ଲକ୍ଷ୍ନୌ: ଉତ୍ତରପ୍ରଦେଶର ସାହାରନପୁରରେ ଏକ ବାଣ କାରଖାନାରେ ବଡଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଜଣେ ନାବାଳିକାଙ୍କ ସମେତ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କାରଖାନାର ଅନେକ ଶ୍ରମିକ ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ସମ୍ପର୍କୀୟ ଭାଇ ମଧ୍ୟ ଥିଲେ । ଭୟଙ୍କର ବିସ୍ଫୋରଣରେ ପୂରା କୋଠାଟି ନଷ୍ଟ ହୋଇଯାଇଥିବାବେଳେ ବର୍ତ୍ତମାନ ଅଗ୍ନିଶମ ବାହିନୀ ଗାଡି ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମିଳିଥିବା ସୂଚନା ମୁତାବକ ଅମ୍ବାଲାର ସରସାୱା ନିକଟ ସୋରୋନା ବଲବନ୍ତପୁର ଜଙ୍ଗଲରେ ଏହି ଦୁର୍ଘଟଣା ଘଟିଛି । କିରଣ ଫାୟାର ୱାର୍କସ ନାମରେ ଏଠାରେ ଏକ ବେଆଇନ ବାଣ କାରଖାନା ଚାଲୁଥିଲା ।
ଆଜି ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ଏହି ବିସ୍ଫୋରଣ ହୋଇଛି ବୋଲି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି । ତେବେ ବିସ୍ଫୋରଣ ଯୋଗୁଁ ଏତେ ତୀବ୍ର ଶବ୍ଦ ହୋଇଥିଲା ଯେ ଆଖପାଖ ଗାଁର ଲୋକମାନେ ଭୟଭୀତ ହୋଇଯାଇଥିଲେ । କାରଖାନାରେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହି ବିସ୍ଫୋରଣରେ କାର୍ତ୍ତିକ ସାଇନି (୧୭) ତାଙ୍କ ସମ୍ପର୍କୀୟ ସାଗର (୨୨) ଓ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ପୁଲିସ କହିଛି ଯେ ସୋରୋନା ଜଙ୍ଗଲରେ ଥିବା ବାଣ କାରଖାନାରେ ବିସ୍ଫୋରଣ ହେତୁ ୪ଜଣଙ୍କର ମୃତ୍ୟୁ ହୋଇଛି । ନିଆଁ କିପରି ଲାଗିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହି ମାମଲାରେ ଦୋଷୀମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏବେ ବି ଅନେକ ଫସିରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।