26.1 C
Bhubaneswar
Tuesday, October 22, 2024
Homeଅପରାଧସାଇବର ଠକେଇ ମାମଲାର ପର୍ଦ୍ଦାଫାଶ, ୪ ଗିରଫ

ସାଇବର ଠକେଇ ମାମଲାର ପର୍ଦ୍ଦାଫାଶ, ୪ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଲୋକଙ୍କୁ ଠକି ତାଙ୍କ ନାମରେ ସିମକାର୍ଡ ବାହାର କରି ସାଇବର ଅପରାଧୀଙ୍କୁ ବିକ୍ରି ଅଭିଯୋଗରେ କେନ୍ଦୁଝର ସାଇବର ଥାନା ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ଘଷିପୁରା ଥାନା ଖଡ଼ିବିଲ ଗ୍ରାମର ରାଜକିଶୋର ଜେନା(୨୩), ତପନ କୁମାର ଜେନା(୩୦), ସୁବ୍ରତ କୁମାର ଜେନା(୨୪) ଓ ରାମଚନ୍ଦ୍ରପୁର ଥାନା ସାଇଁକୂଳ ଗ୍ରାମର ପ୍ରଦୀପ କୁମାର ମିଶ୍ର(୩୨) । ଅଭିଯୁକ୍ତମାନେ ୫ ହଜାରରୁ ଊର୍ଦ୍ଧ୍ୱ ସିମ୍ ବିକ୍ରି କରିଥିବାବେଳେ ଏହାଦ୍ୱାରା ବହୁ ସାଇବର କ୍ରାଇମ ଘଟିଥିବା ଜଣାପଡ଼ିଛି । ସେମାନଙ୍କଠାରୁ ଆକ୍ଟିଭେଟ ହୋଇଥିବା ଗୋଟିଏ ସିମ୍ ନମ୍ବରରେ ଦେଶର ବିଭିନ୍ନ ଥାନାରେ ୩୦୦ଟି ସାଇବର ଠକେଇ ହୋଇଥିବା ତଦନ୍ତ ବେଳେ ସାମ୍ନାକୁ ଆସିଛି । ଏନେଇ କେନ୍ଦୁଝର ଏସ୍‌ପି ନିତିନ କୁଶଲକର ଦାଗଡୁ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ।

ଅଭିଯୁକ୍ତମାନେ ଗତ ୨ ବର୍ଷ ହେବ ଏହି କାରବାର କରି ଆସୁଥିଲେ । ସେମାନଙ୍କୁ ସାଇବର କ୍ରାଇମ ଏବଂ ଇକୋନୋମିକ୍ ଅଫେନ୍ସ, ଆଇଟି ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି । ସେମାନେ ଏୟାରଟେଲ ଏବଂ ଜିଓ କମ୍ପାନୀର ପଏଣ୍ଟ ଅଫ୍ ସେଲ(ପଓସ) ଏଜେଣ୍ଟ ଭାବେ ଦୋକାନ ଖୋଲି ସିମ୍ ବିକ୍ରି କରୁଥିଲେ । ସେମାନଙ୍କଠାରୁ ବହୁ ପରିମାଣର ସିମ୍ କାର୍ଡ ସମେତ ମୋବାଇଲ ଓ ଲ୍ୟାପଟପ୍ ଆଦି ଜବତ କରାଯାଇଛି । ସିମ୍ କାର୍ଡ ପାଇଁ ଆସୁଥିବା ଲୋକଙ୍କ ଆଧାର କାର୍ଡ ଏବଂ ଟିପ ଚିହ୍ନରେ ଏକାଧିକ ସିମ୍ ବାହାର କରୁଥିଲେ । ଉକ୍ତ ସିମ୍ କାର୍ଡକୁ ୫୦୦ରୁ ୧୦୦୦ ଟଙ୍କାରେ ଝାଡ଼ଖଣ୍ଡ, ବିହାର ଓ ରାଜସ୍ଥାନ ଆଦି ରାଜ୍ୟର ସାଇବର ଅପରାଧିଙ୍କୁ ବିକ୍ରି କରୁଥିଲେ । ମହାରାଷ୍ଟ୍ରର ଏକ ସାଇବର ଠକେଇ ମାମଲାରେ ତଦନ୍ତ ବେଳେ ଏହି କାରବାର ସମ୍ବନ୍ଧରେ ଜଣାପଡ଼ିଥିଲା । ଏମାନଙ୍କଠାରୁ ସିମ୍ ପାଇଥିବା ଲୋକ ଦେଶର ବିଭିନ୍ନ ଅଞ୍ଚଳରେ ସାଇବର କ୍ରାଇମ କରିଥିବା ଜଣାପଡ଼ିଛି । ଏହାର ତଦନ୍ତ କେନ୍ଦୁଝର ସାଇବର ପୁଲିସ କରିବା ପରେ ଅଭିଯୁକ୍ତଙ୍କ ସନ୍ଧାନ ପାଇଥିଲା । ଏନେଇ ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା ।

ଗିରଫ ସମୟରେ ସେମାନଙ୍କଠାରୁ ୫୩୮ ସିମ୍ କାର୍ଡ, ୧୮ଟି ମୋବାଇଲ ଫୋନ୍‌, ୫ଟି ବାୟୋମେଟ୍ରିକ ସ୍କାନର, ୭ଟି ବ୍ୟାଙ୍କ ପାସ୍‌ବୁକ, ବ୍ୟାଙ୍କ ଚେକ୍‌,୨୫ଟି ଏଟିଏମ୍ କାର୍ଡ, ୨୫ଟି ପରିଚୟ ପତ୍ର ଓ ୫,୦୭୧ ଟଙ୍କା ସମେତ ବହୁ ଲୋକଙ୍କ ଫଟୋ ଆଦି ସାମଗ୍ରୀ ଜବତ ହୋଇଥିଲା । ଏହି ଅପରେସନରେ ଆଇପିଏସ୍ ରମେନ୍ଦ୍ର ପ୍ରସାଦ, ସାଇବର ଥାନା ଇନ୍ସପେକ୍ଟର ମୁନା ନାଏକ, ଏଏସ୍‌ଆଇ ଆଲୋକ ନାଏକ ଓ କନେଷ୍ଟବଳ ଦେବରାଜ ବେହେରା ପ୍ରମୁଖ ସାମିଲ ଥିଲେ । ଅଭିଯୁକ୍ତମାନେ ଦୀର୍ଘ ୨ବର୍ଷ ଲୋକଙ୍କୁ ଠକି ତାଙ୍କ ନାମରେ ସିମ୍ କାର୍ଡ ବାହାର କରି ଯେଉଁ ସିମ୍ ବିକ୍ରି କରିଛନ୍ତି ସେସବୁ ଚିହ୍ନଟ ପରେ ନିଷ୍କ୍ରିୟ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଏସପି ନିତିନ କୁଶଲକର ଦାଗଡୁ ସୂଚନା ଦେଇଛନ୍ତି । କେନ୍ଦୁଝର ଜିଲ୍ଲାରେ ସାଇବର ଠକେଇକୁ ରୋକିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରୀ ରହିଛି । ସାଇବର ଠକେଇ ହେଲେ ତୁରନ୍ତ ହେଲ୍ପଲାଇନ ନମ୍ବର ୧୯୩୦ରେ ଅଭିଯୋଗ କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking