ନୂଆଦିଲ୍ଲୀ : ଡେନ୍ମାର୍କ ବିପକ୍ଷ ଏକ ରୋମାଞ୍ଚକର ମ୍ୟାଚ୍ରେ ରୋହନ ବୋପାନ୍ନା ଓ ଦିଭିଜ୍ ଶରନ୍ଙ୍କ ଯୋଡ଼ି ତିନିଟି ମ୍ୟାଚ୍ ପଏଣ୍ଟ ବଞ୍ଚାଇବା ଫଳରେ ଶନିବାର ଭାରତ ପ୍ଲେଅଫ୍ ଟାଇକୁ ୪-୦ରେ ଜିତି ଡେଭିସ୍ କପ୍ ୱାର୍ଲ୍ଡ ଗ୍ରୁପ୍-୧ରେ ନିଜର ସ୍ଥାନ ବଜାୟ ରଖିଛି । ୨୦୧୯ ପରେ ପ୍ରଥମ ଡେଭିସ୍ କପ୍ ମ୍ୟାଚ୍ ଖେଳୁଥିବା ଦିଭିଜ୍ ଏବଂ ବୋପନ୍ନା ଏକ ଘଣ୍ଟା ୫୮ ମିନିଟ୍ର ମ୍ୟାଚ୍ରେ ଫ୍ରେଡେରିକ୍ ନେଲ୍ସନ୍ ଓ ମିକେଲ୍ ଟର୍ପେଗାର୍ଡଙ୍କ ଡେନିସ୍ ଯୋଡ଼ିକୁ ୬-୭(୩), ୬-୪, ୭-୬ (୪)ରେ ହରାଇ ଦେଇଥିଲେ । ପ୍ରଥମ ଦିନ ଉଦ୍ଘାଟନୀ ଟାଇରେ ୟୁକି ଭାମ୍ବ୍ରି ଓ ରାମକୁମାର ରାମନାଥନ୍ ଶୁକ୍ରବାର ଭାରତକୁ ୨-୦ରେ ଅଗ୍ରଣୀ ପ୍ରଦାନ କରିଥିଲେ । ଏହି ବିଜୟ ଫଳରେ ଭାରତ ୨୦୨୨ ସିଜନ୍ ପାଇଁ ୱାର୍ଲ୍ଡ ଗ୍ରୁପ୍-୧ରେ ସ୍ଥାନ ସୁନିଶ୍ଚିତ କରିଥିବା ବେଳେ ଡେନ୍ମାର୍କ ପୁଣିଥରେ ୱାର୍ଲ୍ଡ ଗ୍ରୁପ୍-୨କୁ ଚାଲିଯାଇଛି । ନନ୍-ପ୍ଲେଇଙ୍ଗ୍ କ୍ୟାପ୍ଟେନ୍ ରୋହିତ ରାଜ୍ପାଲ୍ଙ୍କ ନେତୃତ୍ୱରେ ୨୦୧୯ ନଭେମ୍ବରରେ ପାକିସ୍ତାନକୁ ୪-୦ରେ ହରାଇବା ପରେ ଏହା ଭାରତର ପ୍ରଥମ ବିଜୟ । ପୂର୍ବରୁ ଭାରତ ଫିନ୍ଲାଣ୍ଡ୍ଠାରୁ ୩-୧ ଏବଂ କ୍ରୋଏସିଆଠାରୁ ୩-୧ରେ ପରାଜିତ ହୋଇଥିଲା ।