍ଣ୍ଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ରାସ୍ତା ଦେଇ ଯିବା ଆସିବା କରୁଥିବାରୁ ବିଭିନ୍ନ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ପାଇଁ ମଧ୍ୟ ସଂକ୍ରମଣର ଆଶଙ୍କା ସୃଷ୍ଟି କରୁଛି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟଙ୍କ ମତାମତ ଲୋଡିବାରୁ ସେ ଘଟଣାକୁ ସ୍ୱୀକାର କରିବା ସହ ଜନସାଧାରଣଙ୍କଠାରୁ ସହଯୋଗ ପାଇଁ ସେ ଅନୁରୋଧ କରିଥିଲେ । ସେହିପରି ଚିହ୍ନଟ ସଂକ୍ରମିତଙ୍କୁ ଉପଯୁକ୍ତ ପରାମର୍ଶ ବିନା ଔଷଧ ପ୍ରଦାନ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking