ଭୁବନେଶ୍ୱର: ସାଉଦି ଆରବରେ ମୃତ ଓଡିଆ ଯୁବକ ଶୁଭକାନ୍ତ ପ୍ରଧାନଙ୍କ ମରଶରୀର ଆଜି ତାଙ୍କ ଗ୍ରାମରେ ପହଞ୍ଚିଛି । ଶୁଭକାନ୍ତଙ୍କ ମରଶରୀର ଫେରି ଆସିବା ପାଇଁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ହସ୍ତକ୍ଷେପ କରଥିଲେ । ସେ ଶୁଭକାନ୍ତଙ୍କ ମରଶରୀର ଫେରାଇଆଣିବା ପାଇଁ ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରିବା ସହ ଏକ ପତ୍ର ଲେଖି ନିବେଦନ କରିଥିଲେ । ସୂଚନାଯୋଗ୍ୟ, ନୟାଗଡ ଜିଲ୍ଲା ଇଟାମାଟି ଥାନା ଅର୍ନ୍ତଗତ ଲାଠିପଡା (ନୂଆସାହି) ଗ୍ରାମର ପ୍ରହଲ୍ଲାଦ ପ୍ରଧାନଙ୍କ ପୁଅ ଶୁଭକାନ୍ତ ପ୍ରଧାନ ସାଉଦି ଆରବର ଏକ ଘରୋଇ କମ୍ପାନିରେ କାମ କରୁଥିଲେ । ଗତ ଜାନୁଆରି ମାସ ୧୧ ତାରିଖରେ ଶୁଭକାନ୍ତ ଆତ୍ମହତ୍ୟା କରିଥିବା ଖବର କମ୍ପାନି କର୍ତ୍ତୃପକ୍ଷ ପ୍ରହଲ୍ଲାଦଙ୍କୁ ୧୨ ତାରିଖ ଜଣାଇଥିଲେ । ପରିବାର ଲୋକ ବହୁ ଚେଷ୍ଟା କରି ବିଫଳ ହେବା ପରେ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ଇଥିଲେ । ଅନୁରୋଧକ୍ରମେ ଶ୍ରୀ ପଣ୍ଡା ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ମରଶରୀର ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିବେଦନ କରିଥିଲେ । ଶେଷରେ ମରଶରୀର କୋଲକତା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସଡକ ଯୋଗେ ଆଜି ନିଜ ଗ୍ରାମ ଲାଠିପଡାରେ ପହଞ୍ଚିବା ପରେ ସେଠାରେ ଶୋକର ଛାୟା ଖେଳି ଯାଇଥିଲା । ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ପାଇଁ ପରିବାର ଲୋକ କୃତଜ୍ଞତା ଜଣାଇଥିବାବେଳେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।