18.1 C
Bhubaneswar
Saturday, November 23, 2024
Homeଓଡିଶାମୌଳିକ ସୁବିଧାରୁ ବଞ୍ଚିତ କୁଟିକିଆ ପଞ୍ଚାୟତବାସୀ; ରାସ୍ତା ନାହିଁ, ଯାତାୟାତ ପାଇଁ କାଠଡ଼ଙ୍ଗା ଭରସା

ମୌଳିକ ସୁବିଧାରୁ ବଞ୍ଚିତ କୁଟିକିଆ ପଞ୍ଚାୟତବାସୀ; ରାସ୍ତା ନାହିଁ, ଯାତାୟାତ ପାଇଁ କାଠଡ଼ଙ୍ଗା ଭରସା

ବାଲିଗୁଡ଼ା : ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ କାଠ ଡ଼ଙ୍ଗାରେ ଭାଗ୍ୟ । ତାହା ମଧ୍ୟ କୌଣସି ଦୁର୍ଗମ ଅଞ୍ଚଳ ନୁହେଁ , ଖୋଦ୍ କନ୍ଧମାଳଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡର ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ କୁଟିକିଆ ପଞ୍ଚାୟତରେ । ବାଲିଗୁଡ଼ା ସଦର ମହକୁମା ଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଅବସ୍ଥିତ ଉକ୍ତ ପଞ୍ଚାୟତ । ତଥାପି କାଠ ଡ଼ଙ୍ଗାରେ ଝୁଲୁଛି ଭାଗ୍ୟ । ପ୍ରତିଶ୍ରୁତିରେ ଅଟକି ଯାଇଛି ଅଞ୍ଚଳର ବିକାଶ । ବର୍ଷ ବର୍ଷ ଧରି ଜୀବନ ଓ ମରଣ ସହିତ ବଞ୍ଚିଛନ୍ତି ଶହ ଶହ ଅଧିବାସୀ । ଯୁଗ ବଦଳିଛି କିନ୍ତୁ ଆଜି ପର୍ଯ୍ୟନ୍ତ ବଦଳି ନାହିଁ ସେମାନଙ୍କର ଭାଗ୍ୟ । ସରକାରଙ୍କ ଉପରେ ସରକାର ମଧ୍ୟ ବଦଳିଛି ତଥାପି ହୋଇ ପାରିନାହିଁ ବିକାଶ । ଭୋଟ ମଧ୍ୟ ଦେଉଛନ୍ତି, ପ୍ରତିଶ୍ରୁତି ମଧ୍ୟ ପାଉଛନ୍ତି କିନ୍ତୁ ସବୁ ପାଣିର ଗାର ହୋଇଛି ।

ତେବେ ଏଭଳି ଦୃଶ୍ୟ କୌଣସି ଅପହଞ୍ଚ ଇଲାକା ନୁହେଁ । କନ୍ଧମାଳଜିଲ୍ଲା ବାଲିଗୁଡ଼ା ସଦର ମହକୁମା ଠାରୁ ମାତ୍ର ୧୨ କିଲୋମିଟର ଦୂରର ଏହି ଦୃଶ୍ୟ । ବାଲିଗୁଡ଼ା ବ୍ଳକର କୁଟିକିଆ ପଞ୍ଚାୟତର ଲାଇନପାଲି, କାଟାଲପାଙ୍ଗା, ଡ଼ମପଡ଼ା, ଗାଜୁରପଡ଼ା, ଡ଼ଲରପାଙ୍ଗା, ଜିଡ଼ିଙ୍ଗିପାଙ୍ଗା ଆଦି ଗ୍ରାମରେ ବସବାସ କରିଥାନ୍ତି ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଜନଜାତୀ । ତେବେ ଏହି ସବୁ ଗ୍ରାମବାସୀଙ୍କ ନିଦିଦିନିଆ ବଜାର ହେଉ କିମ୍ବା ପାଠ ପଢିବା ପାଇଁ ହେଉ ଅଥବା ରୋଜଗାର କିମ୍ବା ସ୍ୱାସ୍ଥ୍ୟସେବା ପାଇଁ ହେଉଛି ଏକାମାତ୍ର ସାହାରା ହେଉଛି ବାଲିଗୁଡ଼ା ସହର । ପ୍ରତ୍ୟେକ ଦିନ ଏହି ସବୁ ଗ୍ରାମବାସୀ ମାନେ ଲାଇନପାଲି ନଦୀ ଘାଟ ପାର ହୋଇ ଆସିଥାନ୍ତି ବାଲିଗୁଡ଼ା ବଜାରକୁ ।

