କେନ୍ଦ୍ରାପଡ଼ା : ବିଦ୍ୟାଳୟରେ ମଧ୍ୟାହ୍ନ ରୋଷେଇବେଳେ ଅଘଟଣ ଦେଖିବାକୁ ମିଳିଛି । ରୋଷେଇ ଚାଲୁଥିବା ସମୟରେ ଗ୍ୟାସ ଷ୍ଟୋଭ୍ରେ ହଠାତ୍ ନିଆଁ ଲାଗିଯିବାରୁ ଗ୍ୟାସ ପାଇପ ଜଳି ଉଠିବା ସହିତ ଷ୍ଟୋଭଟି ଜଳି ଉଠିଥିଲା । ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ପୌରାଞ୍ଚଳ ୮ନଂ ୱାର୍ଡ ମନକରପୁର ପ୍ରାଥମିକ ବିଦ୍ୟାଳୟରେ ।
ଆଜି ଶନିବାର ୯ଟାରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିଲା । ଭାତ ରୋଷେଇ ସରିଗଲା ପରେ ଅଣ୍ଡା ସିଝା ହେଉଥିବାବେଳେ ଗ୍ୟାସରେ ସଂଯୋଗ ହୋଇଥିବା ପାଇପ୍ରେ ହଠାତ୍ ନିଆଁ ଜଳିଥିଲା । ରୋଷେଇରେ ନିୟୋଜିତ ମହିଳାମାନେ କିଛି ଉପାୟ ନ ପାଇ ନିଆଁକୁ ଆୟତ କରିବା ପାଇଁ ବାଲି ଏବଂ ଅଖା ସାହାଯ୍ୟରେ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ୟାସ ସଂଯୋଗ ଥିବାରୁ ତାହା ଲିଭିବା ପରିବର୍ତ୍ତେ ଜଳିବାରେ ଲାଗିଥିଲା । କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀ କୌଣସି ଅଘଟଣ ପୂର୍ବରୁ ଶ୍ରେଣୀରେ ଥିବା ଛାତ୍ରଛାତ୍ରୀଙ୍କୁ ରାସ୍ତା ଉପରକୁ ନେଇ ଆସିଥିଲେ । ହଠାତ୍ ଗ୍ୟାସ୍ ଜଳି ଜଳି ଫାଟି ଯାଇଥିଲା ।
ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ôଚ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଦମକଳବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡରେ ବିଦ୍ୟାଳୟ ରୋଷେଇ ଘରେ ଥିବା ସାମଗ୍ରୀଗୁଡ଼ିକ ପୋଡି ନଷ୍ଟ ହୋଇଯାଇଥିଭା ଦେଖିବାକୁ ମିଳିଛି । ଏ ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ଶତପଥିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଆଜି ପି.ଟି ମିଟିଂ ଥିବାରୁ ସେ କାର୍ଯ୍ୟାଳୟରେ ବ୍ୟସ୍ତ ଥିଲେ । ହଠାତ୍ ନିଆଁ ଲାଗିଯିବାର ପାଟି ଶୁଣି ସେ ବାହାରକୁ ଯାଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ସହକର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମିଟିଂ ଥିବାରୁ କିଛି ଅବିଭାବକ ବିଦ୍ୟାଳୟରେ ମଧ୍ୟ ଉପସ୍ଥିତ ଥିଲେ ।
ସେମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଉଦ୍ୟମ କରିଥିଲେ । ଏଠାରେ ସୂଚନାଯୋଗ୍ୟକି ରୋଷେଇ ଦାୟିତ୍ୱ ନେଇଥିବା ମହିଳା ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ମଧ୍ୟରେ ବହୁ ସଦସ୍ୟା ଥିବାବେଳେ ତାଙ୍କ ବଦଳରେ ସେମାନଙ୍କ ବୟସ୍କା ଶାଶୂମାନେ ବିଦ୍ୟାଳୟରେ ରୋଷେଇ କରୁଥିବାର ଅଭିଯୋଗ ହୋଇଛି ।