ନାଗପୁର: ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ପଛରେ ପଡିଯାଇଛି ଅଷ୍ଟ୍ରେଲିଆ । କାରଣ ଭାରତୀୟ ବୋଲରଙ୍କୁ ସାମନା କରିବାରେ ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ ଫେଲ ମାରିଛନ୍ତି । ଫଳରେ ଆଜିର ଏହି ଦିନଟି ଭାରତ ସପକ୍ଷରେ ରହିଛି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ମାତ୍ର ୧୭୭ ରନ କରି ସମସ୍ତ ୱିକେଟ ହରାଇଛି । ଏହାପରେ ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ଏକ ୱିକେଟ ବିନିମୟରେ ୭୭ ରନ ସଂଗ୍ରହ କରିଛି ।
ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମରୁ ହିଁ ଭାରତୀୟ ବୋଲରଙ୍କ ଶିକାର ପାଲଟିଥିଲେ । ଇନିଂସର ଦ୍ୱିତୀୟ ଓଭରରେ ହିଁ ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା ଦେଇଥିଲେ ମହମ୍ମଦ ସିରାଜ । ଏହାପରେ ତୃତୀୟ ଭରରେ ମହମ୍ମଦ ଶାମୀ ମଧ୍ୟ ଏହି ରେସରେ ସାମିଲ ହୋଇଥିଲେ । ତୃତୀୟ ଓଭରରେ ମାତ୍ର ୨ ରନରେ ହିଁ ନିଜର ୨ ଓପନରଙ୍କ ୱିକେଟ ହରାଇ ଦେଇଥିଲା । ଏହାପରେ ବାରମ୍ବାର ଦଳ ବଡ ପାର୍ଟନରସିପ ଗଢିବାରେ ବିଫଳ ହୋଇଥିଲା । ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱୀନଙ୍କ ଘାତକ ବୋଲିଂ ଅଷ୍ଟ୍ରେଲିଆର ବ୍ୟାଟିଂ ଅର୍ଡରକୁୁ ଧ୍ୱସ୍ତ କରିଦେଇଛି । ଜାଡେଜା ଭାରତ ପକ୍ଷରୁ ୫ଟି ୱିକେଟ ହାସଲ କରିଥିବା ବେଳେ ଅଶ୍ୱୀନ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ଫଳରେ ଅଷ୍ଟ୍ରେଲିଆର ଅଧିକାଂଶ ଖେଳାଳି ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଥିଲେ । ଅଷ୍ଟ୍ରେଳିଆ ପକ୍ଷର ମାର୍ନସ ଲାବୁସେନ ସର୍ବାଧିକ ୪୯ ରନ ହାସଲ କରିଛନ୍ତି । ତେବେ ଭାରତ ପକ୍ଷରୁ ଜାଡେଜା ୫ଟି ୱିକେଟ ନେଇଥିବା ବେଳେ ଅଶ୍ୱୀନ ୩ଟି ସଫଳତା ପାଇଛନ୍ତି । ସେହିପରି ସିରାଜ ଏବଂ ଶାମୀ ଗୋଟି ଗୋଟିଏ ଅକ୍ତିଆର କରିଛନ୍ତି ।
ତେବେ ଅଷ୍ଟ୍ରେଲିଆକୁ ୧୭୭ ରନରେ ଅଟକାଇବା ପରେ ଭାରତ ପାଇଁ ପାଳି ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଏବଂ ଉପଅଧିନାୟକ ରାହୁଲ । ଅଷ୍ଟ୍ରେଲିଆର ବୋଲରଙ୍କୁ ସାମନା କରି ଉଭୟ ଭାରତୀୟ ଦଳକୁ ଆଗକୁ ବଢାଇଥିଲେ । କିନ୍ତୁ ୨୩ତମ ଓଭରରେ ଟଡ ମୁର୍ଫି ରାହୁଲଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ମାତ୍ର ୨୦ ରନ କରି ନିଜ ୱିକେଟ ହରାଇଥିଲେ କେ.ଏଲ ରାହୁଲ । ତେବେ ଏହାପରେ ପୂଜାରାଙ୍କ ପରିବର୍ତ୍ତେ ରବିଚନ୍ଦ୍ର ଅଶ୍ୱୀନଙ୍କୁ ମଇଦାନରେ ଦେଖିବାକୁ ମିଳିଥିଲା । ସେ ୫ଟି ବଲ ଖେଳି ପରାଜିତ ରହିଛନ୍ତି । ଅନ୍ୟପକ୍ଷରେ ଅଧିନାୟକ ରୋହିତ ନିଜର ଅର୍ଦ୍ଧଶତକ ହାସଲ କରିସାରିଛନ୍ତି । ଆକ୍ରମଣାତ୍ମକ ବ୍ୟାଟିଂ କରି ୬୯ ବଲରୁ ୯ ଚୌକା ଏବଂ ଗୋଟିଏ ଛକା ସହ ୫୬ ରନରେ ଅପରାଜିତ ରହିଛନ୍ତି ରୋହିତ ।