ନୂଆଦିଲ୍ଲୀ: ଦେଶରେ ଏକ ନକଲି ଔଷଧ ର୍ୟାକେଟ୍ର ପର୍ଦ୍ଦାଫାସ୍ ହୋଇଛି । ଏହି ନକଲି ଔଷଧ ନାମୀଦାମୀ ବ୍ରାଣ୍ଡ୍ ନାମରେ ପ୍ରସ୍ତୁତ କରାଯାଇଛି । ସେଣ୍ଟ୍ରାଲ୍ ମେଡିକାଲ୍ ଏଜେନ୍ସି ସାରା ଦେଶର ମେଡିସିନ୍ ଲାଇସେନ୍ସିଂ ଅଥରିଟିଙ୍କୁ ଏ ସମ୍ପର୍କରେ ଆଲର୍ଟ କରିଥିଲା । କେନ୍ଦ୍ରୀୟ ମେଡିସିନ୍ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସ୍ସିଓ) ଅନୁସାରେ ହିମାଚଳ ପ୍ରଦେଶର ବଦ୍ଦିସ୍ଥିତ ତ୍ରିଜଳ ଫର୍ମୁଲେସନ୍ରେ ଏହି ନକଲି ଔଷଧ ପ୍ରସ୍ତୁତ ହୋଇଛି । ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଭିଜି ସୋମାନୀଙ୍କୁ ଏ ସମ୍ପର୍କରେ ହିମାଚଳ ପ୍ରଦେଶ ଡ୍ରଗ୍ କଣ୍ଟ୍ରୋଲର୍ ନବନୀତ ମାରୱା ରିପୋର୍ଟ ଦେଇଥିଲେ । ଏହାପରେ ଭିଜି ସୋମାନୀ ଡିସେମ୍ବର ୧ ତାରିଖରେ ଏକ ଜରୁରୀ ନିର୍ଦ୍ଦେଶ ଜାରି କରିଥିଲେ ।
ଡ୍ରଗ୍ସ କଣ୍ଟ୍ରୋଲ୍ ଆଡ୍ମିନିଷ୍ଟ୍ରେସନ୍ ନଭେମ୍ବର ୨୨ରୁ ୨୪ ମଧ୍ୟରେ ଗୋଟିଏ କାର୍, ଦୁଇଟି ଗୋଦାମ, ବଦ୍ଦିସ୍ଥିତ ତ୍ରିଜଳ ଫର୍ମୁଲେସନ୍ର ବେଆଇନ ମାନୁଫାକ୍ଚରିଂ ୟୁନିଟ୍ରୁ ଏହି ନକଲି ଔଷଧ ଜବତ କରିଥିଲେ । ଏ ନେଇ ଚାରିଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ମାଷ୍ଟରମାଇଣ୍ଡ୍ ମୋହିତ ବଂସଲ, ଅତୁଲ ଗୁପ୍ତା, ବିଜୟ କୁଶଲ ଏବଂ ନରେଶ କୁମାର । ମାମଲାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ନଲି ଔଷଧଗୁଡ଼ିକର ବ୍ୟାଚ୍ ନମ୍ବର ଡିଜିସିଆଇକୁ ପ୍ରଦାନ କରାଯାଇଛି । ଦ ଟ୍ରିବ୍ୟୁନ୍ ଅନୁସାରେ ଏହି ନକଲି ଔଷଧର ମୋଟ ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ । ସିଜ୍ କରାଯାଇଥିବା ଔଷଧ ମଧ୍ୟରେ ମୋଣ୍ଟେୟର୍, ଅଟୋର୍ଭା, ରୋଜଡେ, ଜିରୋଡଲ୍, ଟିଏଚ୍ ୪, ଡାୟଟର୍, ଡିଲେଜେମ୍ ଏସ୍ଆର୍, ୟୁରିସ୍ପାସ୍ ଏବଂ ବାୟୋଡି ୩ କ୍ୟାପ୍ସୁଲ୍ ଅନ୍ତର୍ଭୁକ୍ତ । ସେହିପରି ସିପ୍ଲା, ଜାୟଡସ୍ କାଡିଲା, ୟୁଏସ୍ଭି ପ୍ରାଇଭେଟ୍ ଲିମିଟେଡ୍ ଏବଂ ଆଇପିସିଏ ପରି କମ୍ପାନୀ ନାମରେ ଏହି ନକଲି ଔଷଧ ପ୍ରସ୍ତୁତ କରାଯାଇଛି ।