ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକରେ ଅସହ୍ୟ ହେଉଛି ଦାଦନ ଦୁଃଖ । କେତେବେଳେ ଦାଦନ ଖଟିବାକୁ ଯାଇ କିଏ ଦୁର୍ଘଟଣାର ଶିକାର ହୋଇ ବିକଳାଙ୍ଗ ହୋଇ ଘରକୁ ଫେରୁଛି ତ ପୁଣି ଆଉ କେତେବେଳେ ମୃତଦେହ ଗାଁକୁ ଫେରୁଛି । ଏହାରି ମଧ୍ୟରେ ଘଟିଛି ଏକ ଦୁଃଖଦ ଘଟଣା । ଜିଲ୍ଲାର ବିଜେପୁର ଥାନା ଅନ୍ତର୍ଗତ ପାଜିବାହିଲି ଗାଁର ଯୁବକ ମୁମ୍ବାଇକୁ ଦାଦନ ଖଟିବାକୁ ଯାଇଥିବାବେଳେ ଦୀର୍ଘ ୨୨ ଦିନ ପରେ ତାଙ୍କର ମୃତ୍ୟୁର ଖବର ଘରେ ପହଞ୍ଚିଥିବା ଜଣାପଡ଼ିଛି । ଦାଦନ ପ୍ରଥାକୁ ରୋକିବାକୁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ତୃଣମୂଳ ସ୍ତରରେ ଯୋଜନା ବାଟବଣା ହେଉଥିବାରୁ ଲୋକେ ଦାଦନ ଖଟିବାକୁ ବାଧ୍ୟ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି ।
ପୁଣି ଥରେ ଏହି ଘଟଣା ମାଧ୍ୟମରେ ଦାଦନ ଦୁଃଖ ଦେଖିବାକୁ ମିଳିଛି । ଜିଲ୍ଲାର ବିଜେପୁର ଥାନା ଅନ୍ତର୍ଗତ ପାଜିବାହିଲି ଗାଁର ଯୁବକ ବାବୁଲା ମାଝୀ ଦାଦନ ଖଟିବାକୁ ଯାଇଥିବା ବେଳେ ମୁମ୍ବାଇରେ ତାଙ୍କର ମୃତ୍ୟୁ ଘଟିଛି । ହେଲେ ଦୁଃଖର କଥା ହେଉଛି ଅନେକ ଦିନ ପରେ ତାଙ୍କର ମୃତ୍ୟୁର ଖବର ଘରେ ପହଞ୍ଚିଛି । ସୂଚନା ଅନୁଯାୟୀ, ପାଜିବାହିଲି ଗାଁର ବାବୁଲା ମାଝୀ ପରିବାର ପ୍ରତିପୋଷଣ ପାଇଁ ଗତ ୨ ବର୍ଷ ତଳେ କେରଳକୁ ଦାଦନ ଖଟିବାକୁ ଯାଇଥିଲେ । ପ୍ରତ୍ୟେକ ମାସରେ ଘର ଚଳଣି ପାଇଁ ଟଙ୍କା ପଠାଇବା ସହ ଫୋନ ଯୋଗ ୨ପରିବାର ସହ କଥାବାର୍ତ୍ତା ମଧ୍ୟ ହେଉଥିଲେ ।
ହେଲେ ହଠାତ କିଛି ଦିନ ହେବ ପରିବାର ଲୋକଙ୍କୁ ବାବୁଲା ଫୋନ କଲେ ନାହିଁ କି ପରିବାର ଲୋକେ ଯୋଗାଯୋଗ କଲେ ମଧ୍ୟ କଥା ହେବାରେ ସକ୍ଷମ ହେଲେ ନାହିଁ । ତେବେ ଦୀର୍ଘ ୨୨ ଦିନ ପରେ ହେଲେ ହଠାତ ବାବୁଲାଙ୍କ ବାପାଙ୍କୁ ଏକ ନମ୍ବରରୁ ଫୋନ ଆସିଥିଲା । ପୁଅ ଫୋନ କରିଛି ବୋଲି ଭାବି ବାପା ପୁଅ କେମିତି ଅଛୁ ବୋଲି ପଚାରିବାରୁ ସେପଟରୁ ବାବୁଲା ମୃତ୍ୟୁ ଖବର ମିଳିଲା । ମୃତ ଯୁବକଙ୍କ ସାଙ୍ଗ ବାବୁଲାର ଗତ ମାର୍ଚ୍ଚ ୧୨ ତାରିଖରେ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କହିଥିଲେ । ଏହି ଖବର ପାଇବା ପରେ ଆତ୍ମହରା ହୋଇ ପଡିଛନ୍ତି ପରିବାର । ସେପଟେ ଏହି ଘଟଣାଟି ଜଣାପଡିବା ପରେ ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।