ନୂଆଦିଲ୍ଲୀ: ଭାରତରେ ଅଶୋଧିତ ତୈଳ ମୂଲ୍ୟ ପୁଣି ବୃଦ୍ଧିପାଇଛି । ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ବା ଅଶୋଧିତ ତୈଳ ଦର ବୃଦ୍ଧିପାଇବା କାରଣରୁ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି । ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ ବ୍ୟାରେଲ୍ ପିଛା ୮୬ ଡଲାରରେ ପହଞ୍ଚିଯାଇଛି । ଭାରତରେ ମଧ୍ୟ ଏହାର ଦର ବୃଦ୍ଧି ଫଳରେ ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧିପାଇବାର ଆଶଙ୍କା ରହିଛି । ତୈଳ ଦର ବୃଦ୍ଧି ପାଇବ କି ନାହିଁ ତାହା ଚର୍ଚ୍ଚା ତ ହେଉଛି କିନ୍ତୁ ମୂଲ୍ୟ କମିବାର ଆଦୌ ସମ୍ଭାବନା ନାହିଁ ।
ଭାରତୀୟ ବଜାରରେ ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ଶନିବାର ସ୍ଥିର ରହିଛି ଦେଶବ୍ୟାପୀ ସମସ୍ତ ସ୍ଥାନରେ ପ୍ରାୟ ସମାନ ରେଟ୍ ରହିଛି । ତେବେ ଅଶୋଧିତ ତୈଳ ଦର ବୃଦ୍ଧି ଫଳରେ ଆଗାମୀ କିଛିଦିନ ମଧ୍ୟରେ ହୁଏତ ପେଟ୍ରୋଲ-ଡିଜେଲ ଦର ବଢିପାରେ । ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପ୍ରତି ୯୬.୭୨ ଟଙ୍କା ରହିଥିବା ବେଳେ ଡିଜେଲ ରହିଛି ୮୯.୬୨ ଟଙ୍କା । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ର ୱେବସାଇଟ୍ ପକ୍ଷରୁ ସଦ୍ୟ ପ୍ରକାଶିତ ଅପଡେଟ୍ ଅନୁଯାୟୀ ଚେନ୍ନାଇ, କୋଲକାତା, ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ଅନ୍ୟ ସମସ୍ତ ସ୍ଥାନରେ ମୂଲ୍ୟ ପରିବର୍ତ୍ତନ ହୋଇନାହିଁ । ସୂଚନା ଥାଉକି, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ଆଧାରରେ ହିଁ ଭାରତୀୟ ତେଲ କମ୍ପାନୀମାନେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ନିର୍ଦ୍ଧାରଣ କରିଥାନ୍ତି । କିନ୍ତୁ ବେଶ୍ କିଛିଦିନ ହେଲା ଭାରତରେ ଦାମ ସ୍ଥିର ରହିଛି ।