ନୂଆଦିଲ୍ଲୀ : ସୀମାରେ ଥିବା ନେପାଳ ଅଞ୍ଚଳ ମଧ୍ୟରେ ଚୀନ୍ ପ୍ରବେଶ କରିଥିବା ନେପାଳ ସରକାରଙ୍କ ୨୦୨୧ ସେପ୍ଟେମ୍ବରର ଏକ ରିପୋର୍ଟରେ ଅଭିଯୋଗ କରାଯାଇଛି । ଚୀନ୍ ସେନା ନେପାଳୀ ସୀମା ପୁଲିସ୍କୁ ଭୟଭୀତ କରାଇ ଦେଶର ପଶ୍ଚିମରେ ଥିବା ସୀମାନ୍ତ ଜିଲ୍ଲା ହୁମ୍ଲାରେ ଏହି ପ୍ରବେଶ କରିଥିବା ରିପୋର୍ଟରେ ଦର୍ଶାଯାଇଛି । ସେହିପରି ଚୀନ୍ ସୁରକ୍ଷା ବଳ ଦ୍ୱାରା ଏହି ସୀମାନ୍ତରେ ଥିବା ଲାଲୁଙ୍ଗ୍ଜଙ୍ଗ୍ ଅଞ୍ଚଳର ଲୋକମାନଙ୍କୁ ଧାର୍ମିକ ଅନୁଷ୍ଠାନରୁ ବାରଣ କରୁଛି ବୋଲି ରିପୋର୍ଟରୁ ଜଣାପଡ଼ିଛି । ନେପାଳୀ କୃଷକଙ୍କ ଗାଈଗୋରୁଙ୍କ ପାଇଁ ଚାରଣଭୂମିକୁ ମଧ୍ୟ ସୀମିତ କରି ଦିଆଯାଇଛି ।
ଏକ ସୀମାନ୍ତ ଖୁଣ୍ଟ ଚାରିପଟେ ଚୀନ୍ ପକ୍ଷରୁ ବାଡ଼ ନିର୍ମାଣ କରିବା ସହ ଚୀନ୍ ନେପାଳ ସୀମା ଭିତରେ କେନାଲ୍ ଓ ସଡ଼କ ନିର୍ମାଣ ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି । ଅଞ୍ଚଳବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ସେଠାରେ ନେପାଳୀ ସୁରକ୍ଷା କର୍ମୀ ମୁତୟନ ପାଇଁ ରିପୋର୍ଟରେ ସୁପାରିସ୍ କରାଯାଇଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ନେପାଳ ସରକାର ଏହି ପ୍ରସଙ୍ଗ ଉପରେ ଚୁପ୍ ରହିଛନ୍ତି । ସମସ୍ତ ପ୍ରମାଣ ସତ୍ତ୍ୱେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ରିପୋର୍ଟକୁ ପ୍ରକାଶ କରାନଯାଇ ଝୁଲାଇ ରଖାଯାଇଛି । ରିପୋର୍ଟ ଲିକ୍ ହେବାପରେ ନେପାଳର ଯୋଗାଯୋଗ ମନ୍ତ୍ରୀ ଜ୍ଞାନେନ୍ଦ୍ର ବାହାଦୁର କାର୍କି କହିଛନ୍ତି, ଚୀନ୍ ହେଉ କି ଭାରତ, ଆମ ପଡ଼ୋଶୀ ଦେଶ ସହିତ ସୀମା ପ୍ରସଙ୍ଗ କୂଟନୀତି ମାଧ୍ୟମରେ ସମାଧାନ କରାଯିବ । ଯଦି ସୀମାରେ କୌଣସି ସମସ୍ୟା ସୃଷ୍ଟି ହୋଇଛି, ତେବେ ତାହାର ସମାଧାନ କୂଟନୈତିକ ସ୍ତରରେ ତାହାର ସମାଧାନ କରିବୁ ।