ସିଡ୍ନି: ଯୌନ ନିର୍ଯାତନା ଅଭିଯୋଗରେ ରବିବାର ସିଡ୍ନିରେ ଗିରଫ ହୋଇଥିବା ଶ୍ରୀଲଙ୍କା ବ୍ୟାଟର ଦନୁଷ୍କା ଗୁଣତିଳକଙ୍କ ଅଡ଼ୁଆ ବଢ଼ିବାକୁ ଲାଗିଛି । ପୂର୍ବ ସିଡନିରେ ଜଣେ ମହିଳାଙ୍କୁ ଦନୁଷ୍କା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ରୋସ୍ବେରେ ଥିବା ଏକ ଘରେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା। ତେବେ ନିକଟରେ ଆଉ ଏକ ରିପୋର୍ଟ ଆସିଛି । ଏହି ରିପୋର୍ଟରେ କୁହାଯାଉଛି କି ସେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ସମୟରେ ତାଙ୍କ ଗଳା ଚିପି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଯେଉଁ କାରଣରୁ ମହିଳାଙ୍କୁ ବ୍ରେନ୍ ସ୍କାନ କରିବାକୁ ପଡ଼ିଥିଲା । ପୁଲିସର ରିପୋର୍ଟ ଅନୁଯାୟୀ, ଅନଲାଇନ ଡେଟିଂ ଆପ୍ରେ ମହିଳା ଜଣଙ୍କ ଦନୁଷ୍କାଙ୍କୁ ଡେଟିଂ କରି ତାଙ୍କୁ ଭେଟିଥିଲେ ।
ନଭେମ୍ବର ୨ ତାରିଖ ବୁଧବାର ସନ୍ଧ୍ୟାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ ଆଣିଥିଲେ । ଟି -୨୦ ବିଶ୍ୱକପ ୨୦୨୨ ସମୟରେ ସିଡନିରେ ଥିବା ହୋଟେଲରୁ ଦନୁଷ୍କାଙ୍କୁ ଗିରଫ କରିଥିଲା ଟିମ । ଏହି ମାମାଲାରେ ସୋମବାର ସିଡନିର ଏକ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲା ବେଳେ ଶ୍ରୀଲଙ୍କା କ୍ରିକେଟ୍ (ଏସ୍ଏଲସି) ତାଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ନିଲମ୍ବନ କରିଛି । ଦନୁଷ୍କା ଗୁଣତିଳକଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ନିଲମ୍ବନ କରିବା ସହ ତାଙ୍କ ନାମକୁ କେଣସି ଚୟନ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ ବୋଲି ଶ୍ରୀଲଙ୍କା କ୍ରିକେଟର କାର୍ଯ୍ୟକାରିଣୀ ସମିତି ନିଷ୍ପତ୍ତି ନେଇଛି ବୋଲି ଏସ୍ଏଲସି ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।