ଭୁବନେଶ୍ୱର:କଫି, ମାଣ୍ଡିଆ, ହଳଦୀ ସାବୁନ ଏବଂ ଲେମନଗ୍ରାସ୍ ପରେ ଏବେ ବିଶ୍ୱ ବଜାରରେ ମହକିବ କୋରାପୁଟର ଗୋଲାପ । ଉତ୍ତରପ୍ରଦେଶର ହାସାଇନ, ଆଲିଗଡ଼ ଓ କନୌଜ ପରେ ଓଡ଼ିଶାର ପ୍ରଥମ ଜିଲ୍ଲା ଭାବେ କୋରାପୁଟରେ ଏବେ ଦାମାସ୍କ ଗୋଲାପ ଚାଷକୁ ପାଇଲଟ ପ୍ରୋଜେକ୍ଟ ଭାବେ ହାତକୁ ନିଆଯାଇଛି । ଜିଲ୍ଲାର ଅନୁକୂଳ ପରିବେଶ ଏବଂ ଜଳବାୟୁ ଏଭଳି ଚାଷ ପାଇଁ ବେଶ୍ ଉପଯୋଗୀ ବୋଲି ପରୀକ୍ଷାନିରୀକ୍ଷାରୁ ଜଣାପଡ଼ିବା ପରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦଶମନ୍ତପୁର ବ୍ଲକର ପୁରୀମୁଣ୍ଡାରେ ଆରମ୍ଭ ହୋଇଛି ଏହି ଚାଷ । ଗତବର୍ଷରୁ ଅଞ୍ଚଳର ୮ ଜଣ ଚାଷୀ ପ୍ରାୟ ସାଢେ ୧୧ ଏକର ଜମିରେ ଏହି ଗୋଲାପ ଚାଷ କରି ନିଆରା ପରିଚୟ ସୃଷ୍ଟି କରିଛନ୍ତି । ଏହି କିସମର ଗୋଲାପ ଥରେ ଲଗାଇଲେ ୧୦ରୁ ୧୫ବର୍ଷ ପର୍ୟ୍ୟନ୍ତ ବଞ୍ଚିଥାଏ । ପ୍ରକଳ୍ପର ବୈଷୟିକ ପ୍ରଶିକ୍ଷକ ତଥା ଫାଇଟୋବାୟକ୍ସ ମେନୁଫ୍ୟାକ୍ଚର କମ୍ପାନିର ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ କହିଛନ୍ତି, ଗଛ କଟାଯିବା ପରେ ଏହାର ମୂଳ ଯେତେ ମୋଟା ହେବ ସେତେ ଅଧିକ ଫୁଲ ଫୁଟିବ । ଗୋଟିଏ ଏକର ଜମିରୁ ଏକବର୍ଷ ମଧ୍ୟରେ ପ୍ରାୟ ୧ ଟନ୍ ପର୍ୟ୍ୟନ୍ତ ଗୋଲାପ ଫୁଟିପାରିବ । ମୁଖ୍ୟତଃ ଶୀତ ଓ ବର୍ଷାଦିନେ ଏ କିସମର ଗୋଲାପ ଅଧିକ ଫୁଟିଥାଏ । କିଲୋ ପିଛା ଏହା ୭୦୦ରୁ ୧୦୦ ଟଙ୍କାରେ ବିକ୍ରି ହୁଏ । ଏଥିରୁ ଗୋଲାପ ଜଳ, ଗୋଲାପ ଅତର, ଗୋଲାପ ରୁହୁ(ବାସ୍ନା) ସହ ଗୁଲୁକନ୍ଦ୍ (ଗୋଲାପ ପାଖୁଡ଼ାରେ ଗୁଡ଼ ଓ ଚିନି ମିଶାଇ ପ୍ରସ୍ତୁତ କରାଯାଉଥିବା ସାମଗ୍ରୀ) ପ୍ରସ୍ତୁତ ହୋଇଥାଏ । ଗୁଲୁକନ୍ଦ୍ ଶରୀରକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଏ । କୋରାପୁଟ ମାଟିରେ ଫୁଟୁଥିବା ଗୋଲାପରୁ ପ୍ରାଥମିକ ଭାବେ ପ୍ରଚୁର ଗୋଲାପ ଜଳ ଓ ଗୁଲୁକନ୍ଦ୍ ବାହାରୁଛି । ଜୁନ୍ ଓ ଜୁଲାଇ ମାସ ଗୋଲାପ ଚାଷ ପାଇଁ ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଏ ଜିଲ୍ଲାର ପ୍ରତ୍ୟେକ ଋତୁ ଏହି ଚାଷ ପାଇଁ ଉପଯୋଗୀ । ଗଛ ବଢ଼ିବାର ୪ ମାସରେ ଫୁଲ ଫୁଟେ । ଗଛ ପାକଳ ହେବାକୁ ପ୍ରାୟ ଏକବର୍ଷ ଲାଗିଥାଏ ।