ଏପରିକି ଛାତ୍ରଛାତ୍ରୀ ଓ କଲେଜ ଛାତ୍ରଛାତ୍ରୀ ମାନେ ମଧ୍ୟ ନଦୀ ପାରହେଲେ ହିଁ ସେମାନେ ପହଞ୍ଚିଥାନ୍ତି ସେମାନଙ୍କର ଶିକ୍ଷାନୁଷ୍ଠାନ ମାନଙ୍କରେ । ତେବେ ଏହି ଲାଇନପାଲି ନଦୀ ସମସ୍ତ ପ୍ରକାର ମୌିଳିକ ସୁବିଧାରୁ ବିଛିନ୍ନ କରିଛି ଏହି ୬ଟି ଗ୍ରାମର ୨ ହଜାରରୁ ଉର୍ଦ୍ଧ ଜନତାଙ୍କ ପାଇଁ । ବର୍ଷକ ୧୨ ମାସ ଏହି ନଦୀରେ ଜଳ ପ୍ରବାହିତ ହେଉଥିବା ଯୋଗୁଁ ସେମାନେ ବାଧ୍ୟହୋଇ ଦେଶୀ ଡ଼ଙ୍ଗା ଉପରେ ଭରସା କରିଥାନ୍ତି । ଅଞ୍ଚଳବାସୀ ପ୍ରତ୍ୟେକ ଦିନ ଡ଼ଙ୍ଗାରେ ପାର ହୋଇଥାନ୍ତି । ୧୨ ବର୍ଷ ତଳେ ନାବିକ ଡ଼ଙ୍ଗା ଚଳାଇ ଲୋକଙ୍କୁ ନଦୀ ପାର କରାଉଥିଲା । ଲୋକେ ଏହା ବଦଳରେ ତାଙ୍କୁ ଧାନ ଦେଉଥିଲେ । କିନ୍ତୁ ୧୨ ବର୍ଷ ତଳେ ନଦୀରେ ବନ୍ୟାଜଳ ହଠାତ୍ ବୃଦ୍ଧି ପାଇବା ଫଳରେ ଉକ୍ତ ଡ଼ଙ୍ଗାଟି ଭାସିଗଲା । ପରବର୍ତ୍ତୀ ସମୟରେ ଗ୍ରାମବାସୀ ନିଜେ ଚାନ୍ଦା କରି ଏକ କାଠ ଡ଼ଙ୍ଗା ନିର୍ମାଣ କରିଛନ୍ତି । ତାହା ମଧ୍ୟ ବିନା ନାବିକରେ ଚାଲିଛି । ବର୍ଷ ବର୍ଷ ଧରି ବିନା ନାବିକରେ ଚାଲିଛି ଉକ୍ତ କାଠ ଡ଼ଙ୍ଗା ।

ବିପଦ ସଙ୍କୁଳ ଅବସ୍ଥାର ନିଜେ ଗ୍ରାମବାସୀମାନେ ଉକ୍ତ ଡ଼ଙ୍ଗାରେ ନଦୀ ପାରହୋଇଥାନ୍ତି ନିଜ ଚେଷ୍ଟାରେ । ବର୍ଷା ଦିନରେ ଅକାତ କାତ ପାଣିରେ ବିନା ନାଉରିଆରେ ଡ଼ଙ୍ଗ୍‌ା ଚଳାଇବା ଗ୍ରାମବାସୀଙ୍କ ପାଇଁ କାଠିକର ପାଠ ହେଉଥିବା ଯୋଗୁଁ ବାଧ୍ୟ ହୋଇ ୨ କିଲୋମିଟର ବଦଳରେ ସେମାନେ ୨୫ କିଲୋମିଟର ଦୂର ସାଉଟିକିଆ , ସିନ୍ଦରିଗାଁ ପଞ୍ଚାୟତ ଦେଇ ଯାତାୟତ କରିଥାନ୍ତି । ବିଶେଷ କରି ବର୍ଷା ଦିନରେ ସେମାନଙ୍କ ପାଇଁ ରୋଜଗାର ଓ ସ୍ୱାସ୍ଥ୍ୟ ସେବା ଚିନ୍ତାଜନକ ହୋଇ ପଡ଼ିଥାଏ । ଏହି ଦିନମାନଙ୍କରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ଦୀର୍ଘଦିନ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଅନୁପସ୍ଥିତ ରିହବାକୁ ପଡ଼ିଥାଏ ବୋଲି ପ୍ରକାଶ କରିଛନ୍ତି ଗ୍ରାମର ଉଦୟନାଥ ମଳିକ ଓ ପ୍ରମୋଦ ମଲିକ । ପ୍ରତ୍ୟେକ ଦିନ ୨୫ କିଲୋମିଟର ପାର ହୋଇ ଯାତାୟତ କରିବା ବେଳେ ଗୁରୁତର ରୋଗୀ ଠିକ୍ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ସେମାନଙ୍କ ପାଇଁ ସମ୍ଭବ ହୋଇନଥାଏ । ଫଳରେ ରାସ୍ତାରେ ହିଁ ଏକାଧିକଙ୍କର ମୃତ୍ୟୁ ହୋଇଥିବାର ନଜିର ରହିଛି ବୋଲି ପ୍ରକାଶ କରିଛନ୍ତି ଗ୍ରାମର କିସା ମଲିକ ।

