ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନ ଉପରେ ଏକ ବଡ ଖବର ଆସିଛି । ଏବେ ୨ ବର୍ଷରୁ ୧୮ ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ଦିଆଯାଇପାରିବ । ଏନେଇ ମଂଜୁରୀ ମିଳିଛି । କହିରଖୁଛୁ, ଭାରତ ବାୟୋଟେକ ଓ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ ପ୍ରସ୍ତୁତ କରିଛନ୍ତି । ଏହା ଭାରତୀୟ କରୋନା ଟୀକା । କରୋନା ଭାଇରସ ବିରୋଧରେ କୋଭାକ୍ସିନ କ୍ଲିନିକାଲ ଟ୍ରାଏଲସରେ ପ୍ରାୟ ୭୮ ପ୍ରତିଶତ ପ୍ରଭାବଶାଳୀ ପ୍ରମାଣିତ ହୋଇଛି ।
ସୂଚନା ମିଳିଛି ଯେ, କେନ୍ଦ୍ର ସରକାରଙ୍କ ତରଫରୁ ଏହାକୁ ନେଇ ଖୁବ ଶୀଘ୍ର ଗାଇଡଲାଇନ ଜାରି କରାଯିବ । ଏହାପରେ ପିଲାଙ୍କୁ ଟିକା ଦେବା ଆରମ୍ଭ କରାଯିବ । କୁହାଯାଇଛି ଯେ, ପିଲାଙ୍କୁ ବି ବୟସ୍କଙ୍କ ପରି କୋଭାକ୍ସିନର ଦୁଇଟି ଟିକା ଦିଆଯିବ । ଏପର୍ଯ୍ୟନ୍ତ ହୋଇଥିବା ଟ୍ରାଏଲରେ ଟିକା ନେଇ ପିଲାଙ୍କ ଉପରେ କୌଣସି ପ୍ରକାର ଖରାପ ପ୍ରଭାବ ଥିବା ସାମ୍ନାକୁ ଆସିନାହିଁ । ସୂତ୍ର ଅନୁସାରେ, ସେହି ପିଲାଙ୍କୁ ଆଗ ଭ୍ୟାକ୍ସିନ ଦିଆଯାଇପାରେ, ଯାହାକୁ ଶ୍ୱାସ ଆଦି ସମସ୍ୟା ରହିଛି । ସରକାରୀ ଡାକ୍ତରଖାନାରେ ଏହି ଟିକା ମାଗଣାରେ ଦିଆଯିବ । କୋଭାକ୍ସିନ କରୋନା ଟିକାକୁ ପିଲାଙ୍କ ପାଇଁ ମଂଜୁରୀ ମିଳିବା ଆଶ୍ୱସ୍ତିକର ଖବର । କାରଣ କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ପିଲା ସବୁଠୁ ଅଧିକ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି । ହେଲେ ତା ପୂର୍ବରୁ ଯଦି ପିଲାଙ୍କୁ କରୋନା ଟିକା ଦିଆଯିବା ଆରମ୍ଭ ହେବ, ତେବେ ସଂକ୍ରମଣ କମ ହୋଇପାରେ ।