୬ଟି ଗ୍ରାମ ମଧ୍ୟରୁ କାଟାଲପାଙ୍ଗା ଗ୍ରାମରେ ୨୦ଟି ପରିବାର ରହୁଥିବା ବେଳେ ଆଜି ପର୍ଯ୍ୟନ୍ତ ଉକ୍ତ ଗ୍ରାମରେ ଠିକ୍ ଭାବେ ପହଞ୍ଚିନାହିଁ ବିଦ୍ୟୁତ୍ ଆଲୁଅ । ସନ୍ଧ୍ୟା ହୋଇଗଲେ ପଡ଼ିଯାଉଛି ତାଟି କବାଟ । ମୁଖ୍ୟତଃ ରାସ୍ତା ସହିତ ପୋଲ ନିର୍ମାଣ ହୋଇନଥିବା ଯୋଗୁଁ ବିଜୁପକାଘର, ବାର୍ଦ୍ଧକ୍ୟଭତ୍ତା ଭଳି ସରକାରଙ୍କର ସାଧାରଣ ମୌଳିକା ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି ଏହି ଅଞ୍ଚଳର ଶହ ଶହ ଅଧିବାସୀ । ମାସନାଗୁଡ଼ା ଠାରୁ ପ୍ରାୟ ୩ କିଲୋମିଟର ନଦୀ ତୋଠ ପର୍ଯ୍ୟନ୍ତ ଗତ ୨୦ ବର୍ଷ ତଳେ ବ୍ଳକ ପ୍ରଶାସନ ପକ୍ଷରୁ ମାଟି ପକାଯାଇ ରାସ୍ତା ନିର୍ମାଣ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ଉକ୍ତ ରାସ୍ତରେ ଚାଲିକି ଯିବା ମଧ୍ୟ ସମ୍ଭବ ହେଉନାହିଁ ବୋଲି ପ୍ରକାଶ କରିଛନ୍ତି ଗ୍ରାମର ପ୍ରମୋଦ ମଲିକ । ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଗମନାଗମନ ସୁବିଧା ନଥିବା ଯୋଗୁଁ ଗ୍ରାମକୁ ଆସିପାରୁନାହିଁ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ । ସରକାରଙ୍କ ଏହି ଯୋଜନାରୁ ମଧ୍ୟ ବଞ୍ôଚତ ଏହି ୬ଟି ଗ୍ରାମର ଅଧିବାସୀ । ଏବେ ମଧ୍ୟ ଖଟିଆ ସାହାରା ପାଲଟିଛି ଏହି ଅଧିବାସୀ ମାନଙ୍କର । ୨୦ ବର୍ଷ ଧରି ଏହି ସବୁ ଅଞ୍ଚଳବାସୀ ପୋଲ ଓ ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି ।

ସବୁ ନେତା କେବଳ ଦେଉଛନ୍ତି ସେମାନଙ୍କୁ ପ୍ରତିଶ୍ରୁତିି କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇ ପାରିନାହିଁ ବୋଲି ପ୍ରକାଶ କରିଛନ୍ତି ଗ୍ରାମର ଉଦୟନାଥ ମଲିକ , ବୁଦ୍ଧଦେବ ମଲିକ ଓ ଗାଇଟା ମଲିକ । ଏକ ଇଂଜିନ୍ ଡ଼ଙ୍ଗା ଯୋଗାଇ ଦେବା ପାଇଁ ମଧ୍ୟ ଦାବି କରିଛନ୍ତି ଗ୍ରାମବାସୀମାନେ । ତେବେ ଏନେଇ ପ୍ରଶାସନ ପାଖରେ ଖବର ଥିଲେ ମଧ୍ୟ କେବଳ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମରେ ରାସ୍ତା ହେବ ପ୍ରତିଶ୍ରୁତିି ଦେଉଛନ୍ତି କିନ୍ତୁ ତାହାକୁ ୍ରଆଜି ପର୍ଯ୍ୟନ୍ତ କାର୍ଯ୍ୟକାରି କରାଯାଇ ନାହିଁ । ସେହିଭଳି ବିଭିନ୍ନ ସ୍ଥାନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଯୋଗାଯୋଗ ପାଇଁ ପୋଲ ନିର୍ମାଣ କରାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ୬ଟି ଗ୍ରାମ ଉପରେ କାହିଁକିି ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟି ପଡ଼ୁନାହିଁ ତାହାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଙ୍କି ମାରିଛି ।

ଅନ୍ୟପକ୍ଷରେ ରାଜନେଅତିକ ଅଭିସନ୍ଧି ରଖି ଉକ୍ତ ଗ୍ରାମ ଗୁଡ଼ିକ ପ୍ରତି କୌଣସି ପ୍ରକାର ଦୃଷ୍ଟି ଦିଆଯାଉନଥିବା ଅଞ୍ଚଳର କିଛି ଅଧିବାସୀ ନିଜର ନାମ ଗୋପନ ରଖିବା ସର୍ତ୍ତରେ ମତ ଦେଇଛନ୍ତି । ବାଲିଗୁଡ଼ା ବିଧାୟକଙ୍କ ନିକଟରେ ମଧ୍ୟ ଏହି ଅଭିଯୋଗ ପହଞ୍ôଚଛି କିନ୍ତୁ ବିକାଶ ନେଇ ସେ ମଧ୍ୟ କେବେ ଦାବି କରିନାହାନ୍ତି ବୋଲି ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବା ଉପରେ ସମସ୍ତ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking